ଆଜିର ଆଳାପରେ ଆମ ସହ ଯିଏ ଅଛନ୍ତି, ତାଙ୍କ ବିଷୟରେ କେବଳ ଏତିକି କହି ହେବ କି, ସେ ରଙ୍ଗୀନ ଦୁନିଆରେ ପ୍ରାୟ ସବୁକିଛି କରନ୍ତି । ଓଡ଼ିଆ କଥାଚିତ୍ର କି ଦୂରଦର୍ଶନ ଜଗତରେ ଏମିତି କିଛି କାମ ନାହିଁ ଯାହାକି ସେ କରିନାହାନ୍ତି । ସେ ଏକଧାରାରେ ଜଣେ ଉପସ୍ଥାପିକା, ମଡେଲ, ଅଭିନେତ୍ରୀ, ନର୍ତ୍ତକୀ । ଏଥିସହିତ ସେ ଧାରଣ କରିଛନ୍ତି ଗୌରବମୟ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ର ମୁକୁଟ । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ପୁପୁଲ ଭୂୟାଁ । ଆସନ୍ତୁ ତାଙ୍କ ବିଷୟରେ ଆଉ କିଛି ଅଧିକ କଥା ଜାଣିବା ।
ନମସ୍କାର ଆଜ୍ଞା । ଆମର ଆଳାପର ଏହି ଅଗଣାକୁ ଆପଣଙ୍କୁ ସ୍ୱାଗତ କରୁଛି । ପ୍ରଥମତଃ ଆପଣଙ୍କୁ ଆପଣଙ୍କର ସଫଳତା ପାଇଁ ଅଭିନନ୍ଦନ ଏବଂ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ପାଇଁ ଆଉଥରେ ଗୋଟିଏ ବଡ଼ ଅଭିନନ୍ଦନ । ଏମିତି ଅଭିନନ୍ଦନ ଦେଉଥିଲେ ଆପଣଙ୍କ ପାଇଁ ତ ଶେଷ ହେବନି, ତେଣୁ କିଛି କଥାବାର୍ତ୍ତା କରିନେବା । ଗୁରୁଙ୍କୁ କିଛି ଶିକ୍ଷା ଦେବା ଯେମିତି କଷ୍ଟ, ସେମିତି ଆପଣଙ୍କ ଭଳି ଜଣେ ଲୋକଙ୍କୁ ପ୍ରଶ୍ନ କରିବା ମୋର ଦ୍ୱାରା ସମ୍ଭବ ନୁହେଁ କହିଲେ ଚଳେ । ଲାଇଭ୍ ସୋ’ରେ ଯିଏ ପ୍ରଶ୍ନ କରି ଉତ୍ତର କାର୍ଯ୍ୟକ୍ରମର ଉପସ୍ଥାପନା କରନ୍ତି, ତାଙ୍କୁ ପ୍ରଶ୍ନ ପଚାରିବାର ସାହାସ କରୁଛି । କିଛି ଭୁଲ ହେଇଗଲେ କ୍ଷମା କରିବେ ବୋଲି ଆଗରୁ ଅନୁରୋଧ ରଖି ଆରମ୍ଭ କରୁଛି ।
୧- ଆପଣ ତ ଅନେକ କିଛି କାର୍ଯ୍ୟ କରିଛନ୍ତି, କରୁଛନ୍ତି ଏବଂ କରିବେ ମଧ୍ୟ । ତେଣୁ ମୁଁ କାହା ଉପରେ ପ୍ରଶ୍ନ ଆଗ ପଚାରିବି ସେ କଥା ବହୁତ ଭାବିଲା ପରେ ଶେଷରେ ପ୍ରଥମ ପ୍ରଶ୍ନ ଏହା ରଖିବି ଯେ, ଆପଣକୁ ଏହି ରଙ୍ଗିନ ଦୁନିଆରେ କାମ କରିବାର ଇଚ୍ଛା କେବେଠାରୁ ହେଲା ଆଉ କେମିତି ଆରମ୍ଭ ହୋଇଥିଲା ଆପଣଙ୍କର ପ୍ରଥମ ଉପସ୍ଥାପନା କାର୍ଯ୍ୟ??
ସେମିତି ଦେଖିବାକୁ ଗଲେ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ କି ରଙ୍ଗୀନ ଦୁନିଆରେ କାମ କରିବା ପାଇଁ, ଟିଭିରେ ଅଭିନୟ କରିବା ପାଇଁ, ନାୟିକାଟିଏ ହେବାପାଇଁ, ମେକ୍ଅପ୍ ଲଗେଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ । ଏଇଟା ସବୁ ଝିଅଙ୍କର ଇଚ୍ଛା ଥାଏ, ଆଉ ମୁଁ ତା’ଠାରୁ କିଛି ଅଲଗା ନୁହେଁ । ଆଉ ବାକି ରହିଲା ମୋର ପ୍ରଥମ କାର୍ଯ୍ୟ, ମୋର +୨ ଫାଇନା୍ଲ ଇଅର୍ ପରୀକ୍ଷା ସରିବା ପରେ ପରେ ପ୍ରଥମେ ମୋତେ ଗୋଟିଏ ଷ୍ଟେଜ୍ ସୋ ହୋଷ୍ଟ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଜଣେ ଉପସ୍ଥାପିକା ଭାବରେ ମୁଁ ସେଇଠୁ ହିଁ ମୋର ଏହି ଯାତ୍ରା ଆରମ୍ଭ କରିଥିଲି ଆଉ ତା’ ପରେ ପରେ ଜଣେ ମଡେଲ ଭାବରେ ମୁଁ ବିଭିନ୍ନ ରାମ୍ପ ୱାକ୍ କରିଛି ଆଉ ସେହି ସମୟରେ ମୋତେ ଓଡ଼ିଆ କଥାଚିତ୍ର କାଉଁରୀ କନ୍ୟାରେ ନାୟିକା ଭାବରେ କାମ କରିବାପାଇଁ ସୁଯୋଗ ମିଳିଥିଲା ।
୨- ଆପଣ ତ ଅନେକ କାର୍ଯ୍ୟକ୍ରମରେ, ଲାଇଭ୍ ଷ୍ଟେଜ୍ ସୋ’ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଛନ୍ତି । କିନ୍ତୁ ଏମିତି କିଛି ଅନୁଭୂତି ଅଛି କି, ଯେଉଁଠି ଆପଣଙ୍କୁ ଡର ଲାଗିଥିବ? ମନରେ ଆସିଥିଲା କି କାଳେ କିଛି ଭୁଲ ହେଇଯିବ ।
ହଁ ଡର ତ ବହୁତ ଲାଗିଛି, କିନ୍ତୁ ପ୍ରଥମଦିନ ଯେବେ ମୁଁ ମଞ୍ଚକୁ ଜଣେ ଉପସ୍ଥାପିକା ଭାବରେ ଚଢ଼ିଥିଲି, ସେଦିନ ମୋ ଜୀବନରେ ସବୁଠାରୁ ବେଶି ଡର ଲାଗିଥିଲା । ମୁଁ ସେତେବେଳେ ବହୁତ ଛୋଟ ଥିଲି ଆଉ ଜଣେ ଦିଦି ମୋତେ ଦୁଇ ଧାଡ଼ି ଶିଖେଇକି ମଞ୍ଚରେ ଯାଇକି କହିବାକୁ କହିଥିଲେ । ସେତେବେଳେ ମୁଁ ଡରରେ ମଞ୍ଚରେ କ’ଣ କହୁଥିଲି ଆଉ କେମିତି କହୁଥିଲି, ମୋତେ ଜଣାପଡ଼ୁନଥିଲା । ତେଣୁ ପ୍ରଥମ ଅଭିଜ୍ଞତା ମୋର ଥିଲା ଦର୍ଶକଙ୍କଠାରୁ ଗାଳି । ଏବେ ତ ମୁଁ ଯେଉଁ କାର୍ଯ୍ୟକ୍ରମକୁ ଯାଉଛି, ସେ ବିଷୟରେ ଭଲରେ ଜାଣିକି ଯାଉଛି, କିନ୍ତୁ ପ୍ରଥମେ ପ୍ରଥମେ ଟିକିଏ ଅସୁବିଧା ହେଉଥିଲା, ସେଇଥିପାଇଁ ମୁଁ ଦର୍ଶକ, ଆୟୋଜକ, ପ୍ରାୟ ସମସ୍ତଙ୍କଠାରୁ ଗାଳି ଶୁଣିଛି । ହେଲେ ସେ ଧୀରେ ଧୀରେ ହିଁ ମୁଁ ଶିଖିଛି । ଜୀବନରେ ଏମିତି ଅନେକଥର ଡର ଲାଗିଛି, ହେଲେ ସେ ସବୁ ମୋର ଏହି ଯାତ୍ରପଥରେ କେବେ ବାଧା ଦେଇନାହିଁ ।
୩- ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିବା ପ୍ରଥମ 3D ଚଳଚ୍ଚିତ୍ରରେ ଆପଣ ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଯେତେବେଳେ ଆପଣଙ୍କୁ ଏହି ସୁଯୋଗ ମିଳିଥିଲା, ସେତେବେଳେ ଆପଣଙ୍କର ପ୍ରତିକ୍ରିୟ କ’ଣ ଥିଲା?
