ମୁଁ ପରା ଝିଅଟେ !!
ମୁଁ ଅଭିମାନୀ-ସ୍ୱାଭିମାନୀ
ତରୁଣୀ ତରଳ ତରଙ୍ଗିଣୀ…
ମୋ’ଠୁ ହିଁ ଆଜନ୍ମ ସମ୍ପର୍କ,
ସମ୍ବନ୍ଧର ମହମହ ଗନ୍ଧ
ପରିଚିତ ଥାଇ ବି ଅପରିଚିତା ମୁଁ
ସଂଜ୍ଞାହୀନ, ପ୍ରଜ୍ଞାହୀନ ଏ ଜୀବନ !!
ମାଛିକୁ ମ ବୋଲି କହେନି,
କି ବଡ଼ ପାଟିରେ ହସେନି
ବେଦ ମନ୍ତ୍ର ଉଚ୍ଚାରେ
ପୁଣି ଲକ୍ଷ ଲକ୍ଷ ନିୟମ ମାନି
ଶେଷରେ ନିର୍ବାସିତ ବି ହୁଏ…
କେବେ ଯୌତୁକ ନିଆଁରେ ତ
କେବେ ଅଗ୍ନିପରିକ୍ଷାରେ,
କେବେ ଇତିହାସର ପଶା ପାଲିରେ
ତ କେବେ ସୁକନ୍ୟା ଯୋଜନାରେ,
ଅନେକ ଲାଭ କ୍ଷତିର ହିସାବ ହୁଏ
ଆଉ ଶେଷରେ ପାଲଟିଯାଏ ମୁଁ
ଅବଶୋଶ ଅବଶିଷ୍ଟାଂଶର କମା ଓ ବିସ୍ମୟ !
ହଁ ! ମୁଁ ପରା ଝିଅ ଟଏ !!!
ମୁଁ ଉପେକ୍ଷିତା, ଲାଞ୍ଛିତା, ନିର୍ଯାତିତା
ମୋ ଅସ୍ତିତ୍ୱର ବିଚାର ହୁଏ ସତୀତ୍ୱରେ,
ହା-ହୁତାଶ ଯନ୍ତ୍ରଣାର ଯତୁଘରେ,
ନ୍ୟୁଜ ଚ୍ୟାନେଲର ଭିଡ଼ ଭାଡ଼ ଖବର ସୁଅରେ,
ଶେଷରେ ପ୍ରତିବାଦ ବି କରେ
ପ୍ରତିରୋଧ ବି ହୁଏ,
ଆଉ ତା’ପରେ ଚାଲେ
କିଛିଦିନ ମହମବତୀର ଶୋଭାଯାତ୍ରା,
ଚାଲେ ପ୍ରତିବାଦର ସ୍ୱର…
ହେଲେ ତା’ପରେ ସବୁ ଠପ !!!!
ମୁଁ ଅଗ୍ନି-ତେଜ-ସକଳ ଶକ୍ତିର ଆଧାର
ଆଭାସ ମୁଁ ସୃଷ୍ଟି ଆଉ ପ୍ରଳୟର
ଲୋଡ଼ା ନାହିଁ ତମ ବିଳମ୍ବିତ ନ୍ୟାୟ
ନ ଲୋଡ଼ା ତମ ଦେଖାଣିଆ ପ୍ରେମ
ପ୍ରୀତିସୁଧା ନିତି ବାଣ୍ଟିଯିବି ମୁଁ
ମିଳୁପଛେ ଗ୍ଲାନି ଆଉ କଷ୍ଟ
ପ୍ରତି ଜନ୍ମେ କାମନା କରିବି,
ଜନ୍ମ ନେବି ଝିଅଟିଏ ହୋଇ…
– ଶୁଭଶ୍ରୀ ମହାନ୍ତି
Comments
ଶୁଭଶ୍ରୀ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।