ମୋର କଥା କଥାକେ ରାଗିଯିବା,
ଆଉ ସେ ମତେ କଳେଇନେଇ ବୁଝେଇବା…
ମତେ ଭଲଲାଗେ ।
ଏବେ ପଚାରିବନି କାହିଁକି ରାଗେ ।
ସେ ଲଗାମଛଡ଼ା ହୋଇ ଗାଡ଼ି ଚଲେଇଲେ,
ମୁଁ ତାଙ୍କ ଉପରେ ରାଗେ !
ବାରମ୍ବାର ତାଗିତ୍ କରି କହେ,
“ହେଇ ! ଗାଡ଼ି ଧୀରେ ଚଲେଇବ ।” କିନ୍ତୁ ନା
ରାସ୍ତାଟା ତାଙ୍କ ପାଇଁ ଆକାଶ
ଆଉ ଗାଡ଼ିଟା ଗୋଟେ ଚଢ଼େଇ
କ୍ଷୀପ୍ର ଗତିରେ ଉଡ଼ିବ ହିଁ ଉଡ଼ିବ ।
ସେ କ’ଣ ବୁଝନ୍ତି କି?
ନ୍ୟୁଜରେ ଦୁର୍ଘଟଣାର ଚିତ୍ର ଦେଖି
ଜଣେ ଗୃହିଣୀର ଛାତିଥରେ !
ସେ ଘରକୁ ଡେରିରେ ଫେରିଲେ,
ମୁଁ ତାଙ୍କ ଉପରେ ରାଗେ !
“ଆସିଲେ କି ସେ?
କଲିଙ୍ଗ୍ ବେଲ୍ ବାଜିଲା କି?
ଏତେ ଡେରି ହେଲାଣି…
କୋଉଠି ରହିଗଲେ?
କିଛି ଅସୁବିଧା ହେଲା କି ଆଉ?”
ଗୁଣୁଗୁଣୁ ହେଇ ରୋଷେଇ ଘରୁ
ଦାଣ୍ଡ ପର୍ଯ୍ୟନ୍ତ ଯାଉଥାଏ ଆସୁଥାଏ ।
ହେଲେ ସେ କ’ଣ ଜାଣନ୍ତି?
ତାଙ୍କ ଅର୍ଦ୍ଧାଙ୍ଗିନୀ ତାଙ୍କୁ ମୂହୁର୍ତ୍ତେ
ନଦେଖି ପାଗଳିନୀ ହୋଇ ଘୂରୁଥାଏ ।
ସେ ଖାଇବା ଟେବୁଲରୁ ଅଧା ଖାଇ ଉଠିଗଲେ,
ମୁଁ ତାଙ୍କ ଉପରେ ରାଗେ !
ବଡ଼ ଅଜବ ଲୋକ ଜଣେ ସେ,
ଜାଣେ ବାହାରେ ତ ପେଟପୂରା ଖାଇବେନି,
ଅଥଚ ତରତର ହୋଇ କ’ଣ ଟିକେ
ଖାଇବେ କି ନାଇଁ ଚାଲିଯିବେ ।
ସେ କ’ଣ ଭାବନ୍ତି କି??
ସେ ପେଟପୂରା ନଖାଇଲେ
ମୋର ଭୋକଶୋସ ଉଡ଼ିଯାଏ ।
ସେ ମୋ ଆଗେ କିଛି କଥା ଲୁଚାଇଲେ,
ମୁଁ ତାଙ୍କ ଉପରେ ରାଗେ !
ମତେ କହିବନି ଆଉ କାହାକୁ କହିବ?
ପଚାରିଲେ କହିବେ, କିଛିନାଇଁ…
ସେ କ’ଣ ଶୁଣନ୍ତି ଯେ
ସେ ଦୁଃଖରେ ରହିଲେ
ମୋର ସବୁ ସୁଖ ହଜିଯାଏ !
– ଚନ୍ଦ୍ରକାନ୍ତି ପ୍ରଧାନ
Comments
ଚନ୍ଦ୍ରକାନ୍ତି ପ୍ରଧାନ ଜଣେ ନର୍ସିଂ ଛାତ୍ରୀ । ସେ ଓଡ଼ିଆରେ ପ୍ରେମ ଭିତ୍ତିକ ଗଳ୍ପ, କବିତା ଏବଂ ଛୋଟଛୋଟ ରଚନାମାନ କରିଥାନ୍ତି ।