ପ୍ରଥମ 3D କଥାଚିତ୍ରର ନାୟିକା ମାନେ, ଇତିହାସରେ ଏହା ଲିପିବଦ୍ଧ ହେଇଗଲା । ମୋତେ ସେଠାରେ ଅଡ଼ିସନ୍ ଦେବାକୁ ପଡ଼ିଥିଲା, ତା’ପରେ ମୁଁ ସେହି ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲି । ଏହି ଚଳଚ୍ଚିତ୍ରରର ନିର୍ଦ୍ଦେଶକ ସୌମ୍ୟ ପ୍ରଥମେ ମୋତେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ଦେଖିଥିଲେ ଆଉ ସେତେବେଳେ ସେ ଖୋଜୁଥିବା ଏକ ଗାଉଁଲି ଝିଅର ଚରିତ୍ର ପାଇଁ ମୋ ମୁହଁ ତାଙ୍କର ପସନ୍ଦ ଆସିଥିଲା, ତେଣୁ ସେ ମୋତେ ଅଡ଼ିସନ୍ ପାଇଁ ଡାକିଥିଲେ । ଆଉ ଅଡ଼ିସନ୍ ପରେ କଥାଚିତ୍ରଟି ତିଆରି ହେଇଗଲା, ମାତ୍ର ସୁଟିଂ ସରିବାର ଦୁଇବର୍ଷ ପରେ ମୁକ୍ତିଲାଭ କରିଥିଲା ଆଉ ସୁଟିଂବେଳେ ମୁଁ ବହୁତ ଛୋଟ ଥିଲି ।
୪- ଅଭିନୟ ଆଉ ଉପସ୍ଥାପନା ଭିତରେ ଆପଣଙ୍କୁ କେଉଁଟି ଅଧିକ ଭଲ ଲାଗେ, ଆଉ କାହିଁକି?
ଅଭିନୟ ଆଉ ଉପସ୍ଥାପନା ଭିତରେ ମୁଁ କାହାକୁ ଅଲଗା କରିପାରିବିନି, କାରଣ ଏହି ଦୁଇଟାଯାକ ମୋତେ ବହୁତ ଭଲ ଲାଗେ । କିନ୍ତୁ ଉପସ୍ଥାପନାରେ ମୋର ଅଭିଜ୍ଞତା ଏତେ ବର୍ଷ ଭିତରେ ନିଶ୍ଚୟ ବଢ଼ିଗଲାଣି, ତେଣୁ ଜଣେ ଉପସ୍ଥାପନା ପାଇଁ ମୋତେ ଆଉ ସେତେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ୁନାହିଁ, ବହୁତ ସହଜରେ ସେ କାର୍ଯ୍ୟଟି ତୁଲେଇ ହୁଏ । ହେଲେ ଯଦି ଅଭିନୟ ବିଷୟରେ କହିବେ, ମୁଁ ଅଭିନୟ ପାଇଁ ସେମିତି କୌଣସି ପ୍ରଶିକ୍ଷଣ ନେଇନାହିଁ ଆଉ ସେତେ ଅଧିକ ଅଭିନୟ ମଧ୍ୟ କରିନାହିଁ । ସେଥିପାଇଁ ମୁଁ ଯେତେବେଳେ ଅଭିନୟ ପାଇଁ ଯାଏ, ବହୁତ ଅଭ୍ୟାସ କରିଥାଏ ଆଉ ତା’ସହିତ ସେଠାରେ ଯଦି କୌଣସି ଅଭିଜ୍ଞ କଳାକାର ଥାଆନ୍ତି, ମୁଁ ତାଙ୍କୁ ଅନେକ କଥା ପଚାରେ, ଯେମିତକି ମୁଁ ମୋର ଅଭିନୟ କ୍ଷେତ୍ରରେ ଭଲ କରିପାରିବି ।
୫- ଜଣେ ମଡେଲ ହିସାବରେ ଆପଣ ଯେତେବେ ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ଟାଇଟେଲ୍ ପାଇଁ ଯାଇଥିଲେ, ସେତେବେଳର କିଛି ଏମିତି ଅନୁଭୂତି ଅଛି କି ଯାହାକୁ ଆପଣ ଆମ ସହ ସେୟାର କରିବାକୁ ଚାହିଁବେ ।
ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ମୋ ପାଇଁ ଏକ ବଡ଼ ସଫଳତା ନିଶ୍ଚୟ । ତା’ସହିତ ମୁଁ ମୋ ଜୀବନରେ ଅନେକ ବିଫଳତା ଦେଖିଛି, ବହୁତ କଥା ଶୁଣିଛି ଆଉ ମୋର ଆରମ୍ଭରୁ ଇଚ୍ଛା ଥିଲା କି ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାପାଇଁ । କିନ୍ତୁ ପରେ ମୋର ବାହାଘର ହେଇଗଲା । ଅନେକ ଲୋକ କୁହନ୍ତି କି ବାହାଘର ପରେ ଲୋକମାନେ ଟିକିଏ Time Off ନିଅନ୍ତି । ଆଉ ସେହି ସମୟ ଭିତରେ ମୁଁ ନିଜକୁ ଆହୁରି ଉନ୍ନତ କଲି । ମୋର ଜୀବନର ଯାହା ଯାହା ସ୍ୱପ୍ନ ଥିଲା, ତାକୁ ମୁଁ ପୂରଣ କରିବାକୁ ସବୁବେଳେ ଚେଷ୍ଟା କରୁଥାଏ । ଜୀବନରେ କେବେ ହାରିବା ଶିଖିନି, ସେଇଥିପାଇଁ ବୋଧେ ମୁଁ କେଉଁଠି ହାରିନି । ମିସେସ୍ ଇଣ୍ଡିଆ ପାଇଁ ମୁଁ ପାଖାପାଖି ୮ ମାସ ଯାଏଁ କୌଣସି ମଞ୍ଚରେ ଉପସ୍ଥାପନା କରିନଥିଲି । ଏହାର କାରଣ ହେଉଛି କି, ପ୍ରାୟ ସବୁ ଉପସ୍ଥାପନା ସନ୍ଧ୍ୟାରେ ଥାଏ ଆଉ ସେହି ସମୟ ମୋର Gyming ଟାଇମ୍ ଥିଲା ଓ କିଛି ଅନ୍ୟାନ୍ୟ କ୍ଲାସ୍ ଥିଲା । ଏହି ପ୍ରତିଯୋଗୀତା ପାଇଁ ମୁଁ ଅନେକ ପରିଶ୍ରମ କରିଥିଲି ଆଉ ଏହି ସବୁ କଠିନ ପରିଶ୍ରମର ଫଳ ମିଳିଥିଲା ମୋତେ ଏହି ମୁକୁଟ ରୂପରେ ।
୬- ସର୍ବ-ଭାରତୀୟ ସ୍ତରରେ ୭୦୦ ଜଣ ବଛାବଛା ପ୍ରତିଯୋଗୀଙ୍କ ମଧ୍ୟରୁ ଯେତେବେଳେ ଆପଣଙ୍କୁ ବିଜେତା ପୁରସ୍କାର ମିଳିଲା, ସେତେବେଳେ ଆପଣଙ୍କର ପ୍ରଥମ ପ୍ରତିକ୍ରିୟା କ’ଣ ଥିଲା? ଆଉ ଏହାପରେ ଆପଣଙ୍କର ପରିବାରର ପ୍ରତିକ୍ରିୟା କେମିତି ଥିଲା?
କୌଣସି ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ବିଜୟୀ ହେଲେ ଏହା ନିଶ୍ଚୟ ମୋ ଅଞ୍ଚଳ ପାଇଁ, ମୋ ରାଜ୍ୟ ପାଇଁ ଏକ ଗର୍ବ । ସମସ୍ତେ କୁହନ୍ତି କି ଓଡ଼ିଶା ହେଉଛି ଏକ ପଛୁଆ ବର୍ଗର ରାଜ୍ୟ, କିନ୍ତୁ ଓଡ଼ିଶାରୁ ବାହାରକୁ ଯାଇଥିବା ଅନେକ ଲୋକ ବାହାରେ କେତେ ନାଁ କରିଛନ୍ତି । ଆମକୁ ପଛୁଆ ବର୍ଗ ବୋଲି ଭାବି ପୂର୍ବ ଭାରତରେ ତ ସେମାନେ ଓଡ଼ିଆରେ ଅଡ଼ିସନ୍ ହିଁ କରିନଥିଲେ । ସେଥିପାଇଁ ମୁଁ ଅନ୍ଲାଇନ୍ ଅଡ଼ିସନ୍ ଜରିଆରେ ଯାଇଥିଲି । ଅବଶ୍ୟ ଓଡ଼ିଶାରେ ସେତେଟା ଅଧିକ ସୁଯୋଗ ନଥିଲା ଏହି ପ୍ରତିଯୋଗୀତା ପାଇଁ ପ୍ରଶିକ୍ଷଣ ନେବାକୁ । ତେଣୁ ମୋତେ ଅଲ୍ଲାଇନ୍ରୁ ହିଁ ବହୁତ କିଛି ପ୍ରଶିକ୍ଷଣ ନେବାକୁ ପଡ଼ିଥିଲା, ଯେଉଁଥିପାଇଁ ଆବଶ୍ୟକତାଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏତେସବୁପରେ ଯେତେବେଳ ମୁଁ କିଛି ନେଇକି ଆସିଲି, ଏହା ମୋ ବାପାମାଅଙ୍କ ପାଇଁ ଆଉ ମୋ ପରିବାର ପାଇଁ ବହୁତ ବଡ଼ ଗର୍ବର ବିଷୟ ଥିଲା ଆଉ ସମସ୍ତେ ବହୁତ ଖୁସି ହୋଇଥିଲେ । ଏହି ପ୍ରତିଯୋଗୀତା ପାଇଁ ମୋ ସ୍ୱାମୀ ମୋତେ ସବୁଠାରୁ ବେଶି ସମର୍ଥନ କରିଥିଲେ, ବୋଧେ ମୋ ସ୍ୱାମୀ ଦୁନିଆର ଏମିତି ଜଣେ ସ୍ୱାମୀ, ଯିଏକି ତାଙ୍କ ସ୍ତ୍ରୀକୁ ଏତେ ଭଲ ପାଇବା ଦେଉଥିବେ ।
୭- ଆପଣ ଜଣେ ବିବାହତା ନାରୀ । ଦୀପ୍ଙ୍କ ବିଷୟରେ ଏବେ ଯଦି କାହାକୁ ପଚରାଯିବ, ହୁଏତ ଆପଣଙ୍କଠାରୁ ଆଉ କେହି ଅଧିକ କହିପାରିବେନି । ତେଣୁ ଆପଣଙ୍କର ବିଭାଘରର କଥା ଟିକିଏ ଯଦି ସମସ୍ତଙ୍କୁ ଜଣାଇବାକୁ ଅନୁରୋଧ ।
ସମସ୍ତଙ୍କର ବୈବାହିକ ଜୀବନରେ ଯେମିତି ହସ ଥାଏ, ଲୁହ ଥାଏ, କାନ୍ଦ ଥାଏ, ସୁବିଧା ଥାଏ, ଅସୁବିଧା ଥାଏ, ଆମର ବି ଠିକ୍ ସେମିତି । ମୋ ବାହାଘରରେ ଯଦି ସବୁଠାରୁ ଅଧିକ ଯୋଗଦାନ କାହାର ଥାଏ, ତାହା ହେଉଛି ମୋ ସ୍ୱାମୀଙ୍କର ଆଉ ଆମର ବୈବାହିକ ଜୀବନକୁ ସୁଖମୟ କରିବାର ଯଦି କାହାର ହାତ ଥାଏ, ସେ ବି ମୋ ସ୍ୱାମୀଙ୍କର । ବିବାହ ପରେ ପ୍ରଥମେ ପ୍ରଥମେ ମୋତେ ଚଳିବାର ଟିକିଏ ଅସୁବିଧା ହୋଇଥିଲା, କାରଣ ମୁଁ ଆମ ଘରେ ସବୁବେଳେ ଏକା ରହୁଥିଲି, ମୋ ଜିନିଷ ସବୁବେଳେ ମୁଁ ଏକା ହିଁ ବ୍ୟବହାର କରୁଥିଲି, କିନ୍ତୁ ବିବାହ ପରେ ଯେତେବେଳେ ଆମ ଦୁହେଁ ଏକାଠି ରହିଲୁ, ମୋତେ ସେବେଳେ ଅସୁବିଧା ହେବାକୁ ଲାଗିଲା, ହେଲେ ଦୀପ୍ ସେସବୁକୁ ଅତି ସହଜରେ ସମ୍ଭାଳି ନେଉଥିଲେ । ଆଉ ସେ ଜଣେ ଏମିତି ମଣିଷ, ଯିଏକି କେବେ ରାଗନ୍ତିନି ମୋ ଉପରେ । ମୁଁ ଯେତେ ରାଗିକି କହିଲେ ବି ସେ କେବେ ମୋ ଉପରେ ରାଗନ୍ତିନି ଆଉ ହସିକି ସବୁବେଳେ ଏମିତି ଉତ୍ତର ଦିଅନ୍ତି ଯେ, ମୋ ରାଗ ବି ଶାନ୍ତ ହେଇଯାଏ । ଆମର ବୈବାହିକ ଜୀବନ ଏକ ଦୁଇବର୍ଷରୁ ଅଧିକ ହେଲାଣି, ହେଲେ ଏବେଯାଏଁ ସେମିତି କିଛି ଅସୁବିଧା ହିଁ ହେଇନି, ସେ ଆଉ ତାଙ୍କ ପରିବାର ମୋତେ ଏକ ଭଲ ପାଇବା ଦେଇଛନ୍ତି, ଯାହାକି ସ୍ୱପ୍ନର ବାହାରେ ଥିଲା । ଏମିତି ଜଣେ ସ୍ୱାମୀ ଆଉ ପରିବାର ପାଇଁ ମୁଁ ନିଜକୁ ସୌଭାଗ୍ୟବତୀ ମନେ କରୁଛି ।
୮- ମୁଁ ଯେତିକି ଆପଣଙ୍କୁ ଜାଣିଛି କିମ୍ବା ଆପଣଙ୍କ ବିଷୟରେ ଦେଖୁଛି, ଆପଣ ପ୍ରାୟ ସମୟରେ ବିଭିନ୍ନ ସୁଟିଂରେ ଥାଆନ୍ତି, ବାହାରେ ଷ୍ଟେଜ୍ରେ ସୋ’ପାଇଁ ଯାଉଛନ୍ତି, ସାଙ୍ଗମାନଙ୍କ ସହ ଅନେକ ସମୟ ବିତାଉଛନ୍ତି ଆଉ ସର୍ବୋପରି ଆପଣ ପରିବାର ସହ ବିଭିନ୍ନ ପର୍ବାପର୍ବାଣୀରେ ମଧ୍ୟ ସମୟ ଦେଉଛନ୍ତି । ଆପଣ ପତି, ପରିବାର, କାର୍ଯ୍ୟ ସବୁକୁ କେମିତି ଏକା ସାଙ୍ଗରେ ସମ୍ଭାଳିପାରୁଛନ୍ତି?
