ସନ୍ଧ୍ୟାର ଗୋଲାପୀ ଆଭାରେ,
ଆଜି କାଲି, ଏକ ପ୍ରକାର ଶୂନ୍ୟତା,
ଚଉଁରା ଭରିବାକୁ ଲାଗିଛି ଯେମିତି !
ମହମହ ବାସୁଥିବା ଝୁଣା ଧୂପ,
ଆଉ ସ୍ଥିର ଜଳୁଥିବା ଉଷ୍ମ ସଞ୍ଜବତୀ,
ଆଉ ପିମ୍ପୁଡ଼ି ପ୍ରସାଦରେ,
ଜାଗୃତ ହେଉଥିବା ଚଉଁରା,
ମୂକ କିନ୍ତୁ ଆଜି,
ସ୍ପର୍ଶ ବିନା ନୂଆ ବୋଉର !
ସତରେ କ’ଣ ଚଉଁରା ମୂଳ,
ଆଉ କେବେ ତୋଳିବନି,
କାଚ ଚୁଡ଼ିର ଝଙ୍କାର?
ସତରେ କ’ଣ,
ଦୂର ଦୂରାନ୍ତରେ ଜନ୍ମିଥିବା,
ଅଦୃଶ୍ୟ କଣିକାଟିଏ,
ଲୋପ କରି ପାରେ,
ମୋ ପଲ୍ଲୀ ଜୀବନର ମୂର୍ଚ୍ଛନା !
– ରଞ୍ଜିତ କୁମାର ସାହୁ
Comments
ରଞ୍ଜିତ କୁମାର ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ଗପ କବିତା ଆଦି ରଚନା କରନ୍ତି ।