ପଡ଼ୋଶୀ

Odia Poem Padoshi (ପଡ଼ୋଶୀ) by Saroj Kumar Sahoo

ଦୁଃଖକୁ ନେଇଣ ସୁଖରୁ ମୁଠାଏ
ପାରେନା ସିନା ସେ ଅଜାଡ଼ି
ପରିବାର ମଧ୍ୟେ ହେଲେ ମତାନ୍ତର
ସହଜରେ ଦିଏ ସଜାଡ଼ି ।

ଭୁଲାଇ ଦିଏ ସେ କ୍ଷଣିକ ମଧ୍ୟରେ
ଥାଅ ଯେତେ ଦିନ ରୁଷିକି
ଭାବ ଦିଆନିଆ ହୋଇଯାଏ ଯଦି
ପଦେଅଧେ କେବେ ବସିକି ।

ତେଲଲୁଣ ଠାରୁ ଘରକରଣା ବି
ବଖାଣି ଦିଏ ସେ ଆଗରେ
ଚୋରା ପିରତିର ଖୋଲେ ବି ଗୁମର
ସବୁଠୁ ନିଆରା ଢଙ୍ଗରେ ।

ପୁନେଇଁ ପରବେ ହେଲେ ପିଠାପଣା
ଖଣ୍ତେ ଅଧେ ଦିଏ ଯାଚିକି
ସିଏ ବି ଜଣାଏ ତା’ ଘରର ଚଳଣି
ବୁଝିଥାଏ ତୋ’ର ରୁଚିକି ।

ହାନି ଲାଭରେ ବି ପଡ଼ିଲେ ଅକାଳେ
ଛିଡ଼ା ହୋଇଯାଏ ରାତ୍ରରେ
ତୁଣ୍ତରେ ସିନା ସେ ବଖାଣିନି କେବେ
ବନ୍ଧୁତ୍ୱ ଭାବ ତା’ ଗୋତ୍ରରେ ।

ତୁଣ ତରକାରୀ ଯାଚିଲେ ଯାହାବି
ମନା କରେନା ସେ ନେବାକୁ
ସ୍ନେହ ଆଦରରେ ବନ୍ଧୁତାର ପଣ
ବଜାଇ ରଖେ ତା’ ଶୋଭାକୁ ।

– ସରୋଜ କୁମାର ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply