ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ
ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

ଅପ୍ରଶସ୍ତ ଜୀବନର ଏକ ଅଧ୍ୟାୟ

“ଦଇବ ଦଉଡ଼ି ମଣିଷ ଗାଈ” । ଜୀବନରେ ସମସ୍ତେ ଏକ ସଂକୀର୍ଣ୍ଣ ପଥ ଖୋଜନ୍ତି ଯେମିତି ସେମାନଙ୍କ ଯାତ୍ରାରେ ବାଧା ସୃଷ୍ଟି ନହୁଏ । ଏମିତି ଅନେକ ବୃଥା ପ୍ରୟାସ କରି କ୍ଲାନ୍ତ ସମୟରୁ ଅବସର ନେଇ ପୁରୀ ଯିବାପାଇଁ ମନସ୍ଥ କଲି । ଚିନ୍ତାଗ୍ରସ୍ତ ମନରେ କିଛି ଅପୂର୍ଣ୍ଣ ବେଦନାର ହାହାକାର ଶୁଭୁଥିଲା । ପାଠ ପଢ଼ିବା ପାଇଁ ଗାଁ’ରୁ ସହର ସିନା ଚାଲିଆସିଥିଲି ହେଲେ ଏବେ ପର୍ଯ୍ୟନ୍ତ ବେକାରୀ ଜୀବନରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ । ଦିଗହରା ପ୍ରଶ୍ନର ଉତ୍ତର ପାଇବା ଆଶାରେ ଗାଧୋଇ ସାରି ବାହାରିଥିଲି । ବସ୍‌ସ୍ଟପ୍‌ରେ ପହଞ୍ଚିଗଲି । କିଛି ଲୋକ ଅସହାୟ ଦୃଷ୍ଟିଭଙ୍ଗୀରେ ଅପେକ୍ଷା କରିଥିଲେ ବସ୍‌ର ଆସିବା ବାଟକୁ । ଆଉ କିଛି ଲୋକ ଆଳାପର ପେଡ଼ି ଖୋଲି ବସିଥାନ୍ତି । ଏତିକି ବେଳକୁ ବସ୍ କଣ୍ଡକ୍ଟର ଆନ୍ଦୋଳନ କଲାଭଳି କହି ଚାଲିଥାଏ ଗନ୍ତବ୍ୟ ସ୍ଥଳର ନାଁ ଗୁଡ଼ିକ । ସିଟ୍ ଖୋଜି ବସିଲା ବେଳକୁ ମା’ଙ୍କ ଫୋନ ଆସିଯାଇଥାଏ । କଲ୍ ରିସିଭ୍ କଲି । ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିରରେ ଦୀପ ଦେବାପାଇଁ ମା କହିଥିଲା । ଆଉ ଫେରିବା ବେଳକୁ ପଇତା ସୂତା, ସଳିତା, ପୁରୀ ଗଜା ଆଉ ଅବଢ଼ା ଆଣିବା ପାଇଁ କହିଥିଲା । ଭୁବନେଶ୍ୱରଠାରୁ ପୁରୀ ପାଖାପାଖି ୬୦ କି.