ସୋମବାର ଲୋ ! ତୁ କୋଉଠି ଅଛୁ?
ପ୍ରଥମଥର ପାଇଁ ତୋତେ ବହୁତ ଝୁରିଲିଣି ।
ସବୁ ଦିନ ଛୁଟିବାର ଏବେ ।
ଜାଣିଛି ସବୁ ସପ୍ତାହରେ ତୁ ଆସିଲେ କେତେ ଶୋଧିଛୀ ତୋତେ? ବର୍ଣ୍ଣନା ବି କରିପାରିବୁନି ବୋଧେ ।
ଏକା ବି ନୁହେଁ ସାଙ୍ଗ ମାନଙ୍କ ସାଙ୍ଗେ ମିଶିକି ବି ବହୁତ କହିଛି ତୋତେ ।
ଏଇଆ ନୁହେଁ ଯେ ଅଫିସ୍ ଯିବାକୁ ପଡ଼ିବ; ମାଆର କଡ଼ା ତାଗିଦ୍, “ବବୁଲୁ, ସୋମବାରରେ ଆଇଁଷ ଖାଇବୁନି” ଏଇଥିପାଇଁ । ତୁ ତ ଜାଣୁ ମୋର କେତେ ପ୍ରିୟ କୁକୁଡ଼ା ଫଡ଼ିଆଟା !
ରାଗିଥିବୁ ବୋଧେ?
ଏବେ ଶୋଧିବାର କାରଣ ବି ନାହିଁ । ଘରେ ରହୁଛି ଏବେ ପା । ଯାହା ମିଳୁଛି ଔଷଧ ଭାବିକି ଗିଳିଦଉଛି ।
ମନେଥିବ ଥରେ ତୋର ଛୁଟି ଥିଲା ମୁଁ ସେଦିନ ବହୁତ ଖୁସି ହେଇଥିଲି । ସେ ସବୁ ଫୁଲାଣ ଆଉ ନାହିଁ ।
ବସି ବସିକା ବିରକ୍ତିୟା ହୋଇଗଲିଣି । ସେପଟେ ରାମଙ୍କ ସେନା ବି ୫୦ ଡଜନ ଅସୁର ସଫା ସାରିଲେଣି । ତଥାପି ଟିକେ ବୁଲି ଆସିବି ଭାବିକି ଯାଇଥିଲି ଗାଁ ଛକ ଆଡ଼େ ଯେ, ମାଟିଆ ଡ୍ରେସ ପିନ୍ଧା ମାମୁଁ ଏମିତି ଉପହାର ଦେଇଛନ୍ତି ଯେ ନିତି ସକାଳୁ ଗାଧୁଆ ଘରେ ମନେପଡ଼ୁଛି ।
ତୋ ସଉତୁଣି ଶୁକ୍ରବାର ର ବି ଡିମାଣ୍ଡ୍ ନାହିଁ । କହିଦେବୁ ତ ତାକୁ ଟିକେ, ବେଶୀ ଫୁଲେଇ ହେବନି ଆଉ । ଭାଟି ଆଉ ପେଣ୍ଡାଲ ସବୁ ବନ୍ଦ । ତୋତେ ଏବେ ମୁଁ ପାଶୋରୀ ଦେଲିଣି ପ୍ରାୟ । ଲୁଗା ବି ଶୁଖେଇଲିଣି ଏବେ ତୋ ଦିନରେ । ତୋ ସାନ ଭଉଣୀ ଯୋଉ ଶନି ଆଉ ରବିବାର ଦି’ଟା ନଖାଇ ନପିଇ ଶୁଖି ଯିବେଣି । ବଞ୍ଚେଇକି ରଖିଥିବୁ ସେ ଦୁଇଟାଙ୍କୁ, ପରିସ୍ଥତି ଭଲ ହେଲେ ଦରକାର ପଡ଼ିବ ତାଙ୍କର ।
ଆଲୋ କୁଆଡ଼େ ଗଲୁ?
ଏବେ ଟିକେ ନୂଆ ହେଇକି ପଳେଇଆ । ଅଫିସ୍ ଯା’ନ୍ତି । ଫ୍ରେସ୍ ହେଇ ଯା’ନ୍ତା ମୁଣ୍ଡଟା ଟିକେ ।
ବହୁତ ଅଛି କହିବାକୁ ଯେ, ଥାଉ ପରେ କେବେ କହିବି, ମୋତେ ଟିକେ କାନ୍ଦ ମାଡ଼ିଲାଣି । ମୁଁ ଟିକେ କାନ୍ଦି ଆସେ ।
ଇତି
ତୋତେ ବେଶି ଶୋଧୁଥିବା ଆଇଟି ଦିନ ମଜୁରିଆଟିଏ ।
– ଅମୃତାଂଶୁ ପଣ୍ଡା
Comments
ଅମୃତାଂଶୁ ପଣ୍ଡା ପେଶାରେ ଜଣେ ଆଇଟି କର୍ମଚାରୀ ହେଲେ ମଧ୍ୟ ଓଡ଼ିଆ ଗଳ୍ପ, କବିତା ଆଦି ରଚନା କରିବା ସହ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ବ୍ୟଙ୍ଗ ଏବଂ ଥଟ୍ଟାମଜା ଆଦି ରଚନା କରନ୍ତି ।