ସକାଳୁ କାକର ଛାଡ଼ି ନଥିବା କ୍ଷେତରେ,
ଲୁଙ୍ଗି ଖଣ୍ଡେ ପିନ୍ଧି ଫୁଙ୍ଗୁଳା ଦେହରେ,
କାଟି ଚାଲିଥିଲା ତା’ ସୁନେଲୀ ସ୍ୱପ୍ନର
କନକ ବର୍ଣ୍ଣା ଧାନ ଗଛକୁ ।
××××
କ୍ଷେତରେ ସୂରୁଜ ଉଇଁ
କ୍ଷେତରେ ହିଁ ବୁଡ଼ିଗଲା,
ସଞ୍ଜ ପରେ ଅନ୍ଧାର ମୁହଁରେ
ଘରକୁ ଫେରି ଆଉଁସିଲା
ଲୁଣିଆ ଝାଳରେ ଭିଜା ମୁହଁକୁ ।
××××
କତରାରେ ପଡ଼ି ଦଦରା ଚାଳର
ଫାଙ୍କରେ ଦେଖୁଥିଲା
ମଉଳା ଖଣ୍ଡିଆ ଜହ୍ନକୁ,
ନିଦ ହଜା ଆଖିରେ
ଅସମ୍ପୂର୍ଣ୍ଣ ସ୍ୱପ୍ନ ଉଙ୍କି ମାରୁଥିଲେ ।
ପକ୍ଷାଘାତ ରୋଗିଣା ସ୍ତ୍ରୀର ଔଷଧ,
ବଡ଼ଝିଅର ଯାନି ଯୌତୁକ,
ମାଗୁଥିଲେ ହିସାବ କ୍ୱିଣ୍ଟାଲ୍ ପ୍ରତି
୧୯୪୦ ଟଙ୍କାର ।
××××
ରାତି ପାହିଲା ସକାଳ ହେଲା
କୁଆ ରାବିଲା
କିନ୍ତୁ ଆସିଲାନି ସୂର୍ଯ୍ୟ ।
ଭୋରୁ ଲାଗିଯାଇଥିଲା ଆଖି,
ଶୁଣି ପାରି ନଥିଲା ଗର୍ଜନ,
ଆକାଶେ ଲାଗି ଯାଇଥିଲା
କଳା ଯମଦୂତଙ୍କ ମେଳା,
ସୁ ସୁ ହୁଙ୍କାରରେ
ବହି ଆସୁଥିଲା କାଳବାୟୁ ।
ଝିଅର ଆଖି ଆଗରେ
ଉଡ଼ି ଯାଇଥିଲା କନକ ବର୍ଣ୍ଣା ଧାନ,
ଓଦା ସର ସର କ୍ଷେତର
ଲୁହରେ ସଡ଼ ସଡ଼ ତା’ ବାହାଘରର ସ୍ୱପ୍ନ ।
××××
ଚିତ୍କାର କରୁ ଥିଲା ଝିଅ,
“ବାପା ଉଠ ! କିଛି ଗୋଟେ କର !
ଦେଖ ଆମ ଘରର ଚାଳ ବି
ଧାନ ସହ ଉଡ଼ି ଯାଉଛି ।”
ଧାଉଁ ଥିଲା ଘରୁ କ୍ଷେତକୁ
ଆଉ କ୍ଷେତରୁ ଘରକୁ।
ଝିଅ ପିଲାଟେ କାହାକୁ ସମ୍ଭାଳିବ ,
ଫଟା ପଣତ କାନିକୁ ନାଁ ଫଟା କପାଳକୁ ।
ବଳଦଟି ଗୁହାଳୁ ଫିଟି ଦଉଡ଼ି ପଳେଇ
ଅଦୃଶ୍ୟ ହେଇଗଲା ଗାଁ ମୁଣ୍ଡରେ ।
××××
ଦଉଡ଼ି ଗଲା ମା’ ପାଖକୁ,
ଡାକିଲା, “ମା ! ଉଠ୍ ।
ଅଗଣାରେ ଭର୍ତ୍ତି ପାଣି,
ଓଦା ହେଇଯିବୁ ।”
ମା’ର ଦେହ ବରଫ, ନୀରବ ନିଶ୍ଚଳ ।
ଚମକି ପଡ଼ି ଚାହିଁଲା ବାପାକୁ ।
ଏ କ’ଣ? ବାପା ହସୁଛି !
ଆଖି ମେଲା, ପଲକ ପଡ଼ୁନି ।
××××
ନଥ୍ କିନା ବସି ପଡ଼ିଲା ।
ଉଜୁଡ଼ା କ୍ଷେତ, ଉଜୁଡ଼ା ଘର,
ଉଜୁଡ଼ା ସ୍ୱପ୍ନ, ଉଜୁଡ଼ା ସଂସାର ।
ସମସ୍ତେ କହୁଥିଲେ
ପଦୁ ପଧାନ ବୋଧେ ଚାଲି ଯାଇଛି,
ଭଗବାନଙ୍କ ପାଖକୁ,
ତା’ କ୍ଷେତର ସମସ୍ତ ଧାନର
ହିସାବ ଆଣିବାକୁ ।
– ବିଶ୍ୱନାଥ କିଙ୍କର ରାଉତ
Comments
ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।