ମି । ଘଣ୍ଟାରେ ଦେଖିଲାବେଳକୁ ଠିକ ୧୦ଟା ବାଜି ୧୫ ମିନିଟ । ବସନ୍ତ ପବନର ଧାରେ ଧାରେ ବୈଶାଖ ଛୁଆଁ ଦିନଟା ଯେମିତି ତା’ ଶଗଡ଼ ଗଡ଼ାଇ ଅପରାହ୍ନରେ ଲୀନ ହୋଇ ଯାଉଥାଏ । ମୋ ପାଖରେ ବସିଥିଲେ ଶ୍ୟାମଳ ବର୍ଣ୍ଣର ଜଣେ ବୟସ୍କ ବ୍ୟକ୍ତି । ମୁଁ ତାଙ୍କ ଯିବା ସ୍ଥାନ ବିଷୟରେ ଅବଗତ ହେଉ ହେଉ ଦୁହେଁ ଦୁହିଁଙ୍କ ପରିଚୟ ଜାଣିସାରିଥିଲୁ । ସେ ଆନନ୍ଦ ଦାସ । ସମ୍ପାଦକୀୟ ବୃତ୍ତିରେ ପ୍ରାୟ ୨୪ ବର୍ଷର ଅଭିଜ୍ଞତା । ଇତ୍ୟବସରରେ ଆନନ୍ଦ ମଉସା କହିଥିଲେ ତାଙ୍କର ଅଣଦେଖା ସ୍ଵପ୍ନ ଗୁଡିକ ବିଷୟରେ । ଚାକିରିରୁ ଅବସର ନେଲାବେଳେ ଦୁଇ ପୁଅଙ୍କୁ ମଣିଷ କରି ଗଢ଼ି ସାରିଥିଲେ । ବଡ଼ ପୁଅ ବ୍ୟାଙ୍କ କର୍ମଚାରୀ । ସାନ ପୁଅ ମାସେ ଅଧେ ଚାକିରୀ କରିଥିଲା, ହେଲେ କ’ଣ ହେବ ଏ କାଳର ଚକ୍ରବ୍ୟୁହରୁ କିଏ ବଞ୍ଚିଛି ନା ବଞ୍ଚିବ । ତାକୁ ବ୍ଲଡ଼ କ୍ୟାନ୍ସର, ସେକେଣ୍ଡ ଷ୍ଟେଜରେ ସେ ଏବେ । ପୁରୀରେ ପହଞ୍ଚିଲା ବେଳକୁ ମଧ୍ୟାହ୍ନଟା ମୁଣ୍ଡ ଉପରେ ରହି ଠୋ ଠୋ ହୋଇ ହସୁଥିଲା । ମୁଁ ଆନନ୍ଦ ମଉସାଙ୍କ ସହିତ ବଡ଼ଦାଣ୍ଡରେ ଓହ୍ଲାଇ ପ୍ରସନ୍ନ ବଦନ କାଳିଆ ଠାକୁରଙ୍କୁ ଟିକିଏ ଆଖିଭରି ଦେଖିବା ଲାଗି ପ୍ରାର୍ଥନା କରୁଥାଏ । ପାଦ ଧୋଇ ସିଂହଦ୍ଵାରଠାରେ ପହଞ୍ଚି ମୁଁ ଅନୁଭବ କଲି ଶତ ଜନ୍ମର ପାପ ଧୋଇ ହେଇଯାଇଥିଲା ଯେମିତି । ଆନନ୍ଦ ମଉସା କାଳିଆ ଠାକୁରଙ୍କ ଅଭୂତପୂର୍ବ ବିଚାରକୁ ଅନେଇ ବସିଥିଲେ ଯେମିତି ।

ସବୁଥର ମୁଁ ଆସେ ଜଗନ୍ନାଥଙ୍କ ଦର୍ଶନ ପାଇଁ, କିନ୍ତୁ ଏଥରର ଜଗନ୍ନାଥ ଦର୍ଶନ କିଛି ନିଆରା ଅନୁଭୂତି ଆଣିଥିଲା । ଜଗନ୍ନାଥ, ନାମରେ ହିଁ ତାଙ୍କର ଦେଖିବାକୁ ମିଳିଥାଏ ଶାଶ୍ଵତ ଚିରନ୍ତନ ରୂପ । ସେ ଅନନ୍ତ, ସେ କାଳ, ସେ ଅବ୍ୟାହତ ପବନ, ସେ ସନ୍ଦିଗ୍ଧ ଛାୟାରେ ଏକ ମୂର୍ତ୍ତିମନ୍ତ ଆଲୋକ । ବଡ଼ ଉଲ୍ଲାସର ସହିତ ସେହି ତିନି ଠାକୁରଙ୍କ ଦର୍ଶନ କରିବା ପରେ ମୁଁ ଆନନ୍ଦ ମଉସାଙ୍କୁ ଧନ୍ୟବାଦ କହି ଚାଲି ଆସିଲି ଦ୍ଵୀପ ପ୍ରଜ୍ଜ୍ୱଳନ କରିବା ପାଇଁ । ଲକ୍ଷ୍ମୀ ମନ୍ଦିର ଏବଂ ବିମଳା ମନ୍ଦିରରେ ଦୀପ ଦେଇ ଚାଲିଆସିଥିଲି ଆନନ୍ଦ ବଜାରରେ ଅବଢ଼ା ଭୋଜନ ପାଇଁ । ବରାଦ୍ କରିବା ପରେ ଖାଇବାକୁ ଗଲି ଭୋଜନ ମଣ୍ଡପକୁ । ଦେଖିଲି ବୁଢ଼ୀଟିଏ ଜଗି ବସିଥାଏ, ସମସ୍ତେ ଅବଢ଼ା ଖାଇବାସାରିବାପରେ ହାଣ୍ଡି ନେଇ ବିକିବା ପାଇଁ । ଭାବିଲି ଏ ଟଙ୍କେ ଦି’ଟଙ୍କା ଲାଭରେ ତା’ର କ’ଣ ପେଟ ପୂରିବ? ଯାଇ ପଚାରିଲି- “ମା ତୁମେ ଖାଇଛ?” ସେ କହିଲା, “ଦିନ ସିନା ସରିଯାଏ ହେଲେ ଏ ହତଭାଗିନୀ ବୁଢ଼ୀର ଦୁଃଖ ଜଗନ୍ନାଥଙ୍କ ଛଡ଼ା ଆଉ କେହି ବୁଝନ୍ତି ନାହିଁ । ଏଠି ସବୁ ନିଜ ନିଜର ଖେଳ ଦେଖେଇବାରେ ବ୍ୟସ୍ତ, ହେଲେ ତା’ର ଖେଳ ନିଆରା । ସକାଳୁ କିଛି ଖାଇନିରେ ପୁଅ । ମୋ ଅବଢ଼ା ହାଣ୍ଡି ଗୁଡାଏ ଥୁଆ ହୋଇଛି ସେଇଠି । କିଏ ନେଇଯିବ ବୋଲି ଜଗି ବସିଥିଲି ।” ମୁଁ ତା’ର ଚେହେରାରେ ଅବସନ୍ନର ପାଦଚିହ୍ନ ଦେଖିବାକୁ ପାଇଲି । ତାକୁ ମୁଁ କିଣିଥିବା ଅବଢ଼ା ହାଣ୍ଡିରୁ କିଛି ଦେଇ କହିଲି- “ମା ଏତକ ନିଅ, ଖାଇଦିଅ ।” ସେ ଯେମିତି ସେହି ଅମୃତ ରୂପକ ଅବଢ଼ାକୁ ଭଗବାନଙ୍କ କୃପା ସ୍ଵରୁପ ଗ୍ରହଣ କଲା । ସମୟ ଦେଖିଲାବେଳକୁ ୧ଟା । ମନେ ମନେ ମନସ୍ଥ କଲି କୋଣାର୍କ ବୁଲି ଆସିବା ପାଇଁ । ପୁରୀ ଠାରୁ କୋଣାର୍କ ଘଣ୍ଟାଏ ବାଟ । ବସ୍‌ରେ ବସି ବସି ଅଣ୍ଟା ପିଠି କାଠ । ମୀରା ସାଙ୍ଗରେ ଥିଲେ ଭଲ ହେଇଥାନ୍ତା । ମୀରା, ସେ ଥିଲା ମୋର ମରୁଭୂମିରେ ବର୍ଷା ସଦୃଶ । ମରିଚୀକାରେ ବୁଲି ବୁଲି ବୁନ୍ଦାଏ ଜଳ ପାଇଥିଲି ହେଲେ ସେଇଟା ବି ଶୁଖିଯାଇଥିଲା । ସୁଦୂର କୁଶଭଦ୍ରା ନଦୀ କୂଳରେ ତା’ ସହ କିଛି ସମୟ ବିତାଇବାକୁ ଇଚ୍ଛା ହେଉଥିଲା । ପ୍ରେମର ଅବିରତ ବାର୍ତ୍ତାଳାପ କରିଥାନ୍ତି ଟିକିଏ, ହେଲେ ତା’ର ଅସ୍ତିତ୍ୱ ମୋ ପାଖରେ ହଜିଯାଇଛି । ମୁଁ ଭାବୁଥିଲି ଆନନ୍ଦ ମଉସା କ’ଣ ଫେରିଥିବେ? କ’ଣ ସେ ବୁଢ଼ୀଟା ଖାଇଥିବ? ମୀରା ଏବେ କୋଉଠି ଥିବ? ଏମିତି ଅତିରିକ୍ତ ପ୍ରଶ୍ନ ସବୁ ଉଙ୍କି ମାରୁଥିଲା ମୋ ଭିତରେ । କୋଣାର୍କରେ ପହଞ୍ଚି ନବଗ୍ରହ ମନ୍ଦିରକୁ ଦର୍ଶନ କରିବା ପାଇଁ ଗଲି । ସୂର୍ଯ୍ୟଙ୍କର ଛାୟାରେ ଲୁଚିରହିଥିବା ସେଇ ମନ୍ଦିରର କଳାନୈପୁଣ୍ୟକୁ ବଖାଣିବା କଷ୍ଟକର । ବିପରୀତ ପାର୍ଶ୍ୱରେ ମୁଣ୍ଡ ଟେକିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । ସେ’ଠି ପଥର ବି କଥା କୁହେ । ଧର୍ମପଦର ନିଃସ୍ୱାର୍ଥ ତ୍ୟାଗ ବାରମ୍ବାର ଢ଼େଉ ହୋଇ ଫେରିଆସେ କେତେକ ସ୍ୱର୍ଣ୍ଣିମ ବାଲିଘରକୁ ଛୁଇଁବାକୁ । କୋଣାର୍କ ତା’ ବୁକୁରେ ଅନେକ ନିଃଶ୍ୱାସକୁ ଜାବୁଡ଼ି ଧରି ରଖିଛି ଯେମିତି । ଫେରୁ ଫେରୁ ସନ୍ଧ୍ୟା ଆସନ୍ନ ପ୍ରାୟ । ମୋ ମନର ଅକୁହା ଗଳ୍ପ ସବୁ ଜୀବନର ପଶାପାଲିରେ ଛନ୍ଦି ହୋଇ ଯାଉଥାଏ । ସେଇ ବିଲୁପ୍ତ ସନ୍ଧ୍ୟାର କେତୋଟି ପଦ୍ୟାଂଶକୁ ନେଇ ରାତି ତା’ର କବିତା ଲେଖିବା ଆରମ୍ଭ କରିଥାଏ, ଆଉ ମୁଁ ଫେରିଆସେ ମୀରାର ସେଇ ଅଫେରା ବାଟକୁ ଚାହିଁ । ମୋ କ୍ଲାନ୍ତିର ପରିସମାପ୍ତି ହୋଇଥିଲା । ମୁଁ ଆସି ରୁମ୍‌ରେ ପହଞ୍ଚିଲା ବେଳକୁ ଅର୍ଦ୍ଧଚନ୍ଦ୍ରର ପରିସୀମା ଆକାଶରେ ପରିବ୍ୟାପ୍ତ କରିଥାଏ । ସେଦିନର ସ୍ମୃତି ସବୁ ଅପାସୋରା ହୋଇ ଆଖି ଆଗରେ ଅନୁଲିପ୍ତ । ସେତେବେଳକୁ ଏକ ଅନୁଷ୍ଣ ନିଦ୍ରା ମୋ ଶରୀରରେ ବସା ବାନ୍ଧିଥିଲା । ଏଇ ଅଧୀୟାନ୍ ଗୁଡିକ ଏମିତି ଅଧୀର ହୋଇ ପଡ଼ନ୍ତି କଣ୍ଟା ଶେଜରେ ଶୋଇ ତାହା ମୁଁ ହୃଦୟଙ୍ଗମ କରିପାରିଥିଲି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu