ପ୍ରଣୟ ୠତୁ

Pranaya Rutu

ନବବଧୂ ସାଜି ଆସିଛ ଜୀବନେ
ଢାଳୁଛ ପ୍ରୀତିର ବନ୍ୟା
ଲାଗୁଛି ଯେମିତି ଜହ୍ନ ମୋ ବାହୁରେ
ଅଙ୍ଗେ ଅଙ୍ଗେ ଲାଗେ ନିଆଁ ॥

ନିଦଚୋରୀ କରେ ପାଦର ପାଉଁଜି
ରୁଣୁଝୁଣୁ ଶବ୍ଦ କରି
ସତେକି ଯେମିତି ସୁରିଲା ବଇଁଶୀ
ବାଜୁଅଛି ଥିରିଥିରି ॥

କାନର ଝୁମୁକା ବଢ଼ାଏ ସ୍ପନ୍ଦନ
ନିଃଶବ୍ଦ ଏ ରଜନୀରେ
ଭ୍ରମ ସୃଷ୍ଟିକରେ ବର୍ଷାଟୋପା କିବା
ଲୋଟୁଅଛି ଧରଣୀରେ ॥

ଦେହର ମହକ କରେ ଶିହରୀତ
ଅପୂର୍ବ ତା’ ସୁବାସରେ
ସ୍ୱର୍ଗ ଛାଡ଼ି ବୋଧେ ପାରିଜାତ ପୁଷ୍ପ
ଫୁଟିଛି ମୋ ଅଗଣାରେ ॥

ଅଧରରେ ହସ କରାଏ ବେହୋସ
ସାଜଇ ସେ ମଧୁଶାଳା
ମଦିରାର ବାସ୍ନା ଅବା ସେ ମାଦକ
କରିଦିଏ ମତୁଆଲା ॥

ହାତରେ ତୁମର ଚୁଡ଼ିର ଝଙ୍କାର
କରିଦିଏ ବାଟବଣା
ତାଳଳୟ ସାଥେ ଅବେଳରେ କିଏ
ବଜାଉଛି ବୋଧେ ବୀଣା ॥

ଆଖିର କଜଳ କରେ ସମ୍ମୋହନ
ପ୍ରଣୟ ଋତୁଟେ ପରି
କଳାମେଘ ସତେ ଗଗନକୁ ଛାଡ଼ି
ଓହ୍ଲେଇଛି ମର୍ତ୍ତ୍ୟପୁରୀ ॥

ଉପାସକ ମୁଁ ଗୋ ତୁମ ସୌନ୍ଦର୍ଯ୍ୟର
କରୁଅଛି ପ୍ରେମ ଭିକ୍ଷା
ଅନୁମତି ଦିଅ ଲଙ୍ଘିଯିବା ପାଇଁ
ଅଛି ଯେତେ ସୀମାରେଖା ॥

ପ୍ରଶାନ୍ତ କୁମାର ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...