ମୁଁ ସବୁବେଳେ ମୋ କାମ ଆଉ ପରିବାରକୁ ସମାନ ଗୁରୁତ୍ୱ ଦେଇଥାଏ, ଆଉ ଏହି କଥା ମୋତେ ମୋ ଅଜା ଶିଖେଇଛନ୍ତି । ମୁଁ ଛୋଟବେଳେ ତାଙ୍କ ସହ ଯେତିକି ସମୟ ବିତେଇଛି, ସେ ସବୁବେଳେ ଗୋଟିଏ କଥା କୁହନ୍ତି କି, “କର୍ମ ହିଁ ଭଗବାନ” ଆଉ ମୋ ବାପା ବି ଏହି କଥା କୁହନ୍ତି । ନିଜ କର୍ମକୁ ଭଗବାନ ବୋଲି ଭାବ ଆଉ ହଁ ପରିବାରକୁ କେବେ ଛାଡ଼ିବା କଥା ଭାବିବନି । ପରିବାର ପାଇଁ ସବୁବେଳେ ସମୟ ବାହାର କରି ନିଜ କର୍ମରେ ନିମଗ୍ନ ହୁଅ, ତେଣୁ ମୁଁ ମୋ ପରିବାର ପାଇଁ ସମୟ ବାହାର କରିନିଏ । ଆଉ ପର୍ବପର୍ବାଣୀ କଥା କହିଲେ, ସେ ସବୁ ଛୋଟବେଳୁ ମୋ ପାଖରେ ଅଛି । କାରଣ, ଛୋଟବେଳେ ଅଧିକାଂଶ ସମୟ ମୁଁ ମୋ ମାମୁଁଘରେ ରହୁଥିଲି ଆଉ ସେଠାରେ ମାଉସୀ ଆଉ ମୋର ଭଉଣୀମାନେ ଆମେ ସବୁ ମିଶିକି ପ୍ରାୟ ସବୁ ପୂଜାପର୍ବ ଆଦି ପାଳନ କରୁ । ସେଇ ଜିନିଷଟା ମୋ ଭିତରେ ଅଛି, ମୁଁ ତେଣିକି ଦୁନିଆରେ ଯେଉଁଠି ବି ରହେ, କିନ୍ତୁ ଆମ ଓଡ଼ିଆ ପର୍ବପର୍ବାଣୀ ଆଉ ସଂସ୍କୃତିକୁ ମୁଁ କେବେ ଭୁଲିପାରିବିନି । ତା’ସହିତ ମୁଁ କେବେ ମୋ କର୍ମକୁ ବି ଛାଡ଼ିପାରିବିନି, ଯାହାପାଇଁ କି ମୁଁ ସବୁବେଳେ ନିଜକୁ ପ୍ରସ୍ତୁତ ମଧ୍ୟ କରୁଥାଏ । ଯେହେତୁ ମୋ ପରିବାର ଭୁବନେଶ୍ୱରରେ ରହୁଛନ୍ତି, ମୁଁ ପ୍ରାୟ ସବୁ କାର୍ଯ୍ୟ ଏହି ପାଖାପାଖି ହିଁ ଧରେ ଆଉ ବାହାରକୁ ଯାଇକି କାମ କରିବାକୁ ହେଲେ ମୁଁ ଅଧିକ ଦିନ ପାଇଁ କେବେ ବି ଯାଇପାରେନି । ଏହାକୁ ହୁଏତ କେହି କେମିତି ଦେଖିପାରନ୍ତି, କିନ୍ତୁ ମୁଁ ମୋ ପରିବାର ସହିତ ସବୁବେଳେ ସମୟ ବିତେଇପାରୁଛି, ଏହା ମୋ ପାଇଁ ଏକ ବଡ଼ କଥା ।
୯- ଆପଣ ପେଶାରେ ଜଣେ ଅଭିନେତ୍ରୀ ଓ ଉପସ୍ଥାପିକା । କିନ୍ତୁ ଏସବୁ ବ୍ୟତୀତ ଆପଣଙ୍କୁ କ’ଣ କରିବାକୁ ଅଧିକ ଭଲ ଲାଗେ??
