କୁହାଯାଏ ନାରୀ ଓ ପୁରୁଷ ସମାଜରେ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ପରି । ଗୋଟିଏ ବ୍ୟତିରେକ ଅନ୍ୟଟିର କଳ୍ପନା କରିବା ଅସମ୍ଭବ । ଆଜିର ଏ ଶିକ୍ଷିତ ସମାଜରେ ନାରୀଟିଏ ଯେ କେତେ ଅବହେଳିତ, ନିର୍ଯାତିତ, ନିଷ୍ପତଷିତ, ସେ କଥା କାହାକୁ ମଧ୍ୟ ଅଛପା ନାହିଁ । ତେବେ ଏ ନାରୀମାନଙ୍କ ପାଇଁ ମହିଳା ଦିବସ ପାଳନ କରିବାର ପ୍ରହସନ କ’ଣ ପାଇଁ? ବାସ୍ତବରେ କ’ଣ ଏହି ଦିବସର ଯଥାର୍ଥତା ପ୍ରତିପାଦିତ ହେଉଛି? ଏଠାରେ ନାରୀ ପାଇଁ ସଶକ୍ତିକରଣ ଆରମ୍ଭ ହୋଇଥିବା ସତ୍ତ୍ୱେ ନାରୀର ସ୍ଥାନ ସଙ୍କୁଚିତ । ସତରେ କ’ଣ ନାରୀଟିଏ ଉପଯୁକ୍ତ ମର୍ଯ୍ୟାଦା ପାଇପାରୁଛି? ଆମର ପୁରୁଷ ପ୍ରଧାନ ସମାଜରେ ନାରୀର ସ୍ଥାନ କେଉଁଠି? ଏମିତି ଅନେକ ପ୍ରଶ୍ନ ଉଙ୍କିମାରୁଥିବ ସାଧାରଣ ଲୋକମାନଙ୍କ ମନରେ ।
ଏଠାରେ ପ୍ରଥମେ ପ୍ରଶ୍ନ ଉଠେ ନାରୀମାନଙ୍କ ସୁରକ୍ଷା ଉପରେ । ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ନାରୀମାନଙ୍କ ସୁରକ୍ଷା ଏକାନ୍ତ କାମ୍ୟ । ଆଜିର ଦିନରେ ନାରୀ ସୁରକ୍ଷିତ ନୁହେଁ । ରାତିରେ ଯାତାୟତ କରିବା ତା’ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି । ସେ ନିଜକୁ ଅସାମାଜିକ, ଲୋଲୁପଦୃଷ୍ଟା ପାପୀ ବଳାତ୍କାରୀମାନଙ୍କଠାରୁ ଦୂରେଇ ରଖିବା ପାଇଁ ଘର କଣରେ ଲୁଚି ରହିବାକୁ ବାଧ୍ୟ ହେଉଛି । ନିଜର ପ୍ରତିଭାକୁ ସଙ୍କୁଚିତ କରି ରଖୁଛି । ପ୍ରକୃତରେ ଏହା ପାଇଁ ଦାୟୀ କିଏ? କଳୁଷିତ ରାଜନୀତି, ଆଧୁନିକ ଜୀବନଶୈଳୀ ନା ମଣିଷ ମନରେ ହ୍ରାସ ପାଉଥିବା ନୈତିକତା, ମୂଲ୍ୟବୋଧ ଓ ସଂସ୍କାର । ଏଠାରେ ଗଣଦୁଷ୍କର୍ମକାରୀଙ୍କୁ ମିଳେନି ଉଚିତ ଶାସ୍ତି । ମିଳେନାହିଁ ନାରୀକୁ ତା’ର ସାମାଜିକ ନ୍ୟାୟ, କ୍ଷୁର୍ଣ୍ଣ ହୋଇଯାଏ ତା’ର ବଞ୍ଚିବାର ଅଧିକାର । ଯଦି ଆମ ସରକାର ଏମାନଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରଖିପାରନ୍ତେ ହୁଏତ ଏହା ଅପସରି ଯାଆନ୍ତା । ଦୁଷ୍କର୍ମ, ଗଣଧର୍ଷଣ, ଏସିଡ୍ ଆଟାକ୍ ଭଳି ବର୍ବର କାଣ୍ଡର ଶୀକାର ହୋଇ ଅନାୟାସରେ ନାରୀମାନଙ୍କ ଜୀବନ ଯାଆନ୍ତାନି ।
