ଅନୁଭୂତିରେ ଶ୍ରୀକ୍ଷେତ୍ର

anubhutire-shreekshetra

ମୁଁ ସ୍ୱର୍ଗତଃ ଭିକାରୀ ବଳ କିମ୍ବା ବନ୍ଧୁ ମହାନ୍ତି ନୁହେଁ । ମୁଁ ସେହି ଲକ୍ଷ ଲକ୍ଷ ଓଡ଼ିଆ ମଧ୍ୟରୁ ଜଣେ, ଯାହାର ପ୍ରାଣ କାଳିଆ ପାଇଁ କାନ୍ଦେ, ଯାହାର ହୃଦୟ ଜଗା କରୁଣାରେ ସ୍ପନ୍ଦିତ ହୁଏ ଆଉ ଯାହାର ମନ କଳାସାଆନ୍ତ ପାଖରେ ବନ୍ଧକ । ଏପରି ଓଡ଼ିଆକୁ ବହୁତ କଷ୍ଟ ହୁଏ ଯେତେବେଳେ ତା ବିଶ୍ୱାସରେ ଏ ଦୁନିଆ ପ୍ରଶ୍ନବାଚୀଟିଏ ଆଙ୍କିଦିଏ । ଏହି ଯେପରି ନବକଳେବରରେ ବିଭ୍ରାଟ ହେଉ ବା ଜଗନ୍ନାଥଙ୍କ ନିତିରେ ଅନିୟମିତତା ହେଉ ଅଥବା ଜଗାକୁ ନେଇ ବ୍ୟବସାୟୀକରଣ ହେଉ । ମନରେ, ବିଶ୍ୱାସରେ ପ୍ରତି ଓଡ଼ିଆଙ୍କୁ ମିଳୁଛି ଆଘାତ । ମନରେ ସ୍ୱତଃ ଉଠୁଅଛି ପ୍ରତିବାଦର ସ୍ୱର । ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛାରେ ଆଜି ବହୁଦିନ ପୁରୁଣା ଘଟଣାଟି ପ୍ରକାଶ କରିବାକୁ ଇଚ୍ଛା ହେଉଛି । ଜୟ ଜଗନ୍ନାଥ! ମସିହା ଥିଲା ୨୦୦୫ ମାସ ଅଗଷ୍ଟ କିମ୍ବା ସେପ୍ଟେମ୍ବର ହେବ ଅର୍ଥାତ ଶ୍ରାବଣର ଶେଷଭାଗ । ନିମ୍ନ ମଧ୍ୟବିତ୍ତ ପରିବାରରେ ମୋ’ପରି ଗୋଟେ ବେରୋଜଗାରିଆ ପୁଅର ଅସନ୍ତୁଳିତ ମାନସିକ ଭାରସାମ୍ୟ । ସମାଜର ଭିନ୍ନ ଏକ ଦୃଷ୍ଟିଭଙ୍ଗୀ ମୋ’ପରି ଯେଉଁମାନେ ଜୀବନର ସଫଳତା ପାଇଁ ସଂଘର୍ଷରତ । ଅନ୍ତରର ବେଦନାରେ ବିଚଳିତ ମୋ ମନ କାହିଁକି କେଜାଣି ଆତ୍ମବିସର୍ଜନ ପାଇଁ ଚିନ୍ତାକଲା । ମୋ ପ୍ରାଣର ଦେବତା ଜଗନ୍ନାଥଙ୍କ ପାଇଁ ସେତେବେଳେ ମୋ ମନରେ ଥିଲା ଅଭିମାନର ସ୍ୱର । ଇଚ୍ଛା ହେଲା ଯଦି ଶରୀର ଛାଡ଼ିବି ତେବେ ତାହାରି ଧାମରେ ତାହାରି ପାଖରେ ଛାଡ଼ିବି । ଆଉ ତାକୁ କହିବି ତା’ ଭକତ ତାଲିକାରୁ ମୋ ନାଁ’କୁ କାଟିଦେବା ପାଇଁ । ଏହା ଚିନ୍ତାକରି ବାପା ଆଦରରେ ଦେଇଥିବା ୧୦୦ ଟଙ୍କାଟିକୁ ଟିକିଏ ଚାହିଁଲି ଆଉ ମନେ ମନେ ବାପା ମାଆଙ୍କୁ ପ୍ରଣାମ କରି ବସ୍‌ରେ ଟିକଟଟିଏ କାଟିଲି । ମନ ଥିଲା ଭୋକ ଶୋଷ ଏ ସଂସାର ଠୁ ବହୁ ଦୂରରେ । ରାତି ‍୧୦ଟା ବାଜିବାରୁ ବୋଧହୁଏ ମୋତେ ଖୋଜାପଡ଼ିଲା । ଅନୁମାନ କରି ବାପା ଓ ମାମୁଁ ମୁଁ ବସିଥିବା ବସ୍ ଅଟକାଇ ଖୋଜାଖୋଜି କଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଜାଣିପାରୁନାହିଁ ବସ୍ ଭିତରେ ମୋତେ ଦେଖି ମଧ୍ୟ କେହି କିପରି ଚିହ୍ନି ପାରିଲେନାହିଁ? ଆଜି ମୁଁ ପ୍ରଶ୍ନ କଲେ ଉତ୍ତର ମିଳେ ବସ୍ ଭିତରଟା ଖାଲି କୁହୁଡ଼ିଆ ଦେଖାଯାଉଥିଲା । ସେ ଯାହା ହେଉ, ମୁଁ କିନ୍ତୁ ନିର୍ବିକାର ଭାବେ ବସ୍ ଭିତରେ ବସିଥାଏ । ବସ୍ ବାରିପଦା ଛାଡ଼ିଲା ପରେ ସେ ରାତିରେ ସେ ବସ୍ ଭିତରେ ନୀରବରେ ବହିଥିଲା ମୋ ଆଖିରୁ ଅନେକ ଅଶ୍ରୁ । ସକାଳୁ ବରମୁଣ୍ଡାରେ ଓହ୍ଲାଇ ସିଧାଯାଇ ପୁରୀ ବସ୍‌ରେ ବସିଗଲି । ମୋତେ ଆଉ ଏ ଦୁନିଆଁଟା କିଛି ଦେଖା ଯାଉନଥାଏ । ମୁଁ ଥିଲି ନୀରବ ଶାନ୍ତ ଆଉ ଲକ୍ଷ୍ୟ ଥିଲା ପୁରୀ । ପାଖରେ ଆଉ ଥିଲା ୧୦ଟଙ୍କା ମାତ୍ର । କିନ୍ତୁ ଏଭଳି ପରିସ୍ଥିତିରେ ମୁଁ ଥିଲି ନିର୍ବିକାର । ଭଡ଼ାପାଇଁ ଟଙ୍କା ନାହିଁ; ତେଣୁ କ’ଣ ହେବ ପରିଣାମ ତା’ ପାଇଁ ଭୃକ୍ଷେପ ନାହିଁ । ମୋ ଚତୁଃପାର୍ଶ୍ୱରେ କ’ଣ ଘଟି ଯାଉଥିଲା ସେଥିପ୍ରତି ମୋର ନଜର ନଥିଲା । ସମୟ ସହ ତାଳଦେଇ ବସ୍ ମାଡ଼ିଚାଲିଥାଏ ପୁରୀ ଅଭିମୁଖେ । ଏହା ଭିତରେ ବସ୍ ପହଞ୍ଚିଲା ପୁରୀରେ । ନା’ କଣ୍ଡକ୍ଟର ମୋ ପାଖକୁ ଆସିଲା ନା ମୋଠାରୁ ସିଏ ଭଡ଼ା ଦାବିକଲା । ମୁଁ ଏକ ଯନ୍ତ୍ର-ମାନବ ପରି ବସ୍‌ରୁ ଓହ୍ଲାଇ ଶ୍ରୀ ମନ୍ଦିର ଅଭିମୁଖେ ଅଗ୍ରସର ହେଲି । ଅଶ୍ରୁର ଦୁଇଧାର ମୋ ଅଜାଣତରେ ମୋ ଓଠକୁ ଛୁଇଁ ଚାଲିଥିଲା । ମୋ ଚାରିପାଖର ଦୁନିଆଁଟା ମୋ ପାଇଁ ଯେମିତି ପାଲଟି ଯାଇଥିଲା ମହାଶୂନ୍ୟ ଆଉ ସେ ଶୂନ୍ୟତା ଭିତରେ ମୁଁ ଚାଲିଥାଏ ଅନ୍ତର୍ଦ୍ଧାନ ହୋଇଯିବାପାଇଁ ମହାପ୍ରଭୁଙ୍କ ଚରଣରେ । ମନ୍ଦିର ଭିତରେ ଚକାନୟନର ନୟନରେ ନୟନକୁ ମିଶାଇଦେଲି ଅଭିମାନ ଭରା ମୁଦ୍ରାରେ । ମନ୍ଦିରର ଦକ୍ଷିଣ ପର୍ଶ୍ୱର କାନ୍ଥକୁ ଆଉଜି ବହୁତ କାନ୍ଦିଲି । ଅଭିମାନ ଭରା ଅନେକ ପ୍ରଶ୍ନକୁ ଜଗା ପାଖରେ ଛାଡ଼ିଦେଇ ଚାଲିଗଲି ସାଗର କୂଳକୁ । ଚିନ୍ତା କଲି ଆଜି ରାତି ହେବ ଏ ସାଗର ତଟରେ ଶେଷ ରାତ୍ରି ।

ଅପରାହ୍ନର ସମୟ । ସାଗର କୂଳରେ ସ୍ଥିର ଚିତ୍ତ ନିର୍ବିକାର ମୁଦ୍ରାରେ ମୋର ଏହି ଶରୀର । ଠିକ୍ ମହାବାତ୍ୟାର ପୂର୍ବ ନୀରବତା ସଦୃଶ ମୋର ଅନ୍ତର୍ମନ । ଆଖି ଯୋଡ଼ିକ ଅନୁସରଣ କରୁଥାଏ ସାଗରର ଜୁଆରକୁ । ଏହିପରି ଏକ ସମୟରେ ଅନ୍ୟମନସ୍କ ଭାବେ ଚାହିଁଲି ମୋର ବାମପାଖକୁ । କିନ୍ତୁ ଏ କ’ଣ!………… ଜଣେ ଶ୍ୟାମଳ ବର୍ଣ୍ଣ କିଶୋର ମୋର ଅତି ନିକଟରେ ବସି ଅପଲକ ନୟନରେ ଚାହିଁରହିଛି ଗଭୀର ସାଗରକୁ । ମୋର ଅଜାଣତରେ କେତେବେଳେ ଆସି ସେ କିଶୋରଟି ମୋ ପାଖରେ ବସିଲା ତାହା ଭାବୁଭାବୁ ମୁଁ ଅବଲୋକନ କରିଚାଲିଥାଏ ତା’ର ମୁଖମଣ୍ଡଳକୁ । ମନେମନେ ଭାବୁଥାଏ ହଲ୍‌କା ହଲ୍‌କା ବର୍ଷାରେ ସ୍ୱଳ୍ପ ଜନସମାଗମ ଭିତରେ କିଏ ଏ ବାଳକ ଯିଏ ଆଉ କେଉଁଠି ନବସି