ପେଶାକୁ ଛାଡ଼ିଦେଲେ ଯଦି ଆପଣ ନିଶା ବିଷୟରେ ପଚାରିବେ, ତେବେ ମୋତେ ଟିଭି ଦେଖିବାକୁ ବହୁତ ଭଲ ଲାଗେ ଆଉ ତା’ସହିତ ମୋତେ ଇଣ୍ଟରନେଟ୍ ଗେମ୍ ବେଶି ଭଲ ଲାଗେ । ଏବେ ତ ମୁଁ PUBG ଏତେ ଖେଳୁଛି କହିବାକୁ ନାହିଁ । ଏତଦ୍ବ୍ୟତୀତ ମୋ ରୋଷେଇ କରିବାକୁ ବହୁତ ଭଲ ଲାଗେ । ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାରେ ଆଉ ଶିଖିବାରେ ମୋତେ ଭାରି ଇଚ୍ଛା । ମୁଁ ପ୍ରାୟ ସବୁ ପ୍ରକାରର ରୋଷେଇ କରିପାରେ । କଣ୍ଟିନେଣ୍ଟାଲଠାରୁ ଆରମ୍ଭ କରି ଚାଇନିଜ୍, ବିଭିନ୍ନ ରକମର କେକ୍ ସହ ଓଡ଼ିଆ ଖାଦ୍ୟ ଆଦି ତିଆରି କରେ । ଅବଶ୍ୟ ଓଡ଼ିଆ ରୋଷେଇ ଟିକିଏ କମ୍ ଜାଣିଛି, କିନ୍ତୁ ମୋ ଶାଶୁ ଆଗରୁ ରୋଷେଇ ଉପରେ ଅନେକ ଶିକ୍ଷା ଦେଉଥିଲେ, ଆଉ ମୁଁ ତାଙ୍କଠାରୁ ମଧ୍ୟ ଅନେକ ଜିନିଷ ଶିଖିଛି ଆଉ ଶିଖୁଛି ମଧ୍ୟ । ସେମିତି ଦେଖିଲେ ମୁଁ ରୋଷେଇରେ ସେତେ ଅଧିକ ସମୟ ଦେଇପାରୁନି, କିନ୍ତୁ ଟିଭି ଆଉ ଇଣ୍ଟରନେଟ ଗେମିଂରେ ମୁଁ ଅଧିକ ସମୟ ଦିଏ । ମୋର ସାଙ୍ଗମାନେ ତ ଏହି ଭିତରେ ଦୁଇତିନିଥର ଫୋନ କରି ଡାକି ସାରିଲେଣି PUBG ଖେଳିବାକୁ ।
୧୦- ଆପଣଙ୍କର ଆଗାମୀ ଦିନରେ ଇଚ୍ଛା ବା ଯୋଜନା କ’ଣ ଅଛି??
ଆଗମୀ ଦିନରେ ସେମିତି କିଛି ଏକାସାଙ୍ଗରେ ବଡ଼ ଯୋଜନା କହିବାକୁ ଗଲେ ନାହିଁ । ଅନେକ କାମ କରିବାର ଲକ୍ଷ୍ୟ ଅଛି, ନିଜ ପାଇଁ ନିଜ ପରିବାର ପାଇଁ ଅନେକ ଭଲ ପାଇବା ଆଉ ସମ୍ମାନ ପାଇବା ବାକି ଅଛି । କିନ୍ତୁ ମୋର ଅନେକ ସ୍ୱପ୍ନ ଅଛି, ଯାହକୁ ପୂରଣ କରିବାକୁ ମୁଁ ସଦାସର୍ବଦା ଚେଷ୍ଟା କରିବି । ସ୍ୱପ୍ନ ଧୀରେ ଧୀରେ ପୂରଣ ହେଲେ ସମସ୍ତେ ଜାଣିବେ, ଆପଣ ମଧ୍ୟ ଜାଣିବେ ଆଉ ପୁଣିଥରେ ମୋର ଇଣ୍ଟରଭ୍ୟୁ ନେବେ ।
୧୧- ଆପଣ ଆପଣଙ୍କର ମୂଲ୍ୟବାନ ସମୟ ଦେଇ ଆମର ସମସ୍ତ ପ୍ରଶ୍ନର ଉତ୍ତର ରଖିଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । କିନ୍ତୁ ମୋର ଆଉ ଗୋଟିଏ ପ୍ରଶ୍ନ ରହିବ କି, ଆପଣଙ୍କୁ ଆମର ଏହି ଅଗଣାରେ ସାକ୍ଷାତକାର ଦେଇ କେମିତି ଲାଗିଲା?
