ବର୍ଷ କେତେ ଆସିଲେ,
କେତେ ଗଲେ,
କିଛି ତା’ର ହିସାବ ମିଳେନା,
ପ୍ରତିବର୍ଷ ବୈଶାଖ ଆସିଲା,
ବର୍ଷା ଆଉ ତା’ପଛେ ପଛେ ବସନ୍ତ ବି
କାଳେ ଭୁଲିଯିବି,
ଲେଖିନେଲି ସବୁକିଛି ସ୍ମୃତି ଡାରିରୀରେ,
ବହୁତ ଜରୁରୀ ଘଟଣା ସବୁ ଟିପିନେଲି,
ଆଉ ମାମୁଲି ଘଟଣା ଯେତେ
ଏଇମିତି ଭୁଲିଗଲି ।
କିନ୍ତୁ ବର୍ଷ ଶେଷେ,
ପୁରୁଣା ଡାଇରୀ ଯେତେ ସବୁ ହଜିଯାଏ
ମୋଟା ମୋଟି କଥା,
ପୁରୁଣା ଦିନମାନଙ୍କର ହିସାବ ମିଳେନା
ନୂଆଦିନ ନୂଆବର୍ଷ ମନ କିଣିନିଏ ।
ସଂସାର ବି ବିଚିତ୍ର ବହୁତ,
ଜଣାପଡ଼େନି କେବେ ଆପଣାର ଲୋକ
ପର ହୋଇଯାଏ,
ପୁଣି ପର କେବେ ଆପଣାର ହୋଇ,
ମୁଣ୍ଡର ବୋଝକୁ ହାଲୁକା କରିଦିଏ ।
କେବେ ନା’କେହି ନିଜରଥାଏ
ନା’କେହି ପର,
ମନେହୁଏ,କେଉଁ ଏକ ପରଦେଶେ,
ହାଟ ମଝିରେ ମୁଁ ଏକାକୀ ବେପାରୀ
ଲୋକ ଗହଳିରେ ଏକା ହନ୍ତସନ୍ତ ହୁଏ ।
ଏଇ ତ ଜୀବନ,
ଏଇମିତି ଗଡ଼ି ଚାଲିଯାଏ,
ବର୍ଷ ଆସେ ବର୍ଷ ଯାଏ,
ନୂଆ ପୁରୁଣା ହୁଏ
କାନ୍ଥର କ୍ୟାଲେଣ୍ଡର ବଦଳି ଯାଏ,
ବୟସରେ ବର୍ଷ ଯୋଡ଼ିଯାଏ ।
ହିସାବ ରହେନା,
କେତେ ଦେଲି କେତେ ନେଲି
ଜୀବନର ହିସାବଖାତା ତଥାପି ସେମିତି
ସବୁଦିନ ଶୂନ୍ୟ ରହିଯାଏ ।
– ବିନୟ ମହାପାତ୍ର
Comments
ବିନୟ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି । ତାଙ୍କ ରଚିତ କବିତାଗୁଡ଼ିକ ତାଙ୍କ ନିଜ ବ୍ଲଗ୍ରେ ଆପଣମାନେ ପ୍ରତ୍ୟେକଦିନ ମଧ୍ୟ ପଢ଼ିପାରିବେ ।