କାହାକୁ କହିବି କିଏ ଯେ ଶୁଣିବ କିଛି ତ ରହିନି ବାକି
ଆଜି ବି ଜନନୀ, ଭାର୍ଯ୍ୟା, ଭଗିନୀ କାନ୍ଦେ ଲୁହ ଢୋକି-ଢୋକି
ଭାବୁଚି କେହି ତ ଚିତ୍କାର ଶୁଣି, କରିବ କି ସତେ ନ୍ୟାୟ
ଯେଉଁ ଦେଶେ ନାରୀ ପୂଜନୀୟ ଥିଲା, ସେଠି ଆଜି ଅସହାୟ ।
ବୁକୁ ଠୁ ମା’ର ରକ୍ତ ଝରେରେ ପୋଛିଦିଅ କିଏ ଆସି
ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………(୧)
ସମସ୍ତେ ସାଜିଛୁ ହସ୍ତିନାବାସି ଚକ୍ଷୁରେ ପୁଟୁଳି ବାନ୍ଧି
ପିତାମହ ଭିଷ୍ମ – ଧୃତରାଷ୍ଟ୍ର ପରି ପାଦରେ ପାଦକୁ ଛନ୍ଦି
ନାହିଁ ସେ କୃଷ୍ଣ, କୋଟି ବସ୍ତ୍ର ଦେଇ, ପୁଣି ଯେ କରିବ ରକ୍ଷା
କାହିଁ ସେ ରାବଣ ବଡ଼ପଣ ଯା’ର ଦୁନିଆକୁ ଦେବ ଶିକ୍ଷା ।
ମା’ର ସମ୍ମାନ ରଖରେ ଜଲ୍ହାଦ ଛାଡ଼ି ହୀନ ରାଜନୀତି
ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………..(୨)
ଇତିହାସ ସାଖି, ସତୀଠୁ ଦ୍ରୌପଦୀ; କି ଦଶା ସହିଛି ରାଧା
ଚିନ୍ତିଲା ବେଳକୁ ରକ୍ତ ଥରି ଉଠେ ଲୋତକେ ପଲକ ଓଦା
ଜରାସନ୍ଧ ଭଳି ବାହୁବଳ ଥିଲେ ବୋଲାଏ କି ସେହି ନର
ଅସହାୟ ବୋଲି ତା’ ଉଦ୍ଦିପନାକୁ ତିଳ ତିଳ କରି ମାର ।
କେତେ ଶତ ହାଡ଼ ଭାଙ୍ଗି ଜରାୟୁର ଖୋଲିଥିଲୁ ଦିନେ ଆଖି
ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………..(୩)
ଦେଖି ପାରୁନି କି ମା’ର ବେଦନା କାନ୍ଦୁଛି ବାହୁନି କେତେ
ତା’ ଆର୍ତ୍ତ ଚିତ୍କାର ପଡ଼ୁନି କି କାନେ ବଧିର ହେଲୁକି ସତେ
ତୋ ଭଗିନୀ ମାନ ରଖରେ ଚଣ୍ଡାଳ, ହୁଅ ତୁ ଆୟୁଧ ଅସ୍ତ୍ର
ବିନା ପାଣ୍ଡବରେ ଦ୍ରୌପଦି କି କହ ଜିଣିଥା’ନ୍ତା କୁରୁକ୍ଷେତ୍ର ।
ଉଠାରେ ଗାଣ୍ଡିବ ମାର ଦୁଃଶାସନ ଜନମିବେ କାହୁଁ ପାପି
ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛୁ ମୂକ ସାଖି………..(୪)
ଆତତାୟୀ ଭଳି ମାଆ ଗର୍ଭେ ତା’ର ଭୃଣ କାଳୁ ପଡ଼େ ବଳି
ଯଉବନ କାଳେ ବଳାତ୍କାର ଭୟ; ଏହା କି ବାସ୍ତବେ କଳି
ସାତ ଜନମର ବିବାହ ବନ୍ଧନେ ବାନ୍ଧିଛୁ ଯୌତୁକର ଶିକୁଳି
ଏନ୍ତୁଡ଼ି ଶାଳରେ ଅଭିଷାପ ଥିଲା, ଅଗଣାରେ ଦାଣ୍ଡ ଧୂଳି
ଲଢ଼ିଛି, ଲଢ଼ିବ- ଲଢ଼ି ମରିଯିବ; ବୀରାଙ୍ଗନା ତା’ର ଜାତି
ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………..(୫)