ମୋ ପାଖରେ ଆସିବସିଛି? ଏକ ଅପରିଚିତ ପୁଣି ମୋର ସେ ସମୟର ଦୁଃସ୍ଥ ମାନସିକ ସ୍ଥିତିରେ ମୋ ପାଖରେ ବସିବାଟା ସହଜରେ ଗ୍ରହଣୀୟ ହୋଇପାରିଲା ନାହିଁ ମୋ ପାଇଁ । ଅସନ୍ତୋଷରେ ଭରିଗଲା ମୋ ମନ । ନୀରବରେ କିଛି ସମୟ କଟିଗଲା, ମୁଁ ତାକୁ ଓ ସେ ସମୁଦ୍ରକୁ ଅବଲୋକନ କରିବାରେ । ୧୦ ରୁ ୧୨ ବର୍ଷର ସେ ବାଳକକୁ ମୁଁ ଯେତେ ଅଧିକ ଦେଖୁଥାଏ ଏକ ଅଦ୍ଭୁତ ରୋମାଞ୍ଚ ମୋ’ ଭିତରେ ଖେଳିଯାଉଥାଏ । ବିରକ୍ତି ଓ ଅଭିମାନର ପୂର୍ଣ୍ଣ କୁମ୍ଭଟା କାହିଁକି କେଜାଣି କମି କମି ଯାଉଥିବାର ଅନୁଭବ ଦେଉଥାଏ । ଧୀରେଧୀରେ ଯେପରି ମୁଁ ସମ୍ମୋହିତ ହୋଇଯାଉଥାଏ ସେ ବାଳକଟିର ଅଦୃଶ୍ୟ ସ୍ପର୍ଶରେ । ହଠାତ୍ ସେ ପ୍ରଶ୍ନ କଲା, “କ’ଣ ଦେଖୁଛ”??? ଉତ୍ତରରେ ମୋର ସେହି ଏକା ପ୍ରଶ୍ନ ତୁମେ କ’ଣ ଦେଖୁଛ??? ତାର ସେ ଉତ୍ତରଟା ଆଜିବି ମୋର ମନେ ଅଛି । “ଏଇ ସମୁଦ୍ରକୁ ଦେଖ । ଦେଖ ତାକୁ । ଆମ ଜୀବନଟାବି ଏହି ସମୁଦ୍ର ପରି । ଜୁଆରର ଘାତ ପ୍ରତିଘାତକୁ ପାର କରି ଯଦି ଆମେ ଭିତରକୁ ଯିବା ତେବେ ଦେଖିବା ସମୁଦ୍ରଟା କେତେ ଶାନ୍ତ ଆଉ ସୁନ୍ଦର, ଜୀବନଟା ବି ଠିକ୍ ଏହିପରି” । ଏତେ ଛୋଟ ବାଳକ ମୁଖରୁ ଏ ବାକ୍ୟ ଶୁଣି ମୁଁ ହୋଇପଡ଼ିଥାଏ ସମ୍ମୋହିତ ଆଉ ରୋମାଞ୍ଚିତ । ଲାଗୁଥାଏ ଯେପରି ଆମର ଦୀର୍ଘଦିନର ପରିଚୟ । ତା’ପରେ ମୁଁ ପ୍ରଶ୍ନକଲି, “ତମ ଘର କେଉଁଠି”? ସେ ମଧ୍ୟ ସେହି ଏକା ପ୍ରଶ୍ନ କଲା । ମୁଁ ଉତ୍ତର ଦେଲି ରାଇରଂଗପୁର । ସେ ଉତ୍ତର ଦେଲା ମୋ ସଂପର୍କୀୟ ଘର ସେହି ପାଖରେ । ମୁଁ କେବେକେବେ ସେଠାକୁ ଯାଏ । ମୁଁ ପୁଣି ପଚାରିଲି ରାଇରଂଗପୁର କେଉଁ ଜାଗା? ସେ କହିଲା, “ସେଇଠି ମ’ ଟାଟା ଆଉ ରାଇରଂଗପୁର ମଝିରେ” । ମୁଁ ପୁନଃ ପ୍ରଶ୍ନ କଲି ତା’ହେଲେ ତୁମ ଘରଟା? ସେ କହିଲା ମୋ ଘର ଏହି ପୁରୀ ପାଖରେ । ବାପା ମୋର ମୂର୍ତ୍ତି କାମ କରନ୍ତି । ମୁଁ ବି ମୂର୍ତ୍ତି କାମ କରେ । ରକମ ରକମର ମୂର୍ତ୍ତି ତିଆରି କରେ । ଆଜି ଲୋକନାଥ ମହାପ୍ରଭୂଙ୍କ ଠାରେ ଶ୍ରାବଣ ପାଣିଭାର ଢାଳିବାକୁ ଆସିଛି । ମନ୍ଦିର ଭିଡ଼ ତ’ ସେଇଥିପାଇଁ ଏଠାକୁ ବୁଲିବାକୁ ଚାଲିଆସିଲି । ଲୋକନାଥଙ୍କ ମନ୍ଦିର କେଉଁଠାରେ ତା’ ବିଷୟରେ ମୋର କୌଣସି ଧାରଣା ନଥିଲା । ତେଣୁ ମୁଁ ଚୁପ୍ ରହିଲି । ଏହା ଭିତରେ ବେଶ କିଛି ସମୟ ଅତିବାହିତ ହୋଇଯାଇଥିଲା । ବାଳକଟି ମୋତେ କହିଲା ଆସ ମନ୍ଦିର ଦର୍ଶନରେ ଯିବା । ମୁଁ କହିଲି ନା ମୋର ଦର୍ଶନ ସରିଲାଣି । ତୁମେ ଦର୍ଶନ କରିବାକୁ ଯାଅ । ମୋତେ ମନ୍ଦିରକୁ ନେବାର ସମସ୍ତ ପ୍ରୟାସ ବୃଥା ହେବାର ଦେଖି ସେ କହିଲା, “ଆଚ୍ଛା ମୋତେ ଟିକିଏ ତୁମ ହାତଦିଅ, ମୁଁ ଟିକିଏ ଛିଡ଼ା ହୁଏ ।” ବାଳକଟି ମୋ ହାତର ଆଶ୍ରାରେ ଉଠି ଛିଡ଼ା ହେଲା । ମୁଁ ଯିବାକୁ ଉଦ୍ୟତ ହେବାରୁ ସେ କହିଲା “ଭାଇ ପାଣି ଭାର ବୋହିବୋହି ମୋର ଗୋଡ଼ ଚାଲୁନାହିଁ । ମୋତେ ଟିକିଏ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଛାଡ଼ିଦେଇ ଆସ ।” ମୁଁ ତା’ ହାତକୁ ମୋ କାନ୍ଧରେ ରଖି ମୁଖ୍ୟ ରାସ୍ତା ପଟକୁ ଆଗେଇଲି । କିଛି ବାଟ ଯାଆନ୍ତେ ଦେଖିଲି ଆଉ ଜଣେ ଗୌରବର୍ଣ୍ଣ ତେଜବନ୍ତ ବାଳକ ଆମ ପଟକୁ ସ୍ମିତ ହାସ୍ୟ ଦେଇ ଆସୁଛି । ନିକଟତର ହେବାରୁ ମୁଁ ଦେଖିଲି ସେ ଦୁହେଁ ପରସ୍ପରକୁ ଦେଖି ହସର ଆଦାନପ୍ରଦାନ କରୁଛନ୍ତି । ମୁଁ ପଚାରନ୍ତେ ଶ୍ୟାମଳ ବାଳକଟି କହିଲା “ଆମେ ଦୁଇ ସାଙ୍ଗ ଏକାସହିତ ପାଣି ଢାଳିବାକୁ ଆସିଛୁ ।” ଗୌର ପିଲାଟିର ସ୍ୱଳ୍ପ କଥା ଆଉ ସ୍ମିତ ହସ ମୋତେ ଯେପରି ସମସ୍ତ କଷ୍ଟରୁ ଦୂରେଇ ନେଉଥାଏ । ସେହି ସମୟରେ ଗୋଟିଏ ମଣିଷ ଟଣା ରିକ୍ସା ମୁଖ୍ୟ ରାସ୍ତା ଦେଇ ଯାଉଥିଲା । ସେହି ରିକ୍ସାକୁ ଅଟକାଇଲେ ସେ ଦୁହେଁ । ପୁଣି ଅନୁରୋଧ କଲେ ମୋତେ ସେହି ରିକ୍ସାରେ ବସି ମନ୍ଦିର ଯିବାପାଇଁ । ମନରେ ସଙ୍କୋଚ ରଖି ମୁଁ ମନାକଲି ଯିବାପାଇଁ । କହିଲି, “ମୋର ମନ୍ଦିର ଦର୍ଶନ ସରିଯାଇଛି । ପୁଣି ମୋ ପାଖରେ ପଇସା ମଧ୍ୟ ନାହିଁ କାହାରିକୁ ଦେବାପାଇଁ ।” କିନ୍ତୁ ସେମାନେ କହିଲେ, “ନା’ନା ତମେ ଠିକ୍ ଭାବେ ଦେଖିନାହଁ । ଯେଉଁଭଳି ଦର୍ଶନ କରିବା କଥା ସେଭଳି କରିନାହଁ । ଚାଲ ଆମ ସାଥୀରେ ଆମେ ଠିକ୍ ଭାବେ ଦର୍ଶନ କରାଇଦେବୁ । ତମେ ନ’ଗଲେ ଆମେ ମଧ୍ୟ ଯିବୁ ନାହିଁ ।” ତାଙ୍କର ସରଳ କଥାରେ ଯେପରି କୌଣସି ଶକ୍ତି ଥିଲା ଯାହା ମୋର ଚିନ୍ତାଶକ୍ତି ଉପରେ ଅଧିପତ୍ୟ ବିସ୍ତାର କରିଚାଲିଥିଲା । ନା’ କହିବାର ଶକ୍ତି ଯେପରି ଜିହ୍ୱା ମୋର ହରାଇସାରିଥିଲା । ମୁଁ ପ୍ରଥମେ ରିକ୍ସାରେ ବସିଲି ଆଉ ମୋର ଦୁଇଜାନୁରେ ବସିଲେ ବାଳକ ଦୁହେଁ । ରିକ୍ସା ମାଡ଼ି ଚାଲିଥାଏ ଆଗକୁ ଆଗକୁ । ମୁଁ ଆଉ ମୁଁ ହୋଇ ରହିନଥାଏ । ସେ ଦୁହିଁଙ୍କର ସ୍ପର୍ଶ ଯେପରି ଦିବ୍ୟ ଆନନ୍ଦ ଆଣିଦେଉଥାଏ । ଲାଗୁଥାଏ ଯେପରି ସେମାନେ ମୋର ବହୁ ପରିଚିତ । ବହୁ ଦିନର ସମ୍ପର୍କ ମୋର ସେମାନଙ୍କ ସାଙ୍ଗରେ । ପିତା ମାତା ଭାଇ ଭଉଣୀ ଏ ସଂପର୍କ ମୋ ମନରୁ ଲିଭିସାରିଥିଲା । ମୁଁ ଖାଲି ଏତିକି ଅନୁଭବ କରୁଥିଲି ସତରେ କ’ଣ ଏ ଦୁହେଁ ମୋର ଜନ୍ମଜନ୍ମର ପରିଚିତ ।

