ତୋର ହସ ଯେବେ ଲୁଚିଗଲା,
ତୋର ଚିତ୍କାର ଆଢ଼ୁଆଳରେ,
ସେଇ ନିର୍ଜନ କାଳ ରାତ୍ରିରେ ।
ତୋର କ୍ଷତ-ବିକ୍ଷତ ଶରୀର ସାଥେ,
ରହିଗଲା କିଛି ଗଭୀର ଛାପ,
ତୋ ପବିତ୍ର ଆତ୍ମା ରେ ॥
ତୋର ଲୁହ ଦେଖିଲେ ନାହିଁ କେହି,
ଯାହା ବିତିଗଲା ରାତି ସହ,
ବଢ଼ି ଚାଲିଥିଲା ।
କହିଲେ ନାହିଁ ଆହା ପଦେ କେହି,
ଆଉ ଏକା ଏକା ତୋତେ,
ସହିବାକୁ ପଡ଼ିଥିଲା ॥
ସହି ଗଲୁ ତୁନି ତୁନି ସବୁ ଦୁଃଖ କଷ୍ଟ,
ଲୁଚାଇଲୁ ସବୁକୁ ତୋ ଛାତି ଭିତରେ ।
ମରୁଥିଲୁ ପ୍ରତି ମୁହୂର୍ତ୍ତରେ ତୁ ଜଳି,
ଯେମିତି ପତଙ୍ଗ ଜଳେ,
ଝାସ ଦେଇ ନିଆଁରେ ॥
ନୀଳକଣ୍ଠ ପାଲଟିଲୁ ତୁ,
ପିଇଯାଇ ସବୁ କ୍ଳେଶର ଜହର ।
କାହିଁକି ନା ତୁ ନାରୀ,
ସହି ଗଲୁ ମଥା ପାତି,
ସବୁ ଅନ୍ୟାୟକୁ ଅନ୍ୟର ॥
ହେଲେ ନାରୀ ନୁହେଁ କେଉଁ ଏକ ସାମଗ୍ରୀ,
ଯାହା ଆସେ କୌଣସି,
ସମାପ୍ତିର ଦିନ ନେଇ ।
ନୁହେଁ ସେ ଏକ ଉପଭୋଗର ବସ୍ତୁ,
ଯାହା ବ୍ୟବହାର କରି,
ଫୋପାଡ଼ିବ କେହି ॥
ଶକ୍ତି ସ୍ୱରୁପିଣୀ ସେ,
ଅଟେ ଜଗତଜନନୀ,
ଦିଏ ସିଏ ନୂତନ ଏକ ଜୀବନ ।
ଶଯ୍ୟାପରେ ନୁହେଁ,
ସବୁ କଳ୍ପନା-ଜଳ୍ପନାର ଉର୍ଦ୍ଧ୍ୱରେ,
ରହିଥାଏ ତାର ସ୍ଥାନ ॥