ଭିଜା ଗୋଲାପର ବାର୍ତ୍ତା

bhija-golapara-barta

କାଲି ରାତି ପୁଣି ବରଷିଛି ମେଘ,
କାଲି ରାତି ପରା ଭିଜିଛି ଶେଯ !!
ସିୟାହି ଝରିନି କଲମରୁ କାଲି,
ତଥାପି ଭିଜିଛି ମନ କାଗଜ !

ଲେଖିବି କାହିଁକି ଲେଖିବି କେମିତି,
ବୁଡ଼ୁଛି ଖାଲି ପ୍ରେମ ଜୁଆରରେ ।
ତଥାପି ମୁଁ ତୃଷା ତୀବ୍ର ବୈଶାଖର,
ତୁ ବନ୍ଦୀନି ତୋ’ ଚାରି ଦୁଆରରେ ।

ତା’ ବାଦେ ରହିଛି ଅନେକ ପ୍ରାଚୀର
ପ୍ରେମ ପଥେ ପରା କଣ୍ଟକ ଭରା ।
ଶାଖାରେ ଫୁଟିବା ଥିଲା ଗୋଲାପଟି,
ଭିଜିଛି ମୋ ସାଥେ ସେ ରାତି ସାରା ।

ମୁକ୍ତ ହୋଇଗଲେ ଦେହଟି କି ହେବ,
ମନ ଉଡ଼େନି ଯଦି ମନର ସାଥିରେ?
ମୋ ଲାଗି ହୋଇବ କଣ୍ଟାର ପଲଙ୍କ,
ରେଶମର ଶେଜ ବାସର ରାତିରେ ।

ଭୁଲିବୁ ଯେବେତୁ ଦୁନିଆ ଲାଜକୁ,
ଖୋଲିବୁ ଯେବେତୁ ହୃଦୟ ତୋ’ର,
ଦେଖିବୁ ଜାଣିବୁ ଗୋଲାପ ଦେହରେ,
ବର୍ଷା ନୁହେଁ ତାହା ଲୋତକ ମୋର ।

ରଞ୍ଜିତ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...