ତୁଠ ପଥରଟା କାନ୍ଦୁଛି

Tutha Patharata Kanduchi

ଆଛା, ଜାଣିଛ ନା,
ତୁମ ଗାଁ ପୋଖରୀ ତୁଠରେ
ତୁଠ ପଥରଟା କାନ୍ଦୁଛି…॥

କାନ୍ଦିବ ନାହିଁ କେମିତି ଯେ,
ତୁମେ ଚାଲିଯିବ କାହାର
ସାଧବବୋହୂ ହୋଇ
ତା’ଠାରୁ ବହୁ ଦୂରକୁ…॥

ସବୁକିଛି ଛାଡ଼ିଦେଇ ଚାଲିଯିବ
କେଉଁ ଏକ ଅଜଣା ଗାଆଁକୁ
ଗୋଟେ ବିଦେଶୀର ହାତ ଧରି…॥

ପାଇବନି ବୋଲି ତୁମ ପାଦ ସ୍ପର୍ଶ
ଏବେଠୁ ଗୁମୁରି ଗୁମୁରି କାନ୍ଦୁଛି
ଝୁରିହେଉଚି ସେ ସବୁ ସମୟ
ଯାହା କାଟୁଥିଲା ସେ ସବୁ ଦିନ
ତୁମ ସହ ଅନ୍ତରଙ୍ଗର
କିଛି ଅଭୁଲା ମୁହୂର୍ତ୍ତ…॥

ବିନତି କରି କହୁଚି,
ଚାଲିଯିବା ଆଗରୁ ତାକୁ
ସମୁଦ୍ରରେ ଫିଙ୍ଗି ଦିଅ
ଅବା ହାତୁଡ଼ିରେ ପିଟି
ଭାଙ୍ଗି ଦିଅ ଖଣ୍ଡ ଖଣ୍ଡ କରି…॥

ହେଲେ, ମୁଁ କ’ଣ କରିବି ଯେ
ଆଜି ତୁଠକୁ ଗଲାବେଳେ
ପଥରଟି ଅଭିମାନରେ
ଏତେ କଥା ସବୁ ବଖାଣି ଦେଲା…॥

ଆଉ କହିଲା, ବାବୁ,
ତାକୁ ଟିକେ ମୋ ତରଫରୁ
ଶୁଭ ପରିଣୟର ଲୁହ ଭିଜା
ଶୁଭେଚ୍ଛା ଜଣାଇ ଦେବ…॥

ବାସ୍, ଏମିତି…
ତା’ କଥାକୁ ତୁମ ପାଇଁ
କଲମ ମୁନରେ ଉତ୍ତାରି ଦେଲି…॥

– ସନାତନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...