ଅନୁଭବରେ ଜଗନ୍ନାଥ

Anubhabare Jagannath (ଅନୁଭବରେ ଜଗନ୍ନାଥ) by Sangram Keshari Senapati

ମୋ ଜୀବନର ପ୍ରଥମଥର ଯେବେ ମୁଁ ପୁରୀ ଯାଇଥିଲି, ସେତେବେଳେ ବୋଧେ ମୋତେ ୨/୩ ବର୍ଷ ବୟସ ହୋଇଥିଲା । କେବଳ ଗୋଟିଏ ଫଟୋ ବ୍ୟତୀତ ମୋର ଆଉ କିଛି ମନେ ନାହିଁ । ତା’ପରେ କେଇଥର ଯାଇଛୁ, କିନ୍ତୁ ରଥଯାତ୍ରା ସମୟରେ କେବେ ଯିବାର ସୁଯୋଗ ମିଳିନଥିଲା । ସମସ୍ତେ କୁହନ୍ତି ମହାପ୍ରଭୁ ଅଣସର ଘରେ ଥିଲାବେଳେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ।

ସେଇଥିପାଇଁ ଥରେ ଅଲାରନାଥ ଦର୍ଶନରେ ଯାଇ ଫାଙ୍କା ଫାଙ୍କାରେ ପୁରୀ ମନ୍ଦିର ଭଲରେ ବୁଲି ଆସିଥିଲୁ, ହେଲେ ରଥଯାତ୍ରାକୁ ଯିବାକୁ କେବେ ସୁଯୋଗ ମିଳିନଥିଲା । ଅନେକ ଚେଷ୍ଟା ପରେ ବି ସମ୍ଭବ ହୋଇପାରିନଥିଲା, ବୋଧେ କାଳିଆର ଡୋରୀ ଲାଗିନଥିଲା । ଗତବର୍ଷ ବାପାଙ୍କର ଅଫିସ୍ କାମ ପଡ଼ିଲା ପୁରୀରେ ଆଉ ସେ ବି ପୁଣି ରଥଯାତ୍ରା ପରଦିନ ହିଁ ଡକାଇଥିଲେ । ରଥବେଳେ ବସ୍ କେତେ ଭିଡ଼ ହୁଏ ତାହା ତ ଆପଣମାନେ ସବୁ ଜାଣିଥିବେ, ତେଣୁ ସେ ଗୋଟିଏ ଗାଡ଼ି ରିଜର୍ଭ କଲେ, ଆଉ ଗାଡ଼ିରେ ଗୋଟିଏ ସିଟ୍ ଖାଲି ରହିଗଲେ ଆମେ ତ ସାହି ପଡ଼ିଶାଙ୍କୁ ଜବରଦସ୍ତି ବସେଇକି ନେଇଯିବା ଲୋକ, ଆଉ ଘର ଲୋକ ହେଇକି ସୁଯୋଗ କେମିତି ଛାଡ଼ିବୁ ।

ଅବଶ୍ୟ ମା’ର ସ୍କୁଲ୍ ଛୁଟିନଥିଲା, ତେଣୁ କାଳିଆ ଦର୍ଶନ ପାଇଁ ମିଛରେ ଟିକିଏ ବାହାନା କରିବାକୁ ପଡ଼ିଲା ଆଉ ଶେଷରେ କାଳିଆର ଡୋରୀ ଲାଗିଲା ତାକୁ ରଥର ଦର୍ଶନ କରିବାକୁ । ରଥଯାତ୍ରା ଦିନ ନହେଲା ନାହିଁ, ରଥ ନ ଟାଣିଲୁ ନାହିଁ, ରଥ ଦଉଡ଼ି ଛୁଇଁବାର ସୁଯୋଗ ନ ପାଇଲୁ ନାହିଁ, କିନ୍ତୁ ରଥରେ ତା’ର ମନଲୋଭା ରୂପ ଦେଖିବାର ସୁଯୋଗ ତ ପାଇଲୁ ।

ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥରେ ବିରାଜମାନ ଥିଲେ ଚତୁର୍ଦ୍ଧା ମୁରତି । ସେହି ଭିଡ଼ରେ ତା’ର ଟିକିଏ ଝଲକ୍ ପାଇବା ପାଇଁ ସଭିଏଁ ଥିଲେ ଆଗଭର ଆଉ ସେହି ଭିଡ଼ରେ ମୁଁ ବି ଯାଇ ପହଞ୍ଚିଗଲି କାଳିଆ ଠାକୁରର ରଥ ଆଗରେ । ଆଗରୁ ପୁରୀ ଯାଇଥିଲି, ହେଲେ ଏତେ ଲୋକ ଭିଡ଼ କେବେ ଦେଖିନଥିଲି, ଆଗରୁ ଜଗନ୍ନାଥ ଦର୍ଶନ କରିଥିଲି, କିନ୍ତୁ ସେ ଭାବ କେବେ ଅନୁଭବ କରିନଥିଲି । କିଏ ରଥରେ ଦେଖି ତାକୁ ତା’ର ମନ କଥା କହୁଥିଲା ତ ପୁଣି କିଏ ସେ ରୂପକୁ ଦେଖି ଖୁସିରେ ଆନନ୍ଦାଶ୍ରୁ ଝରାଉଥିଲା । କିଏ ଘିଅ ଦୀପରେ ଟିକେ ବନ୍ଦେଇ ଦେଉଥିଲା, ତ ପୁଣି କିଏ ମାନସିକ ପୂରଣ ଖୁସିରେ ହାତଯୋଡ଼ି ଲୋଟିଯାଉଥିଲା । ସେହି ଭିତରେ କାଳିଆ ଆଗରେ ହାତଯୋଡ଼ି ପ୍ରଣାମ କରିବାବେଳେ କେତେବେଳେ ମୋ ଆଖିରୁ ଦୁଇଧର ଲୋତକ ବୋହିଯାଇଥିଲା, ମୋତେ ବି ଜଣାପଡ଼ିନଥିଲା ।

ସଂଗ୍ରାମ କେଶରୀ ସେନାପତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...