ଭାବିଥିଲି, ସବୁଜାକ ଅଳନ୍ଧୁ
ଝାଡ଼ିଦେଲା ପରେ,
ଘର ମୋର ପରିଷ୍କାର ହୋଇଯିବ,
ହେଲେ ଏ କ’ଣ ହେଲା?
ଅଳନ୍ଧୁ ସବୁ ଝାଡ଼ିଦେଲା ପରେ
ମୋର ଘର ହିଁ ନଥିଲା ।
ସତେ କ’ଣ ଘର ମୋର
କେବଳ ଅଳନ୍ଧୁର ଥିଲା?
ସେଇଟା ମୋର ଘର ଥିଲା
ଅବା ପଶମର କମ୍ବଳ?
ବାଳ ବାଛୁ ବାଛୁ କିଛି ବାକି ରହିଲାନି
ଶେଷରେ କମ୍ବଳ ନିର୍ବାଳ ହୋଇଗଲା !
ପ୍ରତି ସକାଳରେ ନିସ୍ପ୍ରଭ ସୂର୍ଯ୍ୟ
ନିତି ଆସୁଥିଲା
ହେଲେ ସୂର୍ଯ୍ୟର ଆଲୋକ
କାଲି ଆସିବ ବୋଲି
ନିତି ନିତି ଟାଳି ଦେଉଥିଲା ।
ଆଶା ନିରାଶାର ଲୁଚକାଳି
ସମ୍ଭାବନାର ଆସନ୍ତା କାଲି
କେବେ ଆସିବ, କେବେ ଆସିବ
ଜୀବନରେ ପ୍ରତିକ୍ଷାର ଅନ୍ତ ନଥିଲା ।
ସୁଖ ଯେ ଆଲ୍ଲାଦୀନର ଚିରାଗରେ ଲୁଚିଥିଲା
କିନ୍ତୁ ଆଲ୍ଲାଦୀନର ଚିରାଗ କେଉଁଠି?
ସିଏତ ଅଥଳ ସମୁଦ୍ରରେ କାହିଁ ହଜିଗଲା ।
ଘର ମୋର ଘର କେବେ ଥିଲା?
ସବୁଦିନ ସୂର୍ଯ୍ୟସାଥେ
ସୂର୍ଯ୍ୟର ଆଲୋକ ବି ଆସୁଥିଲା,
ହେଲେ ଅଳନ୍ଧୁର ଘର ମୋର
କାମନାର ଅନ୍ଧାରରେ ବୁଡ଼ି ରହିଗଲା ।
ଜୀବନତ ମିଳିଥିଲା ଜୀଇଁବାକୁ
ହେଲେ ସାରାଜୀବନ,
କାମନାର ଅନ୍ଧଗଳିରେ
ସୁଖ ପଛେ ଧାଇଁ ଧାଇଁ
ଜାଣି ହେଲାନି,
ଜୀବନଟା କେତେବେଳେ ସରିଗଲା,
ଜିଇଁବାର ଆନନ୍ଦ ମିଳିବା ପୂର୍ବରୁ
ଏ ଜୀବନ ଏଇମିତି
ଅକାରଣ ଶେଷ ହୋଇଗଲା ।
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।