ପ୍ରଣୟ-ଇଙ୍ଗିତ

Odia Poem Pranaya Ingita (ପ୍ରଣୟ-ଇଙ୍ଗିତ) by Chittaranjan Barik

ରାତି ନିରବତା ଭାଙ୍ଗି ଖେଳୁଥିବ,
ଧକ୍ ଧକ୍ ସେଇ ଶବ୍ଦ ।
ପ୍ରୀତିର ଧାରେ ସ୍ପନ୍ଦନ ସିଏ,
ଦୁଇ ହୃଦୟରୁ ଲବ୍ଧ ॥

ସ୍ୱପ୍ନିଳ ତୁମ ମୁଖ ଦର୍ପଣେ,
ଖୋଜୁଥିବି ମୋର ଚିତ୍ର ।
ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ,
ହୋଇ ବନ୍ଧନ ମୁକ୍ତ ॥

କେବେ ଦେଉଥିବ ଇଙ୍ଗିତ ସିଏ,
କେବେ ହେଉଥିବ ଶ୍ରାନ୍ତ ।
ଶାନ୍ତ ନିରୀହ ନୟନ ଦ୍ୱୟ,
ଭିନ୍ନ ନିଶାରେ ମତ ॥

ଚିବୁକ ଅଧରେ ପ୍ରେମର ଝଲକ,
ସ୍ପଷ୍ଟ ହେଉଥିବ ବାରି ।
ଚିବୁକେ ଚୁମ୍ବନ ଆଙ୍କି ହେଉଥିବ,
ମଧୁମୟ ଚିତ୍ର ପରି ॥

ମୃଦୁ ପ୍ରକମ୍ପିତ ଅଧର ତୁମ,
କହୁଥିବ କେତେ କଥା ।
କଥା ସବୁ ମୋର ଘନ ହୃଦୟେ,
ପ୍ରଣୟର ସୁତ୍ରେ ଗୁନ୍ଥା ॥

ମସୃଣ ଚିବୁକୁ ବାହୁପରି ଯନ୍ତେ,
ବେକ ଦେଶ ଅନୁସରି ।
ଉଲଗ୍ନ କହୁଣୀ କଟିଦେଶେ ପୁଣି,
ମନ୍ଥର ସ୍ପର୍ଶେ ବିହରି ॥

କ୍ଷଣେ ଗାଉଥିବା ପ୍ରଣୟ ସଙ୍ଗୀତ,
କ୍ଷଣେ ହେଉଥିବା ଶାନ୍ତ ।
କ୍ଷଣେ ତୋଳୁଥିବା ପ୍ରଣୟ ଦେଉଳ,
କ୍ଷଣେ ହେଉଥିବା କ୍ଷାନ୍ତ,
ପ୍ରୀତିର ପରଶେ ଭାଙ୍ଗି ନିର୍ଜନତା ॥

ନିର୍ଝରେ ତା’ ହେବା ସିକ୍ତ
ବାସ୍ତବ ହୋଇବ ପ୍ରଣୟ ସଙ୍ଗୀତ,
ଇଙ୍ଗିତ ହେବ ସତ…
ଇଙ୍ଗିତ ହେବ ସତ…

– ଚିତ୍ତରଞ୍ଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...