ଏ ମହୀମଣ୍ଡଳେ ଯେତେ ରହିଛନ୍ତି
ତରୁଲତା କୀଟ ଗଣ ।
ତା’ସାଙ୍ଗକୁ ଯେତେ ସଜୀବ ନିର୍ଜୀବ
ସର୍ବେ ଆମ ଗୁରୁ ଜାଣ ।
ପିତାମାତାଠାରୁ ହୋଇଛୁ ଜନମ
ସେ ଆମ ପ୍ରଥମ ଗୁରୁ ।
ଶିକ୍ଷା ଦାନ କରି ଜ୍ଞାନ ବାଣ୍ଟେ ଯିଏ
ସିଏ ଆମ ଶିକ୍ଷା ଗୁରୁ ।
ଶିକ୍ଷା ଗୁରୁ ସହ ପିତା ମାତା ଆମ
ଜୀବନ ମାର୍ଗ ଦର୍ଶକ ।
କୋଟି ପ୍ରଣାମ ତାଙ୍କୁ କରୁଅଛି
ପାଦରେ ରଖି ମସ୍ତକ ।
ଅଜ୍ଞାନ ରୂପକ ଅନ୍ଧକାରଠାରୁ
ଆଲୋକକୁ ଯିଏ ନିଏ ।
ସେହି ମୋର ଗୁରୁ ମୋର ଜୀବନରେ
ତାଙ୍କୁ ପ୍ରଣିପାତ କରେ ।
ବ୍ରହ୍ମା ରୂପେ ଗୁରୁ ସୃଷ୍ଟି କରିଥାନ୍ତି
ପାଳିଥାନ୍ତି ବିଷ୍ଣୁ ରୂପେ ।
ଅଜ୍ଞାନତା ଆମ ସଂହାର କରନ୍ତି
ସାକ୍ଷାତେ ଈଶ୍ୱର ରୂପେ ।
ତେଣୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ପୁଣି
ଗୁରୁହିଁ ଯେ ମହେଶ୍ୱବର ।
ସଦା ସିଏ ଆମ ପଥ ପ୍ରଦର୍ଶକ
ଦୁଃଖ କରିଥାନ୍ତି ଦୂର ।
ଅଜ୍ଞାନ ଆକାଶେ ଜ୍ଞାନର ଜ୍ୟୋତି ସେ
ଜ୍ଞାନ କରନ୍ତି ପ୍ରଦାନ ।
ଗୁରୁ କୃପା ବିନା ଅସମ୍ପୂର୍ଣ୍ଣ ସବୁ
ଗୁରୁ ଶାଶ୍ୱତ ମହାନ ।