ଆପଣଙ୍କ ସହ ଏହି ସାକ୍ଷାତକାର ମୋତେ ବହୁତ ଭଲ ଲାଗିଲା ଆଉ ଆପଣଙ୍କର ପ୍ରଶ୍ନ ମଧ୍ୟ ମୋତେ ବହୁତ ପସନ୍ଦ ଆସିଲା । ଏହା ଆପଣଙ୍କର ଏକ ଭଲ ମାଧ୍ୟମ । ଲୋକମାନଙ୍କର ପସନ୍ଦ ଭିନ୍ନ ଥାଏ, ଯେଉଁଥିରେ ସେମାନେ ସେମାନଙ୍କର ଅଧିକ ସମୟ ଦେଇଥାନ୍ତି । କାହାକୁ ଭିଡ଼ିଓ ଭଲ ଲାଗେ, କାହାକୁ ଶୁଣିବାକୁ ଭଲ ଲାଗେ ଆଉ କାହାକୁ ପଢ଼ିବାକୁ । ଆପଣଙ୍କର ମାଧ୍ୟମ ହେଉଛି ଏକ ଭିନ୍ନ ମାଧ୍ୟମ, ଆପଣଙ୍କ ଜରିଆରେ ମୁଁ କିଛି ଭିନ୍ନ ଧରଣର ଦର୍ଶକ ବା ପାଠକମାନଙ୍କ ପାଖରେ ପହଞ୍ଚିପାରିବି, ଯେଉଁମାନେ ପଢ଼ିବାକୁ ଭଲ ପାଆନ୍ତି । ଏହି ମାଧ୍ୟମ ମୋତେ ବହୁତ ଭଲ ଲାଗିଲା ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣଙ୍କ ଜରିଆରେ ମୁଁ କିଛି ନୂଆ ଲୋକଙ୍କ ପାଖରେ ପହଞ୍ଚିପାରିବି, ଯେଉଁମାନେ ମୋତେ ଅଳ୍ପରେ ଜାଣିଥିଲେ, ସେମାନେ ହୁଏତ ମୋତେ ଟିକିଏ ଅଧିକ ଜାଣିବେ ଏବେ ।
୧୨- ଏବେ ପ୍ରଶ୍ନ ଟିକିଏ ବ୍ୟକ୍ତିଗତ ରହିବ । ଆପଣ ଆମର ଏ ପତ୍ରିକା ଆଉ ୱେବ୍ପୋର୍ଟାଲ ବିଷୟରେ କିଛି କହିବାକୁ ଚାହିଁବେ କି?? ଆଉ ପରବର୍ତ୍ତୀ ସମୟରେ ଆମ ସହ କିମ୍ବା ମୋର କୌଣସି ସାକ୍ଷାତକାରରେ କିଛି ପ୍ରଶ୍ନର ଉତ୍ତର ରଖିବାକୁ ଡାକିଲେ ଆସିବେ?
ଆପଣଙ୍କର ଏହି ଶୁଭପଲ୍ଲବ ପତ୍ରିକା ଆଉ ୱେବ୍ପୋର୍ଟାଲ ମୋତେ ବହୁତ ପସନ୍ଦ ଆସିଲା । ଆପଣମାନେ ଓଡ଼ିଆ ଭାଷା ପାଇଁ ଏଭଳି ଏକ ଭଲ ମାଧ୍ୟମ ସୃଷ୍ଟି କରୁଛନ୍ତି, ଯାହାକି ଅନେକଙ୍କୁ ନିଶ୍ଚୟ ପସନ୍ଦ ଆସୁଥିବ । ଆପଣମାନେ ସମ୍ପୂର୍ଣ୍ଣ ଓଡ଼ିଆରେ ଏହି କାର୍ଯ୍ୟ କରୁଛନ୍ତି, ଫଳରେ ଓଡ଼ିଆ ଭାଷାର ପ୍ରଚାର ମଧ୍ୟ ହେଉଛି । ଆଉ ଆପଣଙ୍କର ଏହି ସାକ୍ଷାତକାର ମଧ୍ୟ ଏକ ଭିନ୍ନ ଧରଣର ଥିଲା, ଆପଣ ଏମିତି କିଛି ପ୍ରଶ୍ନ ପଚାରିଲେ, ଯାହା ହୁଏତ ଆଗରୁ ମୋତେ କେହି ପଚାରିନଥିଲେ । ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ଆଉ ମୁଁ ଅନ୍ୟାମାନଙ୍କୁ ଏଇଆ କହିବି କି ଆପଣମାନେ ମଧ୍ୟ ଏହି ପତ୍ରିକାକୁ ପଢ଼ନ୍ତୁ ଏବଂ ଏହି ୱେବ୍ପୋର୍ଟାଲ୍ରେ ବାହାରୁଥିବା ଲେଖାକୁ ପଢ଼ନ୍ତୁ । ଆଉ ଆପଣଙ୍କର ଏହି ପତ୍ରିକା ପାଇଁ ମୋତେ ଯେତେବେଳେ ବି ଡାକିବେ ମୁଁ ପୁଣିଥରେ ସାକ୍ଷାତକାର ପାଇଁ ନିଶ୍ଚୟ ଆସିବି, ଏଥିରେ ଦ୍ୱି-ମତ ନାହିଁ ।
PS: All these photographs had sent by Pupul mam and all the rights are reserved to the original photographer.