ରବିବାର ଅପରାହ୍ନ,
ଡିଡି ନାସନାଲ୍ରେ ବାଜି ଉଠୁଥିଲା,
“ରୂପା ଶଗଡ଼ିରେ ସୁନା କନିଆଁ”
ଗୀତଟି ସିନା ସେ ଗାଇଥିଲା ମିଛି ମିଛିକା,
ହେଲେ ପିଲାଠୁ ବୁଢ଼ାଯାଏ ସଭିଏଁ,
ମନେ ମନେ ଗୁଣୁଗୁଣୁ ହେଉଥିଲେ ସତସତିକା ।
ସେଇ ଜେଜେ ବୁଢ଼ା,
“କୂଳ ନନ୍ଦନ”କୁ ଝୁରି ଝୁରି,
“ଲକ୍ଷ୍ମଣ ରେଖା” ଟାଣି, ସେଇ ଭଗାରୀ ଭାଇ,
ନିଜେ ସିନା କାନ୍ଦିଥିଲା ମିଛି ମିଛିକା,
ହେଲେ ଜୀବନ୍ତ ଅଭିନୟରେ,
ସଭିଙ୍କୁ କନ୍ଦେଇ ଦେଉଥିଲା ସତସତିକା ।
ନବେ ଦଶକରେ,
ଦର୍ଶକ ମନରେ ରାଜ୍ କରୁଥିଲା,
“କୋଟିଏ ମଣିଷରେ ସେଇ ଗୋଟିଏ ଜଗା”
ପଘା ଧରି ସେ ସିନା fighting କରୁଥିଲା ମିଛି ମିଛିକା,
ହେଲେ ସେଇ swagକୁ ଦେଖି,
ସବୁ ଶଗଡ଼ିଆ ନିଜକୁ hero ଭାବୁଥିଲେ ସତସତିକା ।
“ବିଧିର ବିଧାନ”!!!
“ଜୀବନ ସଂଗ୍ରାମ”ରେ ପରାଜିତ ଆଜି,
ସେଇ “ଆ’ ବେ ପର୍ଶୁ, ଯା’ ବେ ପର୍ଶୁ, ବାବୁ ପର୍ଶୁରାମ୍” ।
“ଶୋଇ ଯା’ ମାମା” ବୋଲି ବୋଲି ଛୋଟ ଝିଅଟାକୁ,
ଶୁଆଉ ଥିଲା ସେଇ ବିଗ୍ ଅଙ୍କଲ୍ ମିଛି ମିଛିକା,
ହେଲେ ସଂସାରର “ଚକା ଭଉଁରୀ”ରେ,
ଶୋଇପଡ଼ିଛି ଆଜି ସେ ସତସତିକା ।
ଶତାବ୍ଦୀର “ମହାନାୟକ” ସେ,
ଅପରାଜୟ ବିଜୟ ସେ,
ସ୍ମୃତିର ଅସୁମାରୀ ଗନ୍ତାଘରେ,
ସଦା ଜୀବନ୍ତ ରହିବ ସେ “ସ୍ୱପ୍ନର ସାଗରେ” ।
– ଅଭିଷେକ ତ୍ରିପାଠୀ
Comments
ଅଭିଷେକ ତ୍ରିପାଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିଥାନ୍ତି ।