ଜୀବନ ବହିର ଯୌବନ ପୃଷ୍ଠାରେ
ପ୍ରେମ କଲମର ଧାରେ
ଆଙ୍କି ଦେଇଥିଲି ପ୍ରତିଛବି ତୁମ
ଅଜାଣତେ କେବେ ଥରେ ॥
ପ୍ରଥମ ପ୍ରେମର ଲକ୍ଷଣ ଗୁଡ଼ିକ
ହୋଇଥିଲା ପ୍ରକଟିତ
ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ
ଶୁଣିଲି ପ୍ରେମ ସଙ୍ଗୀତ ॥
ଆଖିରେ ଆଖିରେ ହୋଇଥିଲା ପ୍ରେମ
ଆଜି ବି ଲାଗେ ଜୀବନ୍ତ
ଆଖିର କଥାକୁ ଓଠ କହିଦେଇ
ହୋଇଥିଲା ଭୟଭୀତ ॥
ଈଶାରାରେ ତୁମେ ପ୍ରତ୍ୟୁତ୍ତର ଦେଲ
ଆରମ୍ଭ ହୋଇଲା ପ୍ରେମ
ସବୁଠୁ ନିଆରା ଅନୁଭୂତି ଥିଲା
ଆଙ୍କିଲ ଯେବେ ଚୁମ୍ବନ ॥
ପ୍ରେମ ନଅରରେ ଫୁଟିଲା ଶେଫାଳି
ବିହଙ୍ଗ ସାଜିଲେ ଆମେ
ଝରି ପଡୁଥିଲା ମଧୁର ମୂର୍ଚ୍ଛନା
କୋଇଲିର କୁହୁତାନେ ॥
ପ୍ରେମରେ ଆମର ଲାଗିଲା ନଜର
ବାଧାଦେଲା ପରିସ୍ଥିତି
ପୂର୍ଣ୍ଣମୀ ଇନ୍ଦୁଟା ବାଦଲରେ ଲୁଚି
ସାଜିଲା ଉଆଁସ ରାତି ॥
ତୁମେ ହୋଇଗଲ ଆଉକାହା ବଧୂ
ସିନ୍ଦୂର ମୁଁ ଆଉକାର
ଅଲଗା ହେବାଟା ଲେଖାଥିଲା ବୋଧେ
ଖେଳ ଇଏ ବିଧାତାର ॥
ବିତି ତ ଯାଇଛି ଅନେକ ମୁହୂର୍ତ୍ତ
ସ୍ମୃତି ଏବେ ଇତିହାସ
ଋତୁ ପରି ସବୁ ବଦଳି ଯାଇଛି
ନାହିଁ ଆଉ ସେ ବୟସ ॥
ହୃଦୟ କୋଣରେ ଆଜିବି ରହିଛ
ସାଜିଛ ପ୍ରେରଣା ଉତ୍ସ
ମରୁଭୂମି ଦେହେ ଜଳବିନ୍ଦୁ ପରି
ମେଣ୍ଟାଇ ଦେଉଛ ଶୋଷ ॥
ଢାଙ୍କିହେଲେ କେବେ ଏ ମନ ଆକାଶେ
କଳା ବାଦଲର ଛାଇ
ତୁମ ସ୍ମୃତି ସାଜେ ନିର୍ମଳ ଗଗନ
ଇନ୍ଦ୍ରଧନୁ ଆଙ୍କିଦେଇ ॥
– ପ୍ରଶାନ୍ତ କୁମାର ପଧାନ
Comments
ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।