ରକତ ଛିଟାରେ ଧୋଇଦେଇ ମାଟି
କରି ମାଆ କୋଳ ଶୂନ୍ୟ ।
ଶ୍ୟନ୍ୟ ସରଗରେ ରହିଗଲ ତୁମେ
କରି କୋଟି ଜନ୍ମ ପାଇଁ ପୁଣ୍ୟ ॥
ପୋଛି ପୋଛି ଲୁହ ପଣତ କାନିରେ
ସରୁ ନାହିଁ ଆଖି ଲୁହ ।
କାନ୍ଦୁଛି ବାହୁନି, ମୋ ଜନନୀ ଆଜି
ଚାଲିଗଲେ ସୁନା ପୁଅ ॥
ପିତା ଖୋଜେ ପୁତ୍ର, ମାତା ଖୋଜେ ଧନ
ଭଉଣୀ ତା ସ୍ନେହି ଭାଇକୁ ।
ପତ୍ନୀ ଝୁରି ଦେବ, ତା ପ୍ରିୟତମକୁ
ଦେଶ, ଗାଁ ମାଟି ତା ବରୀକୁ ॥
କାନ୍ଦେ ଏବେ ସବୁ ବୃକ୍ଷ-ଚାରୁଲତା
ଚାପି କୋହ ବୁକୁ ତଳେ ।
ଭାଙ୍ଗିଦେଲ ଆଜି ଆମ ନିରବତା
ହୃଦୟ କ୍ରୋଧରେ ଜଳେ ॥
ଚରମ ସୀମାରେ ରହିଲେଣି ଦୁଷ୍ଟ
ଭୁଲି ତାଙ୍କ ମାନବିକତା ।
ଆଉ ସହିବେନି ଏ ମାଟିର ବୀର
ପୋଛି ଦେବ ତାଙ୍କ ସତ୍ତା ॥
ବାରୁଦ ବଦଳେ ବାରୁଦ ତ ଦେବ
ଜବାବ ରୁହ ହେ ନିଷ୍ଠୁର ।
ପ୍ରତିଶୋଧ ନିଆଁ ଜଳୁଛି ହୃଦୟେ
ନାହିଁ ଏବେ ତୁମ ନିସ୍ତାର ॥
ନିଜ ସ୍ୱାର୍ଥ ପାଇଁ, ନୁହେଁ ତ ଜୀବନ
ଜାତି ଉଦ୍ଦେଶ୍ୟରେ ଦେଇ ।
ରହିଗଲ ତୁମେ ସବୁ ମନ-ପ୍ରାଣେ ।
ବୀର ସହିଦର ଗାଥା ଗାଇ ॥
ବ୍ୟର୍ଥ ଯିବନି ତୁମ, ବଳିଦାନ ବୀର
ରଖିବୁ ତୁମର ମହତ ।
ଖେଳିବୁ ରକତେ, ଦବୁ ପଛେ ପ୍ରାଣ
ଦେଖିବ ଆଜି ଏ ଜଗତ ॥
– ପିଙ୍କୁଆ ବେହେରା
Comments
ପିଙ୍କୁଆ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।