କେବେ ହେଲେ ତୁମ ମଥାର କୁଙ୍କୁମ
କେବେ ଗଭାର ଗଜରା,
ନୟନ ଅଞ୍ଜନ ହେଲେ କେତେବେଳେ
ପୁଣି କେବେ ଗଳାହାରା ।
ନହୁଲି ଅଧରେ ନାଲି ଗାଢ଼ ରଙ୍ଗ
ଲାଜରା ବଦନ ହସ,
ଆଉ କେବେ ହେବି ପାଦର ନୁପୁର
କେବେ ତୁମ ଝୀନବାସ ।
ଆଉ କେତେବେଳେ କେଶର ଚେପଣା
ସରୁ ଆଙ୍ଗୁଳି ମୁଦ୍ରିକା,
କେବେ ପୁଣି ହେବି ହସ୍ତ ଦ୍ୱୟ ଶଙ୍ଖା
କେବେ କାନର ଝୁମକା ।
ଅତର ହୋଇଣ ଦେହରେ ଲାଖିଣ
ମହକିବି ଅନୁକ୍ଷଣେ,
କେବେ ହୋଇ ତୁମ କଟିଡୋର ସଖି
ଝାଙ୍କିବି ଚଗଲାପଣେ ।
କେବେ ହେବି ପୁଣି ଅମୃତ ପରାୟ
ଦେହର ପଖଳା ଜଳ,
ଆଉ କେବେ କେବେ ହେବି ତୁମପାଇଁ
ଚଲାପଥ ଝରାଫୁଲ ।
ଶୀତେ ତୁମପାଇଁ ହେବି ଗୋ ରେଜେଇ
ନିଦାଘେ ତୁମରି ଜୋତା,
ବରଷାରେ ତୁମପାଇଁ ହେଲେ ଛତା
ବସନ୍ତରେ ମାଦକତା ।
ଶରତ ଲଗନେ ନଈପଠା ଧାରେ
ଶୁଭ୍ର କାଶତଣ୍ଡି ହୋଇ,
ଜୀବନ ମୋହର ଧନ୍ୟ କରିବି ଗୋ
ତୁମ ମୃଦୁ ସ୍ପର୍ଶ ପାଇ ।
ହେମନ୍ତ ଋତୁରେ ହେମାଳ ସମୀର
ହୋଇ ଯାଉଥିବି ଚୁମି,
ମନ ମତାଣିଆ ମିଳନ ଛନ୍ଦରେ
ଦୁହେଁ ଯାଉଥିବା ଝୁମି ।
କେବେ ତୁମପାଇଁ ମୁରଲୀର ସ୍ୱନ
କେବେ ଯମୁନାର କୂଳ,
କେବେ ହୋଇଯିବି ବ୍ରଜଭୂମି ମୁଁହି
କେବେ କୁଞ୍ଜ ରାସସ୍ଥଳ ।
କଥା ମୁଁ ଦେଉଛି ଚାହିଁଦିଅ ଯାହା
ହେବି ପ୍ରିୟେ ତାହା ତାହା,
ତୁମେ ମୋ ଆରମ୍ଭ ତୁମେ ମୋ ଅନ୍ତ
ବଞ୍ଚିବାର ସାହା ରାହା ।
Comments
ରାଜେଶ ପୂଜାରୀ ଝାରସୁଗୁଡ଼ାସ୍ଥିତ କୁଶମେଲାଠାର ଜନ୍ମଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।