✍ ତୟୋତ୍ରିଂଶ ସମ୍ପାଦକୀୟ

Editorial Page of Shubhapallaba 33rd Edition

ଖୁସି… କେବେ କଅଁଳ ଶିଶୁର ଦରୋଟି ହସ ତ କେବେ ମା’ର ମିଠା ଗାଳି; କେବେ ମେଘ ବାଦଲର ଉହାଡ଼ରେ ପାହାଡ଼ର ଲୁଚକାଳି ଖେଳ ତ କେବେ କାକର ବୋଲା ଶୀତ ସକାଳର ଶୋରିଷ ଫୁଲର ଚଗଲାମୀ । ଖୁସି କେବେ ପ୍ରିୟା ଆଖିରେ ଦୁଷ୍ଟାମୀର ଇଶାରା ତ ପୁଣି କେବେ ଅପ୍ରତ୍ୟାଶିତ ସଫଳତା… ଖୁସିର ପରିସୀମା ନାହିଁ, ସେ ବ୍ୟାପ୍ତ; ଆକାଶ ପରି, ପୃଥିବୀ ପରି…

ପ୍ରସଙ୍ଗଟିଏ ମନେପଡ଼େ; କିଛି ବର୍ଷ ତଳେ ପଡ଼ିଶା ଘରର ଛୁଆମାନଙ୍କୁ ପାଖ ଗାଁ’ର ମେଳନ ବୁଲେଇ ନେଇଥିଲି । ମନରେ ତାଙ୍କର ଉତ୍ସାହର ଜୁଆର କୂଳ ଲଙ୍ଘୁଥାଏ ଯେମିତି ! ଜାଣିଥିଲି ସେମାନେ ଖାଲି ପକେଟରେ ଆସିଥିଲେ, ତଥାପି ବାଟସାରା ଅନେକ ଚର୍ଚ୍ଚା, ଅନେକ ଆଲୋଚନା; ମେଳାରେ ଏଇଟା କରିବା, ସେଇଟା ଦେଖିବା, ଅମୁକ ଆଣିବା ସମୁକ ଖାଇବା… ଏମିତି ଅନେକ । ପ୍ରଥମେ ବିମାନ ଦେଖା, ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ଭୋଗ କରିବା ପରେ ମେଳନ ପଡ଼ିଆରେ ପଡିଥିବା ବିଭିନ୍ନ ପ୍ରକାର ମନୋହରୀ ଦୋକାନ ବୁଲିବା ଥିଲା ପ୍ରଧାନ ଲକ୍ଷ । ସେଇଆ ହେଲା। କିଏ କଣ ଖାଇବ ବା କିଣିବ ପଚାରନ୍ତେ, କିଏ କହିଲା ମୁଁ ଚାଟ ଖାଇବି ତ ଆଉ କିଏ କହିଲା ମୁଁ ଆଇସକ୍ରିମ ଖାଇବି । ପୁଣି କିଏ କହିଲା ମୁଁ ଗୋଲା ଖାଇବି… ଖାଇଲେ ମଧ୍ୟ ! ଦ୍ଵିତୀୟ ଥର ଅନ୍ୟ କିଛି ପାଇଁ ଯେମିତି ଆଗ୍ରହ ହିଁ ନଥିଲା !!! ଦଣ୍ଡେ ଦୂରରେ ଥାଇ ଲକ୍ଷ୍ୟ କରୁଥିଲି ସେମାନଙ୍କୁ; ଓଠର ହସ ଆଖିରେ ଝଲସୁଥିଲା ଚିକ ମିକ ହେଇ । ଭାବୁଥିଲି ଖୁସି କେତେ ମାମୁଲି ସତେ !! ଆମେ ଆମର ପ୍ରାଚୁର୍ଯ୍ୟରେ ଖୁସି ସାଉଁଟିବାକୁ ଚେଷ୍ଟାକରୁ, ମୂଷା ବିଲେଇର ଦୌଡ଼ରେ ମାତିରହୁ, ହେଲେ ଛୋଟ ଛୋଟ ଘଟଣାରେ ଲୁଚିଥିବା ଖୁସିକୁ ଗୋଟେଇ ପାରୁନା; ଖୁସି ହେଇପାରୁନା । କିନ୍ତୁ ଏମାନେ?? ତଉଲୁଥିଲି ମୋ ନିଜ ଭଣଜାକୁ ଏମାନଙ୍କ ସହ । ଭଣଜା ମୋର ପକେଟ ଖାଲି ହେଲାଯାଏ କିଣି ସାରିଲା ପରେ ବି ଖୁସି ହେଇ ପାରେନା, ଅଥଚ ଏମାନେ… ଖୁସି, ଦୁଃଖପରି ମହଙ୍ଗା ନୁହେଁ, ଖୁବ ମାମୁଲି;ଖୁବ ଶସ୍ତା । ବାସ୍ କିଣି ଜାଣିଲେ ହେଲା !!!

ଆଉ ଦିନ କେଇଟା ପରେ ଏ ବର୍ଷ ସରିଯିବ ଆଉ ପଛରେ ରହିଯିବି କିଛି ଅଲିଭା ଦୁଃଖର ଦାଗ । ତଥାପି କାହା ଓଠରେ ହସର କାରଣ ହେଇ ଏ ବର୍ଷକୁ ବିଦାୟ ଦେବା । ଏଇ ଯେମିତି ବଡ଼ ଦିନର ସାନ୍ତା ପରି…

ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ସହ
ଜୟ ଜଗନ୍ନାଥ

Tapas Ranjan Signature

 

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...