ସଭିଙ୍କୁ ନିଜର କରୁଥିବା ହୃଦୟଟିଏ ।
ପ୍ରେମର ଦୀପ ଜାଳିଥିବା ନାରୀଟିଏ ।
ସମାଜକୁ ବୋଝ ଲାଗୁଥିବା ବସ୍ତୁଟିଏ ।
ମତବ୍ୟକ୍ତ କରିପାରୁନଥିବା ଶବ୍ଦଟିଏ ।
ଲିଙ୍ଗଗତ ସମସ୍ୟାକୁ ବୁଝିନପାରି
ଯେବେ ସାମାନ୍ୟ ଅଝଟ କରିବସେ,
ସେତେବେଳେ ସମାଜ ମୋତେ ପ୍ରଶ୍ନ କରେ
ତୁ କିଏ…??
ଆଗ୍ନେୟଗିରିରୁ ବାହାରିଥିବା ହୁଳାପିଣ୍ଡଟାଏ ।
କପଡ଼ା ଭିତରେ ଲୁଚିରହିଥିବା ଗାନ୍ଧାରୀର ଆଖିଟିଏ ।
ସାଗର ଆକର୍ଷିତ ହେଲାଭଳି ନଦୀଟିଏ ।
ପ୍ରତି ନାରୀର ହୃଦୟର କବାଟକୁ
ଠକ୍ ଠକ୍ କଲାପରେ ମୁଁ ଜାଣିଲି ।
ମୁଁ ସୀତା ନୁହେଁ, ମୁଁ ସିଏ ଯିଏ ଧ୍ଵଂସ କରିଥିଲା ରାବଣ ।
ମୁଁ ଦ୍ରୌପଦୀବି ନୁହେଁ, ମୁଁ କୁରୁବଂଶ ସମାପ୍ତିର କାରଣ ।
ତୁଳସୀ ଦାସ କହିଥିଲେ
ଢୋଲ, ମୂର୍ଖ, ଶୁଦ୍ର, ପଶୁ, ନାରୀ
ଏମାନେ ସବୁ ତାଡ଼ନାର ଅଧିକାରୀ ।
କହିଦିଅ ତୁଳସୀ ଦାସଙ୍କୁ
ନାରୀର ଭାବନା ଚାଲିଯାଇଛି,
ତାଙ୍କ ଭାବନାର ଯଥେଷ୍ଟ ଆଗକୁ ।
ଜାଣିବାକୁ ଚାହଁ ଏତେ ସବୁ ସହି
କେମିତି ବଞ୍ଚିବା ଶିଖିଲି-
କାହିଁକିନା ମୁଁ ଚାରୋଟି ଆଖିର ପ୍ରାଣ,
ମୀରା ପ୍ରେମର ପ୍ରମାଣ,
ଟେରେସାଙ୍କ ସମ୍ମାନ ।
– ସ୍ୱାତୀସ୍ମିତା ବାରିକ
Comments
ସ୍ୱାତୀସ୍ମିତା ବାରିକ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗୁଡ଼ିଏ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ।