ସକାଳୁ ସକାଳୁ ପ୍ରବଳ ବର୍ଷା । କିନ୍ତୁ କ’ଣ କରିବା । ମେଡ଼ିକାଲ ତ ଯିବାକୁ ହେବ । ଅଟୋଟିଏ ଡାକି କେତେ ଟଙ୍କା ନେବ ପଚାରିଲି । ୧୫୦ ଟଙ୍କା ଶୁଣି ମଧ୍ୟବିତ୍ତ ଅହଂକାରକୁ ଧକ୍କା ଲାଗିଲା । ଛତାଟେ ଧରି ବସ୍ ଷ୍ଟାଣ୍ଡ ଅଭିମୁଖେ ଚାଲିଲି । ଯାହା ହେଉ ଅଧା ଓଦା ହୋଇ ମେଡିକାଲ୍ରେ ପହଞ୍ଚିଲି । କାମ ସରିଲା ବେଳକୁ ଦିନ ଗୋଟାଏ । କଳିଙ୍ଗ ହସପିଟାଲ ଛକରୁ ୧୩ ନମ୍ବର ଧରିଲି ।
ବସ୍ ଭିତରେ ପ୍ରବଳ ଭିଡ଼ । ବର୍ଷା ଯୋଗୁଁ କେହି ଆଉ ବାହାରେ ଅପେକ୍ଷା କରିବାକୁ ଚାହୁଁ ନାହାନ୍ତି । ଦେଖିଲା ବେଳକୁ ବସ୍ ଭିତରେ ଝଗଡ଼ା ଚାଲିଛି । ଜଣେ ୩୦/୩୨ ବର୍ଷର ମହିଳା ପାଟି କରିଚାଲିଛନ୍ତି । ମୁଁ ଟିକେ ଠେଲି ପେଲି ଆଗକୁ ଗଲି । ଦେଖିଲି ମହିଳା ମାନଙ୍କ ପାଇଁ ସଂରକ୍ଷିତ ସିଟ୍ରେ ଜଣେ ୭୦/୭୫ ବର୍ଷର ବୃଦ୍ଧ ବସିଛନ୍ତି ଓ ମହିଳା ଜଣଙ୍କ ତାଙ୍କୁ ସେ ସିଟ୍ ଛାଡ଼ିବାକୁ ବାଧ୍ୟ କରୁଛନ୍ତି । କେବଳ ମହିଳା କଣ୍ଡକ୍ଟରଙ୍କ ଛଡ଼ା ଆଉ କେହି ସେଥିରେ ପ୍ରତିବାଦ କରୁନାହାନ୍ତି ।
ମୁଁ ଘଟଣାଟା ବୁଝି ସାରିଲା ପରେ ସେ ମହିଳାଙ୍କ ବେକରେ ଝୁଲୁଥିବା ପରିଚୟ ପତ୍ରକୁ ଦେଖିଲି । ସେ ଜଣେ ବ୍ୟାଙ୍କ କର୍ମଚାରୀ ବୋଲି ଜଣା ପଡ଼ିଲା । ମୁଁ କହିଲି, “ଦେଖନ୍ତୁ, ସେ ଜଣେ ବୟସ୍କ ବ୍ୟକ୍ତି । ଛିଡ଼ା ହେବାର କ୍ଷମତା ନାହିଁ । ଆପଣ ଟିକେ ଛିଡ଼ା ହେଇଗଲେ ଚଳନ୍ତାନି?” ଏତିକି ଶୁଣି ସେ ମହିଳାଙ୍କ ରାଗ ଆହୁରି ବଢ଼ିଗଲା । “ସେ ଜଣେ ପୁରୁଷ, ସେ କାହିଁକି ମହିଳାଙ୍କ ସିଟ୍ରେ ବସିଛନ୍ତି? ସେ ଯାଇ ବୟସ୍କ ମାନଙ୍କ ସିଟ୍ରେ ବସୁନାହାନ୍ତି । ଆପଣଙ୍କୁ ଯଦି ଏତେ ଦୟା ତେବେ ନିଜ ମୁଣ୍ଡ ଉପରେ ବସାନ୍ତୁ ।”
ଏ ସବୁ ଦେଖି ମଉସା ଜଣଙ୍କ କଷ୍ଟେ ମଷ୍ଟେ ଉଠି ଆସିଲେ । ମୁଁ ତାଙ୍କୁ ଧରି ଠିଆ ହେଲି । ଆଚାର୍ଯ୍ୟ ବିହାର ଛକରେ ତାଙ୍କ ହାତ ଧରି ଓହ୍ଲେଇବାରେ ସାହାଯ୍ୟ କରି ପୁଣି ବସ୍ ଭିତରକୁ ଆସି ଠିଆ ହେଲି । ଝରକା ବାହାରକୁ ଚାହିଁ ଦେଖିଲି ମଉସା ମୋତେ ଗୋଟେ ହାତ ହଲାଇ ଆଶୀର୍ବାଦ ଦେଉଛନ୍ତି ।
ଆନନ୍ଦ ବଜାର ଛକରେ ସେ ମହିଳା ଜଣଙ୍କ ମଧ୍ୟ ଓହ୍ଲେଇ ଗଲେ । ପ୍ରାୟ ଅର୍ଦ୍ଧାଧିକ ଲୋକେ ଆଚାର୍ଯ୍ୟ ବିହାରରେ ଓହ୍ଲାଇ ଯାଇଥିଲେ । ବସ୍ ଫାଙ୍କା ହେଇ ଯାଇଥିଲା । କିନ୍ତୁ ବସିବା ପାଇଁ କେବଳ ଗୋଟିଏ ସିଟ୍ ଖାଲି ଥିଲା, ତାହା ବି ମହିଳା ସିଟ୍ । ମୁଁ ଇଚ୍ଛା ଥିଲେ ବି ସେ ସିଟ୍ରେ ବସି ପାରୁ ନଥାଏ । କାରଣ ଆପଣମାନେ ବୁଝି ପାରୁଥିବେ । ଆଉ ଗୋଟିଏ କାରଣ ବି ଥିଲା । ସେ ସିଟ୍ରେ ପାଖରେ ବସିଥିବା ମହିଳା ଜଣକ ପୃଥୁଳାକାୟ ଥିଲେ ଓ ନିଜ ସିଟ୍ ସହିତ ପାଖ ସିଟ୍ର ଅଧା ଭାଗ ଅଧିକାର କରିଥିଲେ ।
କିଛି ସମୟ ପରେ ସେ କହିଲେ, “ଭାଇ ଠିଆ ହେଇଛନ୍ତି କାହିଁକି ବସି ପଡ଼ନ୍ତୁ ।” ମୁଁ କହିଲି, “ନାହିଁ ଥାଉ । ମୁଁ ଏମିତି ଠିଆ ହୋଇ ଚାଲିଯିବି ।” ସେ କହିଲେ, “ଆରେ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ସେ ସ୍ତ୍ରୀ ଲୋକ ପରି ନୁହଁ । ମୋର ମାନବିକତା ଅଛି ଓ ଏ ସରକାରୀ ବସ୍ ଉପରେ ସମସ୍ତଙ୍କର ଅଧିକାର ଅଛି । ଆଉ ଆପଣ ଯଦି ନ ବସିବେ ତେବେ ମୋତେ ଲାଗିବ ଯେ ମୁଁ କାହାରି ନୈତିକ ଅଧିକାର ଛଡ଼େଇ ନେଲି ।” ଏତିକି କହି ସେ ହସିଦେଲେ ।
ଏଇ ଅଳ୍ପ ସମୟରେ ବ୍ୟବଧାନ ଭିତରେ ମୁଁ ଦୁଇଟି ନାରୀଙ୍କର ଦୁଇ ପ୍ରକାର ରୂପ ଦେଖିଲି । ଆଉ ଭଲ ଖରାପର ବିଚାର କରୁକରୁ ଭାବନାରେ ହଜିଗଲି । ଏଜି ଛକ… ଏଜି ଛକ… ଡାକ ଶୁଣି ଭାବନା ରାଇଜରୁ ଫେରି ଆସିଲି ଓ ତଳକୁ ଓହ୍ଲେଇ ପଡ଼ିଲି । ବାହାରେ ବର୍ଷା ସେମିତି ବର୍ଷୁଥାଏ ଆଉ ମୋ ମନ ବର୍ଷୁଥାଏ ଠିକ୍ ଭୁଲ୍ର ଦ୍ୱନ୍ଦ୍ୱ ଉପରେ ॥
– ବିଶ୍ୱନାଥ କିଙ୍କର ରାଉତ
Comments
ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।