ଭଙ୍ଗା ଘରଟିଏ ପରି ହୃଦୟ ଏ ଯେବେ ଥିଲା,
ସେବେ ତୁମ ସଙ୍ଗେ ମୋର ଦେଖା ହୋଇଥିଲା ।
ପ୍ରଥମ ଦେଖାରେ ଯେବେ ହୋଇଥିଲା ପ୍ରେମ,
ତୁମେ ଦେଇଥିଲ ସେଇ ପ୍ରେମକୁ ଯେ ନାମ ॥
କାହିଁ କେତେ ଯୁଗରୁ ଯେ ପ୍ରତୀକ୍ଷା ଏ ଥିଲା,
କେବଳ ତୁମକୁ ଏଇ ମନ ଖୋଜୁଥିଲା ।
ତୁମଠୁ ଆରମ୍ଭ ମୋର ପ୍ରେମର ଠିକଣା,
ଏଇ ଛାତିତଳେ ଲେଖା କେବଳ ତୁମ ନାଆଁ ॥
ମୋ ଜୀବନ ନଉକାରେ ତୁମେ ଯେ ନାଉରୀ,
ମୋ ପ୍ରେମ ଝୁଡ଼ିରେ ତୁମେ ପୂଜା ଫୁଲ ପରି ।
ଯେବେଯେବେ ଆସ ତୁମେ ମୋ ସ୍ୱପ୍ନ ରାଇଜେ,
ବରଷାରେ ପତ୍ରପରି ମନ ମୋର ଭିଜେ ॥
ତୁମ ସୌନ୍ଦର୍ଯ୍ୟ ଆଗରେ ମୟୂର ଝାଉଁଳେ,
ତୁମର ଜୋତ୍ସ୍ନା ଆଭାରେ ଥୁଣ୍ଟା ବି କଅଁଳେ ।
ବିଶ୍ୱାସ ଓ ଭରସାର ତୁମେ ଯେ ସାଗର,
ସେ ସାଗର ତରଙ୍ଗରେ ଏ ମନ ଅଧିର ॥
ତୁମ ପାଇଁ ଲେଖା ମୋର ଏ ପ୍ରେମ କବିତା,
ଫୁଲବଗିଚା ପରି ଏ କବିତା ବର୍ଣ୍ଣିତା ।
ଝରଣାର ପାଣି ପରି ଶୀତଳ ଯେ ତୁମେ,
ତୁମ ଶୀତଳତା ସଙ୍ଗେ ମନ ମୋର ଝୁମେ ॥
– ଯଜ୍ଞେଶ କୁମାର ରାଉତ
Comments
ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।