ନାରୀମାନଙ୍କର ଶିକ୍ଷାକ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାଗୁଡ଼ିକ ବିଶ୍ଳେଷଣ କଲେ ଆମେ ଲକ୍ଷ୍ୟ କରିବା ଯେ, କେତେଗୁଡ଼ିଏ ସମସ୍ୟା ସାମାଜିକ ଓ ସାଂସ୍କୃତିକ ଦିଗ ସହ ସଂପୃକ୍ତ ଥିବାବେଳେ କେତେ ଗୁଡ଼ିଏ ଭୌଗଳିକ ଦିଗ ସହ ସଂପୃକ୍ତ । କିନ୍ତୁ ଅନେକ ସମସ୍ୟା ମନୁଷ୍ୟକୃତ । ବିଦ୍ୟାଳୟ ଶିକ୍ଷାର ସମସ୍ତ ସ୍ତରରେ ନାମଲେଖା ହାରଠାରୁ ଆରମ୍ଭ କରି ଶିକ୍ଷଣ ଫଳାଫଳକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ବାଳିକାମାନେ ବାଳକମାନଙ୍କଠାରୁ ପଛରେ ଥାଆନ୍ତି । ଯଦିଓ ବାଳିକା ଶିକ୍ଷା କ୍ଷେତ୍ରରେ ଅନେକ ବିକାଶ ହୋଇଛି ତଥାପି ସମାନତା ଆଣିବା କ୍ଷେତ୍ରରେ ଏହା ପର୍ଯ୍ୟାପ୍ତ ନୁହେଁ । ଦାରିଦ୍ର୍ୟ, ବାଲ୍ୟବିବାହ, ସାଂସ୍କୃତିକ ପରମ୍ପରା, ବିଦ୍ୟାଳୟର ଅବସ୍ଥିତି, ବିଦ୍ୟାଳୟରେ ଝିଅମାନଙ୍କ ପ୍ରତି ଅସଦାଚରଣ, ଶୌଚାଳୟ ସୁବିଧା, ଲିଙ୍ଗଗତ ବୈଷମ୍ୟତା ଆଦି ନାରୀ ଶିକ୍ଷାରେ ଅନ୍ତରାୟ ସୃଷ୍ଟି କରିଛି ।
ଜାତୀୟ ଶିକ୍ଷାନୀତି – ୧୯୮୬ (NPE-1986) ଏବେଂ NCF-2005 ବାଳିକାମାନଙ୍କର ଶିକ୍ଷା ବିକାଶ ନିମନ୍ତେ ଅନ୍ତର୍ନିବେଶୀ ନୀତି (Inclusive Education) ଉପରେ ଜୋର୍ ହୋଇଛି, ହେଲେ ବାସ୍ତବ କ୍ଷେତ୍ରରେ ଏହାର ପ୍ରତିଫଳନ ଦେଖାଯାଉ ନାହିଁ । ତେବେ ଏହାହିଁ କ’ଣ ନାରୀ ସଶକ୍ତିକରଣର ବାସ୍ତବତା? କେଉଁ ଉଦ୍ଦେଶ୍ୟରେ ଆମେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା?
ସରକାରଙ୍କର ସ୍ଲୋଗାନ୍ ଚାଲିଛି, “ବେଟୀ ବଚାଓ, ବେଟୀ ପଡ଼ାଓ ।” ହେଲେ ଏବେବି କନ୍ୟା-ଭୃଣ ହତ୍ୟା ଏକ ସାଧାରଣ କଥାରେ ପରିଗଣିତ ହେଉଛି । ଆଜିବି ସମାଜରେ ରହିଛି ଯୌତୁକ ପ୍ରଥା, ପରଦା ପ୍ରଥା ପରି କୁସଂସ୍କାର । ଗୋଟେ ନାରୀ କାହିଁକି ତା’ର ସ୍ୱାଧୀନତା ସବୁ ସମୟରେ ହରାଉଛି? କାହିଁକି ସେ ପରୁଷର କେବଳ ମାତ୍ର ଭୋଗବସ୍ତୁ? ତାକୁ ଯଦି ଠିକ୍ ଅଧିକାର ମିଳେ, ସେ ଦେଶର ଉନ୍ନତି ଓ ଅଗ୍ରଗତି କରିପାରେ, ଯାହାର ଉଦାହରଣ ପାଲଟିଛନ୍ତି ନିରଜା ଭାନୋତ୍, ସୁଚେତ୍ରା କ୍ରିପାଳିନି, ନନ୍ଦିନୀ ଶତପଥୀ, ଭାଲେନା ଭାଲେଣ୍ଟିନା, କଳ୍ପନା ଚାୱଲା ଭଳି ଅନେକ ।
ନାରୀଟିଏ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ କ୍ଷେତ୍ରରେ ସଫଳ ହେବାପାଇଁ ସମାଜରେ ଆଗଭର ହୋଇ ଛିଡ଼ାହେବା ପାଇଁ ପୁରୁଷ ପାଦରେ ପାଦ ମିଶାଇ ସମକକ୍ଷ ହେବା ପାଇଁ ଆନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ହେଲେ ପ୍ରକୃତରେ କ’ଣ ଏହା ଫଳପ୍ରଦ ହୋଇପରିଛି? ଏହା କେବଳ କେତେକ ଆଗଧାଡ଼ିର ନାରୀମାନଙ୍କ ପାଇଁ ଉତ୍ସବ ପାଳନ କରିବାର ମାଧ୍ୟମ ପାଲଟିଛି ବୋଲି କହିଲେ ଅତ୍ୟକ୍ତି ହେବନାହିଁ ।
– ଚିନ୍ମୟୀ ସାହୁ
Comments
ଚିନ୍ମୟୀ ସାହୁ ଜଣେ ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।