ଏହା ଭିତରେ ରିକ୍ସା ଯାଇ ପହଞ୍ଚିଲା ଶ୍ରୀ ମନ୍ଦିର ନିକଟରେ । ଖୁବ୍ ସଙ୍କୋଚରେ ଓହ୍ଲାଇଲି ରିକ୍ସାରୁ । କାରଣ ଥିଲା ଭଡ଼ା ମୋ ପାଖରେ ନଥିଲା । କିନ୍ତୁ ମୋ’ ଚିନ୍ତା କରିବା ଭିତରେ କିଏ ଭଡ଼ା ଦେଲା କେଜାଣି ରିକ୍ସା ବାଲା ଚାଲିଗଲା । ବଡ଼ ଅପ୍ରସ୍ତୁତ ଲାଗିଲା ମୋତେ । ମୁଁ କହିଲି ମୋଠାରୁ ଭଡ଼ା ନେଲନି? ସେମାନେ କହିଲେ, “ଆମ ପାଖରେ ବହୁତ ପଇସା ଅଛି ତମେ ଚିନ୍ତା କରନି ।” ଏହା ଭିତରେ ସେ ଗୋରା ପିଲାଟି ମୋ ପାଦରୁ ଚପଲ ଖୋଲିବାକୁ ଲାଗିଲା । ମୁଁ ବାରଣକରି କହିଲି, “ମୁଁ ଏଇଠି ଅଛି ତମେ ଯାଇ ଦର୍ଶନ କର” । ସେମାନେ କହିଲେ, “ମନ୍ଦିର ପାଖ କୁ ଆସି ଦର୍ଶନ ନକରି ରହିଯିବ । ପୁଣି ଖାଲି ପାଦରେ ଚାଲି ଚାଲି ଆମର ଆଉ ବାଇଶି ପାହାଚ ଚଢ଼ିବାକୁ ବଳ ନାହିଁ । ତୁମ ବିନା ଆମେ ଦର୍ଶନ କରିବୁ କିପରି?” ମୋର ଆଉ ବାରଣ କରିବାର ଶକ୍ତି ନଥିଲା । ମୋ ଚପଲ ଧରି ଚାଲିଗଲା ପିଲାଟି । ମୁଁ କହିଲି, “ଚପଲ ରଖିବା ପଇସା ନ ନେଇ ସେ ପିଲା ଚାଲିଗଲା ଯେ ।” ଶ୍ୟାମଳ ପିଲାଟି ହସିହସି କହିଲା, “ତା ପାଖରେ ବହୁତ ପଇସା । ତା ଅଣ୍ଟାମୁଣିଟା ହଲେଇ ଦେଲେ ଖାଲି ପଇସା ଝଡ଼ିବ ।” କିଛି ସମୟ ପରେ ଗୋରା ପିଲାଟି ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଗଲା ଯେଉଁଠି ଆମେ ଛିଡ଼ା ହୋଇଥିଲୁ ।

ଶ୍ୟାମଳ ପିଲାଟିର ହାତକୁ ମୁଁ ମୋ କାନ୍ଧରେ ରଖି ଧରିଧରି ବାଇଶି ପାହାଚ ଆଡ଼କୁ ଗଲି । ଗୋରା ପିଲାଟିକୁ ମଧ୍ୟ ମୁଁ କହିଲି, “ଆସ ଅନ୍ୟ ପଟ କାନ୍ଧରେ ହାତରଖି ଆଗକୁ ଯିବା” । କିନ୍ତୁ ସେ ଭଦ୍ରତାର ସହିତ କହିଲା, “ମୁଁ ଧୀରେ ଧୀରେ ଚାଲିପାରିବି ତମେ ତାକୁ ଧର, କାରଣ ସେ ବହୁତ ଥକିପଡ଼ିଛି ।” ଏହା ଶୁଣି ମୁଁ ଧୀରେ ଧୀରେ ଶ୍ରୀ ମନ୍ଦିର ମଧ୍ୟକୁ ଅଗ୍ରସର ହେଲି । ମୋତେ ଲାଗୁଥାଏ ସମୟଟା ଯେମିତି ଅଟକି ଯାଇଛି ମୋ ପାଇଁ । ଏହା ପୂର୍ବରୁ ମୋତେ ଜଣା ନଥିଲା ଜଗନ୍ନାଥ ମନ୍ଦିରକୁ ଗଲେ ପ୍ରଥମେ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବାକୁ ହୁଏ ବୋଲି । ସେହି ପିଲାଦୁହିଁଙ୍କ କଥାକୁ ସମ୍ମାନ କରି ଆଜିବି ମୁଁ ପୁରୀ ଗଲେ ପ୍ରଥମେ ଲକ୍ଷ୍ମୀ ମା’ଙ୍କର ଦର୍ଶନ କରେ । ଲକ୍ଷ୍ମୀ ମନ୍ଦିର ଦର୍ଶନ ସାରି ଆମେ ଆସିଲୁ ବଡ଼ ମନ୍ଦିର । ମନ୍ଦିର ଭିତରେ ପ୍ରବେଶ କରନ୍ତେ ଶ୍ୟାମଳ ପିଲାଟି ହଠାତ୍ କହିଉଠିଲା, “ଆଗ ଗରୁଡ଼ ଖମ୍ବ ପାଖକୁ ମୋତେ ନିଅ । ମୁଁ ମଧ୍ୟ ଯନ୍ତ୍ରବତ୍ ତାକୁ ନେଇ ଚାଲିଗଲି ଗରୁଡ ଖମ୍ବ ନିକଟକୁ । ସେଠାରୁ ସେ ମୋତେ ପ୍ରଭୁଙ୍କୁ ଦର୍ଶନ କରିବାକୁ କହିଲା । ଠିକ୍ ସେତିକି ବେଳେ ଆରତୀ ଚାଲିଥିଲା । ଶ୍ୟାମଳ ପିଲାଟି ମୋତେ କହିଲା, “ଟିକିଏ ଟେକି ଦିଅନ୍ତନି, ମୁଁ ଟିକିଏ ଆଳତୀ ଦେଖିଥାଆନ୍ତି ।” ମୁଁ ମଧ୍ୟ ସାଙ୍ଗେ ସାଙ୍ଗେ ମୋର ଦୁଇ ହାତରେ ଟେକି ଧରିଲି ତାକୁ ପ୍ରଭୂଙ୍କ ଦର୍ଶନ ନିମିତ୍ତ । କାହିଁକି କେଜାଣି ମୋର ସମଗ୍ର ଶରୀର ପୁଲକିତ ହୋଇଉଠିଲା । ନା କ୍ଷୁଧା ନା ତୃଷା, ସବୁ ଯେପରି ମୋ’ଠାରୁ ଅପସରି ଯାଇଥିଲେ । ମୁଁ ସେହି ଗୌର ବର୍ଣ୍ଣ ପିଲାଟିକୁ କହିଲି, “ଆସ ତୁମକୁ ବି ଟେକି ଦେବି ଦର୍ଶନ କରିବ ।” ଆଜିବି ତା’ କଥା ମୋର ମନେ ପଡ଼େ ଯାହାକୁ ମୁଁ ସେତେବେଳେ ଭାବିନଥିଲି । ସେ ଟିକିଏ ହସିଦେଇ କହିଲା, “ମୋତେ ଟେକିବା ଦରକାର ନାହିଁ । ତାକୁ ଖାଲି ଟେକିଦିଅ ସେ ଦର୍ଶନ କରୁ ।” ତା’ ପରେ ଆମେ ତ’ ନିତିଦିନ ଠାକୁର ଦର୍ଶନ କରୁଛୁ ।” ଦର୍ଶନ ପରେ ଆମେ ତିନିଜଣ ଠିକ୍ ସେହି ଜାଗାରେ ଯାଇ ବସିଲୁ ଯେଉଁଠି ମୁଁ ଛାଡ଼ିଯାଇଥିଲି ଅନେକ ପ୍ରଶ୍ନ । କିନ୍ତୁ ବୋଧହୁଏ ମୋର ଆଉ ଉତ୍ତରର ଆବଶ୍ୟକତା ନଥିଲା । ମୁଁ ହୋଇଯାଇଥିଲି ଚିନ୍ତା ଶୂନ୍ୟ । ଜଣେ କାନ୍ଥରେ ଆଉଜି ଓ ଆଉ ଜଣେ ମୋ କୋଳରେ ମୁଣ୍ଡ ରଖି ଆମେ ତିନି ଜଣ ହଜିଯାଇଥିଲୁ କେଉଁ ଏକ ଭିନ୍ନ ଦୁନିଆରେ । ଏହାପରେ ତିନିଜଣ ଉଠିଲୁ । ମୁଁ କହିଲି ଏଥର ଯାଏ । କିନ୍ତୁ ସେମାନେ କହିଲେ, “ରୁହ ଟିକିଏ । ଆମ ସହିତ ଟିକେ ଜଗନ୍ନାଥ ସଂଗ୍ରହାଳୟ ଚାଲ ।” ମୁଁ ଆଗରୁ ଜାଣି ନଥିଲି ମନ୍ଦିର ଭିତରେ ମ୍ୟୁଜିୟମଟିଏ ଅଛି । ଯାଇ ଦେଖିଲି ଟିକଟ ବୋଧହୁଏ ୧୦ଟଙ୍କା ଥିଲା । ମୋତେ ଭାରି ଖରାପ ଲାଗିଲା ଯେ ସେ ଛୋଟପିଲା ଦୁହେଁ ମୋ ପାଇଁ ପଇସା ଦେଉଛନ୍ତି । ଏଥର ବି ଦୁହେଁ ମୋ’ପାଇଁ ପଇସା ଦେଇଦେଲେ । ସେତେ ପର୍ଯ୍ୟନ୍ତ ସେହି ଶ୍ୟାମଳ ପିଲାଟି ମୋ ଉପରେ ଭାରା ଦେଇ ଚାଲୁଥାଏ । ଏଥିପାଇଁ ମୋ ମନରେ ତିଳେହେଲେ ବିରକ୍ତି ଭାବ ଆସୁନଥିଲା । ଆମେ ତିନିଜଣ ଗଲୁ ମ୍ୟୁଜିୟମ୍ ଭିତରକୁ । ଭିତରେ ଥିଲା କହ୍ନେଇର ବାଲ୍ୟଲୀଳା ଘଟଣାବଳୀର ମୂର୍ତ୍ତି । ସେହି ମୂର୍ତ୍ତିଙ୍କୁ ଦେଖି ଆତ୍ମବିଭୋର ହୋଇଉଠୁଥିଲେ ଦୁହେଁ । ଲାଗୁଥିଲା ଯେପରି ସେମାନେ ଉକ୍ତ ଘଟଣାବଳୀର ପ୍ରତକ୍ଷ୍ୟଦର୍ଶୀ । କୌଣସି ଆଧୁନିକ ଯୁଗର ବାଳକ ଉକ୍ତ ମୂର୍ତ୍ତିରେ ସେଭଳି ରୋମାଞ୍ଚିତ ହୋଇପାରେନା ଯେଉଁଭଳି ସେମାନେ ପ୍ରତ୍ୟୟମାନ ହେଉଥିଲେ । ସେହି ମୁହୂର୍ତ୍ତକୁ ମୁଁ ବର୍ଣ୍ଣନା କରିପାରିବିନି । ମୁଁ ସେ ଦୁହିଁଙ୍କୁ ଦେଖୁଥାଏ ନୀରବ ହୋଇ । ତାହାକୁ କେବଳ ଅନୁଭବୀ ହିଁ ଅନୁଭବ କରିପାରିବ । ସେଠାରୁ ବାହାରିଲା ପରେ ମୁଁ କହିଲି, “ମୁଁ ଏଥର ଯାଏ । ତୁମ୍ଭେମାନେ ଭଲରେ ଘରକୁ ଫେର ।” କିନ୍ତୁ ସେମାନେ ମୋତେ ଆଉ ଛାଡ଼ିଲେ ନାହିଁ । କହିଲେ, “ତୁମେ ଆମ ଧାମ ଆମ ଘରକୁ ଆସିଛ; ଆମକୁ ଅତିଥି ସତ୍କାରର ସୁଯୋଗ ଦେବନାହିଁ । ଚାଲ ଆମେ ମିଶି ଅବଢ଼ା ଖାଇବା ।” ମୋର ମନା କରିବାର ଉପାୟ ନଥିଲା । ଏପଟେ ଅବଢ଼ା କିଣିବାକୁ ମୋର ଶକ୍ତି ନାହିଁ । କିନ୍ତୁ ମୋର ଚିନ୍ତା କରିବା ପୂର୍ବରୁ ଅବଢ଼ା ଆସିସାରିଥିଲା । ଅବଢ଼ା କଦଳୀପତ୍ର ସବୁର ବ୍ୟବସ୍ଥା ସେମାନେ ତୁରନ୍ତ କରିପକାଇଲେ । ଆନନ୍ଦ ବଜାରର ଗୋଟିଏ କଡ଼ରେ ଆମେ ଜାଗାଟିଏ ବାଛିଲୁ ଅବଢ଼ା ସେବନ କରିବା ପାଇଁ । ଜାଗାଟି ଟିକିଏ ଅସନା ଲାଗୁଥିଲା । କିନ୍ତୁ ମୁଁ କିଛି ଚିନ୍ତା କରିବା ପୂର୍ବରୁ ଗୋରା ପିଲାଟି ତାର କାନ୍ଧରେ ପଡ଼ିଥିବା ନାଲି ଗାମୁଛାକୁ ବାହାର କରି ତୁରନ୍ତ ତଳେ ବସିବା ଜାଗାକୁ ଘସିବାରେ ଲାଗିପଡ଼ିଲା । ମୁଁ କହିଲି, “ଆରେ ଭଲ ଗାମୁଛାଟା ନଷ୍ଟ ହୋଇଯିବ ।” କିନ୍ତୁ କିଛି ଲାଭ ହେଲାନାହିଁ । ସଫା ସରିଲା ପରେ ଆମେ ତଳେ କଦଳୀପତ୍ର ପକାଇ ବସିଲୁ ଆଉ ଗୋଟିଏ ଲେଖାଏଁ ପତ୍ର ସଭିଁଙ୍କ ଆଗରେ ପଡ଼ିଲା । ସବୁ ଚୁପ୍‌ଚାପ୍ । ମୁଁ କହିଲି ବାଢିବା ପାଇଁ, କିନ୍ତୁ ସେମାନେ କହିଲେ, “ତମେ ବାଢ଼ିଲେ ଆମେ ଖାଇବୁ ।” ମୁଁ ବଢ଼ାବଢ଼ି କାମଟା ସାରିଲି । ଅଳ୍ପ କିଛି ଖାଇବାପରେ ମୋ ପେଟ ଭରିଗଲା । ସେ ଦୁହେଁ ବି ଖାଇସାରିଲେ । ହଠାତ୍ ଗୋରା ପିଲାଟି ଶ୍ୟାମଳ ପିଲାଟିକୁ ପଚାରିଲା, “ତୋ ପେଟ ପୁରିଲା ତ’?” ଶ୍ୟାମଳ ପିଲାଟି ଅଳ୍ପ ହସି ମୁଣ୍ଡ ହଲାଇ ନା କହିଲା । ସେତେବେଳେ ଗୋରା ପିଲାଟି କହିଲା, “ମୁଁ ଜାଣିଚି ତୋ’ ପେଟ ପୁରି ନଥିବ ।” ମୁଁ ତୁରନ୍ତ ବଳିଥିବା ଅବଢ଼ା ତାକୁ ବାଢ଼ିଦେଲି । ଖାଇ ସାରି ସେମାନେ ମୋତେ କହିଲେ ଚାଲ ବଢ଼ିଆ ଜିନିଷଟେ ପିଇବା । ଏହା କହି ସେମାନେ ମୋତେ ଟଙ୍କ ତୋରାଣୀ ପିଇବାକୁ ଦେଲେ । କହିଲେ ଏବେ ମିଳିବ ପୂର୍ଣ୍ଣ ଶାନ୍ତି । ଏହାପରେ ସେମାନେ କହିଲେ ଏବେ ଘରକୁ ଯାଅ । ମୁଁ ପ୍ରଶ୍ନ କଲି, “ପୁଣିକେବେ ଦେଖାହେବ?” ସେମାନେ କହିଲେ, “ଆମେ ନିୟମିତ ପୁରୀ ଆସୁ । କେବେ ନା