ଏଇ ଜାଗା କାହିଁ ଲାଗେ ଅଜଣା,
ଚାରିପାଖେ ଖାଲି ଲୋକ ଅଚିହ୍ନା,
ସମସ୍ତେ ମତେ ଚାହିଁ ରହିଛନ୍ତି
ଭାରି ଡର ଲାଗୁଛି…
ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ।।
ପଣତରେ ତୋ’ର ଏ ସାରା ସଂସାର,
ଜାଣି ନାହିଁ ମୁଁ କିଏ ମୋ ନିଜର,
କିଏ ଆମ ପାଖକୁ ଆସୁଛି ପୁଣି କିଏ ଦୂରେ ଠିଆ ଅଛି
ଭାରି ଡର ଲାଗୁଛି…
ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ।।
ଶୁଭୁନାହିଁ କାହିଁ ତୋର ସ୍ୱର,
ଟାଣି ନେ ତୋ କୋଳକୁ ମତେ ଦେ ଦି ପାହାର,
ମୁଁ ପରା ଦୁଷ୍ଟ ହଉଛି, ତଥାପି ଶୁଣୁନୁ ତୁ
ଭାରି ଡର ଲାଗୁଛି…
ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ।।
ଭୋକ ହେଲାଣି,
ଶୋଷ ବି ଲାଗିଲାଣି,
ଆଜି କ’ଣ ପାଇଁ ତୁ ଡେରି କରୁଛୁ
ଭାରି ଡର ଲାଗୁଛି…
ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ।।
ଛୋଟ ପିଲାଟେ ମୁଁ, କିଛି କହି ପାରୁନି,
ତୁ ସେମିତି ଶୋଇଛୁ,
କେଜାଣି ସମସ୍ତେ କ’ଣ ସବୁ କହୁଛନ୍ତି
ଭାରି ଡର ଲାଗୁଛି…
ଉଠି ଯା’ ମାଆ, ତୋ’ ପୁଅ ଡାକୁଛି ।।
– ପଦ୍ମଲୋଚନ ପାଢ଼ୀ
Comments
ପଦ୍ମଲୋଚନ ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଅନେକ ଗପ, କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।