ପ୍ରଥମ ପରଶେ ଯା’ର
ପୁଲ୍ଲକିତ ହିଆ,
ବକ୍ଷକୁ ଜାବୁଡ଼ି ଧରି
ଦେଖିଲି ଦୁନିଆ ।
ବକ୍ଷାମୃତ ପିଇ ଡାକ
ଦେଲି କୁଆଁ କୁଆଁ,
କାହାକୁ ଜାଣିନଥିଲି
ଥିଲି ନୂଆଁ ନୂଆଁ ।
ଚିହ୍ନାଇଲ ହେ ମା’ ଦୁର୍ଗା
ଇଏ ତୋ’ର ମାଆ…
ଇଏ ତୋ’ର ମାଆ,
ଯା’ର ଛାଇ ତଳେ ରହି
ଦେଖିବୁ ଦୁନିଆ ।
ପ୍ରତିବର୍ଷ ମାଆ ମୋର
ଦୂର୍ଗାପୂଜା କରେ,
ଘରେ ପୂଜା କରେ ପୁଣି,
କରେ ମଣ୍ଡପରେ ।
ବୁଲାଇ ବୁଲାଇ ଆଣେ
ଯେତେ ଥିଲେ ରୁଣ୍ଡ,
ସବୁଠାରେ ପିଟୁଥାଏ
ଧରି ମୋର ମୁଣ୍ଡ ।
ବର୍ଷ ସାରା ପୂଜୁଥାଏ
ସେହି ଏକା ଦେବୀ,
କହୁଥାଏ କାଳୀ, ଷଠୀ
ଅବା ବନଦେବୀ ।
ହସି ହସି ପଚାରିଲି
ଏହା କି ବିଚିତ୍ର,
ସବୁତକ ଏକା-କହୁ
ଅଲଗା ଚରିତ୍ର ।
ମାଆ ମୋର ରାଗେ କହେ
କର ପାଟି ଚୁପ,
ଏହି ସବୁ ମାଆଙ୍କର
ଭିନ୍ନ ଭିନ୍ନ ରୂପ ।
ମୁଁ ମାଆ ମୋର ଦେହ
ପାର୍ଥିବ ଶରୀର,
କରିଦେବି ଦିନେ ଏକା
ହୋଇଯିବି ଦୂର ।
ଦୂର୍ଗା ମାଆ ତୋର ସାହା
ଥିବେ କାଳ କାଳ,
ଯେତେ ଦିନ ରହିଥିବେ
ସୂର୍ଯ୍ୟ ଓ ଚନ୍ଦର ।
ମୁହିଁ ମାଆ ତତେ ଜନ୍ମ
ଦେଇ ଅଛି ସତ,
ବିଶ୍ଵର ସବୁ ବସ୍ତୁକୁ
ଜନ୍ମିଛନ୍ତି ମାତ ।
ମାତୃ କୃପା ବଳେ ସୃଷ୍ଟି
ଏ ବିଶ୍ଵ ବ୍ରହ୍ମାଣ୍ଡ,
ମାତା ଯଦି କୋପ କଲେ
ହେବ ଖଣ୍ଡ ଖଣ୍ଡ ।
ଦିନେ ତୁମେ ଚିହ୍ନାଇଲ
ଇଏ ତୋର ମାଆ,
ସିଏ ଚିହ୍ନାଇଲା ତୁମେ
ସଭିଙ୍କର ମାଆ ।
ମାଆ – ମାଆ ଭିନ୍ନତାକୁ
ବୁଝିଲା ବେଳକୁ,
ମାଆ ମୋର ଚାଲିଗଲା
ଦୂରକୁ ଦୂରକୁ ।
ମାଆ କଥା ଆଜି ମୋର
ହୋଇଗଲା ସତ,
ମୋର ସାହା ଆଜିଠାରୁ
ତୁ ଜଗତ ମାତ ।
ମାଆ ମୋର କହୁଥିଲା
ତୁ କୁଆଡ଼େ ପରା,
ମାରିଥିଲୁ ରାକ୍ଷସଙ୍କୁ
ରଖିଥିଲୁ ଧରା ।
ଆଜି ମୋ ଦେଶକୁ ଗ୍ରାସେ
କରୋନା ରାକ୍ଷସ,
ସହସ୍ର ଭୁଜାକୁ ମେଲି
କରେ ତା’ ବିନାଶ ।
– କୁନା କୁମାର ଦାଶ
Comments
କୁନା କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।