କେବେ ନହାତି ଦେଖାହୋଇଯିବ ।” ଏହାପରେ ଆମେ ମନ୍ଦିର ବାହାରକୁ ଆସିଲୁ । ସେତେବେଳକୁ ୪ଟା କିମ୍ବା ୫ଟା ସମୟ ହେବ । ମୋ ଅଜାଣତରେ କେତେବେଳେ ଅଟୋଟିର ବନ୍ଦୋବସ୍ତ କରି ଦିଆଯାଇଥିଲା । ମୋତେ ଅଟୋରେ ବସାଇ କହି ଦେଲେ, “ଭାଈକୁ ନେଇ ଠିକ୍ ଜାଗାରେ ଛାଡ଼ି ଦେବୁ ।” ଯେଉଁ ମୁହୂର୍ତ୍ତରେ ମୁଁ ଅଟୋରେ ବସିଲି, ମୋ ହୃଦୟଟା ହଠାତ୍ ବ୍ୟାକୁଳ ହୋଇଉଠିଲା । ମନ ଖୋଜିଲା ସେହି ଆତ୍ମତୃପ୍ତି । ବିକଳ ହୋଇ ଅଟୋରୁ ପଛକୁ ଦେଖିଲି । କିନ୍ତୁ ସେ ଜନସମୁଦ୍ରରେ ସେ ଦୁହେଁ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ । ମନଟା ମୋର ଅଶାନ୍ତ ହୋଇଉଠିଲା । ଆଜିବି ମୋ ଶରୀର ମନରେ ଶିହରଣ ଖେଳିଯାଏ ଯେତେବେଳେ ମୁଁ ସେହି ସ୍ୱର୍ଗୀୟ ମିଳନକୁ ସ୍ମରଣ କରେ । ଅଟୋଟି ମୋତେ ନେଇ ବସ୍ ଷ୍ଟାଣ୍ଡରେ ପହଞ୍ଚାଇ ଦେଲା । ଭଡ଼ା ନନେଇ ଛୋଟିଆ ହସଟିଏ ହସି ଗାଡ଼ି ଛୁଟାଇ ଚାଲିଗଲା । ମୁଁ ଚିନ୍ତା କଲି ବସ୍‌ରେ ବସି ଯାହା ହେବ ଠାକୁରେ ବୁଝିବେ । ବସ୍‌ରେ ବସି ଭାବୁଥାଏ ବିଗତ ୨୪ ଘଣ୍ଟାରେ ମୋ ସହ କ’ଣ ସବୁ ଘଟିଗଲା । ସେତେବେଳେ ଯାଇ ମୋ ମନକୁ ଆସିଲା ଆରେ ସେ ପିଲା ଦୁହିଁଙ୍କ ନାଁ ତ’ ମୁଁ ପଚାରି ପାରିଲିନି । ମନଟା ଏକ ଅଦ୍ଭୁତ ସ୍ଥିତିକୁ ଚାଲିଗଲା ।

ସେତିକି ବେଳେ ପଛ ସିଟ୍‌ରୁ କେହି ଜଣେ ବ୍ୟୋୟଜ୍ୟେଷ୍ଠ ବ୍ୟକ୍ତି ଆଉ ଜଣକୁ କହୁଥିବାର ଶୁଣିଲି, “ଆରେ! ଏ ପରା ଜଗନ୍ନାଥ ଧାମ । ଏଠାରୁ କେହି କ’ଣ ଓପାସରେ ଫେରେ । ଜଗା ଯେମିତି ହେଉ ଖୁଆଇ ପିଆଇ ପଠାଇବ ନା! ଭୋକରେ ଏଠାରୁ ଚାଲିଗଲେ କାଳିଆକୁ କ’ଣ ଭଲ ଲାଗିବ?” ବାସ୍ ଆଉ କିଛି ଶୁଣିବାକୁ ମୋର ଧୈର୍ଯ୍ୟ ନଥିଲା । ହୃଦୟଟା ଖାଲି ନୀରବରେ ଚିତ୍କାର କରୁଥିଲା । ଆଖିର ଲୁହ ବନ୍ଧ ବାଡ଼ ଡେଇଁ ବହିଚାଲିଲା ମୋର ବିନା ଅନୁମତିରେ । ମୁଁ ମଧ୍ୟ ତାକୁ ଅଟକାଇବାକୁ ଚେଷ୍ଟା କଲିନାହିଁ । ଲୁହର ଦର୍ପଣରେ ମୁଁ ଦେଖୁଥିଲି ବିତିଯାଇଥିବା ସେହି ମୁହୂର୍ତ୍ତ ଗୁଡିକୁ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଭୁବନେଶ୍ୱର ପହଞ୍ଚିଗଲି, କିନ୍ତୁ ବସ୍ କଣ୍ଡକ୍ଟର ମୋ ପାଖକୁ ମଧ୍ୟ ଆସିଲା ନାହିଁ ।
ଘଟଣାଟି ନିଶ୍ଚୟ କାଳ୍ପନିକ ଲାଗୁଥିବ । କିନ୍ତୁ ଏହି ବାସ୍ତବତାକୁ ଜୀବନର ଅନ୍ତିମ ଯାତ୍ରା ପର୍ଯ୍ୟନ୍ତ ଅନୁଭବ କରୁଥିବି ।

ଜୟ ଜଗନ୍ନାଥ…

ଜ୍ୟୋତିରଞ୍ଜନ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...