ମୁଖା

Odia Poem Mukha (ମୁଖା) by Sujata Mohapatra

ମାଟି ମୁଠେ ଦେଇଥିଲ ବୋଲି
ମାଗୁଛ ଆକାଶ !!
ଲୋଡ଼ା ନାହିଁ…
ତୁମେ ଫେରାଇ ନେଇପାର ତୁମର ସେ ଦୁର୍ଲଭ ଦାନ !!
ମୁଁ ବରଂ ଖୁସି ମୋ ପାଦ ତଳର ଶୂନ୍ୟତାରେ !!
ହେଲେ,
ମୁଁ କିନ୍ତୁ ତୁମକୁ ଅଧିକାର ଦେଇ ନ ପାରେ
ମୋ ହାତ ଗଢ଼ା ଆକାଶଟିରେ !!!
ସେ କେବଳ ମୋର…
ରକ୍ତ ନିଗାଡ଼ି ତିଆରିଛି ମୁଁ ତାକୁ ବର୍ଷ ବର୍ଷ ଧରି !!
ସିଞ୍ଚିଛି ସ୍ୱାଭିମାନର ତତଲା ନିଶ୍ୱାସରେ
ଢାଳିଦେଇପାରିବିନି ତୁମ ପାଦ ତଳେ
ଅର୍ଘ୍ୟପୁଷ୍ପ କରି ତୁମରି ଇଚ୍ଛାରେ,
ଯାହା ଉପରେ ପାଦ ଥାପି ତୁମେ ସ୍ୱପ୍ନ ଦେଖିପାରିବ
କଳଙ୍କିତ ରାଜା ହେବାର !!

ବରଂ କ୍ଷମା କର…
ଛଡ଼ାଇ ନିଅ ମୋ’ଠାରୁ ତୁମ ଦତ୍ତ ସମସ୍ତ ବିଷମହୌଷଧି,
ବିଷଗ୍ରସ୍ତ ହେବା ଆଗରୁ ମୋ ଶରୀର,
ମୋର ପ୍ରତିଟି ଶିରା ଓ ଧମନୀ
ମନ୍ତୁରେଇନେବି ନିଜେ ମୁଁ ‘ମୋତେ’
ମୋ ବ୍ୟକ୍ତିତ୍ୱର ସଞ୍ଚିତ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ…

ମୁଖା ଖୋଲିଯାଇଛି ବୋଲି ଏତେ ବିକଳ ପଣ!!
ହୁଏତ ଏ ଦିନେ ନିଶ୍ଚେ ଖୋଲିବାର ହିଁ ଥିଲା !!
ସ୍ୱାର୍ଥର ପୁଟ ଅବା କେତେ ଘଡ଼ି ଯେ’ !!
ଭଲ ହେଲା…
ଦୁହେଁ ଦୁହିଁଙ୍କୁ ଦେଖି ନେଲେ ଫର୍ଚ୍ଚା ଜହ୍ନ ଆଲୁଅରେ…
ତୁମେ କିଛି କହିବା ଆଗରୁ
ଅନେକ କିଛି ଗାଇଗଲା
ତୁମ ଅଲିଖିତ କବିତାର ପଂକ୍ତି ସବୁ
ତୁମ ମିଛ ପ୍ରଶଂସାରେ…

ମୁଁ ଠିକ ରୂପେ ଦେଖିପାରୁଥିଲି,
ଅନ୍ଧକାରର ଗୋହିରୀ ଭିତରୁ ମୁଣ୍ଡକାଢ଼ି କଡ଼ ଲେଉଟାଉଥିବା,
ତୁମ ଅଳନ୍ଧୁଆ ମନର ଅଭିସନ୍ଧିଜଡ଼ା ସ୍ୱପ୍ନସବୁଙ୍କୁ…
ବୋଧହୁଏ ଏଇଥିପାଇଁ ହିଁ ସେଦିନ
ଢେରବେଳଯାଏଁ ଚେଇଁଥିଲା ଜହ୍ନ,
ଅନ୍ୟ ଏକ ତାରାଭରା ଉଆଁସୀ ରାତିରେ!!!

– ସୁଜାତା ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...