You are currently viewing ମିଠା ଆମ୍ବ ଆଚାର
ମିଠା ଆମ୍ବ ଆଚାର

ମିଠା ଆମ୍ବ ଆଚାର

ଗ୍ରୀଷ୍ମ ଋତୁ ଆମର ଭାରି ପ୍ରିୟ ମୁଖ୍ୟତଃ ଦୁଇଟି କାରଣରୁ; ପ୍ରଥମଟି ଖରା ଛୁଟି ଆଉ ଦ୍ୱିତୀୟଟି ଏହି ଋତୁର ସୁଆଦିଆ ଫଳ । ଆମ୍ବ ଫଳମାନଙ୍କର ରାଜା । ଏହି ଫଳର ସ୍ୱାଦ ବର୍ଷ ସାରା ପାଇବାପାଇଁ ସବୁ ଘରେ ବିଭିନ୍ନ ପ୍ରକାରର ଆଚାର ତିଆରି ହୋଇଥାଏ । ଏଇଠି ଏକ ସ୍ୱାଦିଷ୍ଟ ମିଠା ଆଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା ଆସନ୍ତୁ, ଯାହାକି ବିନା ତେଲରେ ତିଆରି କରାଯାଏ । ଏଥିରେ ଆମେ ଗୁଡ଼ ବ୍ୟବହାର କରିବା କାହିଁକି ନା ଗୁଡ଼ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଚିନି ଅପେକ୍ଷା ।

ଆବଶ୍ୟକ ଦ୍ରବ୍ୟ:

୧- କଞ୍ଚା ଆମ୍ବ (୩୦୦ ଗ୍ରାମ): ପ୍ରଥମେ ୨୦୦ ଗ୍ରାମ ଓ ପରେ ୧୦୦ ଗ୍ରାମ
୨- ଗୁଡ଼ (୨୦୦ ଗ୍ରାମ)
୩- ସୁଖିଲା ଲଙ୍କା (୧ ଟି)
୪- ସୋରିଷ (୧ ଚାମଚ)
୫- ପାନମଧୁରୀ (ଅଧା ଚାମଚ)
୬- କଳାଜୀରା (ଅଧା ଚାମଚ)
୭- ଧଣିଆ-ଜୀରା ପାଉଡର (ଅଧା ଚାମଚ)
୮- ଲୁଣ (୨ ଚାମଚ)
୯- ହଳଦୀ (ଅଧା ଚାମଚ)

ପ୍ରଣାଳୀ:

୧- ଆମ୍ବକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।
୨- ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।
୩- ପାଣି ଯିବା ପର୍ଯ୍ୟନ୍ତ ଶୁଖେଇ ଦିଅନ୍ତୁ ଛାଇରେ ଅଳ୍ପ ସମୟ ପାଇଁ ।
୪- ଶୁଖିଗଲା ପରେ କଟା ଆମ୍ବରେ ଲୁଣ, ହଳଦୀ, ଗୁଡ଼ (ତରଳ କରି) ଦେଇ ଖରାରେ ଶୁଖାଇ ଦିଅନ୍ତୁ ।
୫- ଧୀରେ ଧୀରେ ସେଥିରୁ ପାଣି ବାହାରିବ ।
୬- ପାଣି ଶୁଖିବା ପର୍ଯ୍ୟନ୍ତ ଖରାରେ ରଖୁଥିବେ । ମଝିରେ ମଝିରେ ତାକୁ ଉପର ତଳ କରି ଘାଣ୍ଟୁଥାନ୍ତୁ ।
୭- ଖରାରେ ସୋରିଷ, ପନାମଧୁରୀ, କଳାଜୀରାକୁ ଟିକେ ଶୁଖାଇଲା ପରେ ଗୁଣ୍ଡ କରିଦିଅନ୍ତୁ ।
୮- ପାଣି ମରିଯିବା ପରେ ଗୁଡ଼-ଆମ୍ବ ମିଶ୍ରଣରେ ଗୁଣ୍ଡ କରିଥିବା ମସଲା ଓ ଜୀରା-ଧଣିଆ ଗୁଣ୍ଡ ମିଶାନ୍ତୁ ଆଉ ତାକୁ ଗୋଟିଏ ଦିନ ଖରାରେ ରଖନ୍ତୁ ।
୯- ସେଥିରେ ବଳକା ଗୁଡ଼କୁ (୧୦୦ ଗ୍ରାମ) ତରଳ କରି ମିଶେଇ ଖରାରେ ଦିଅନ୍ତୁ ।
୧୦- ଆପଣଙ୍କୁ ଯେତିକି ଝୋଳ ଦରକାର ସେତିକି ହେବାଯାଏଁ ଖରାରେ ଦିଅନ୍ତୁ ।
୧୧- ଏହାକୁ ଏକ ଜାରରେ ରଖିଦିଅନ୍ତୁ, ଗୋଟେ-ଦି’ବର୍ଷ ଯାଏଁ ଏହା ନଷ୍ଟ ହୁଏ ନାହିଁ ।

ଏ ଆଚାର ଅନ୍ୟ ଆଚାର ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରୀ ହୋଇଥାଏ, କାରଣ ଏଥିରେ କିଛି ତେଲ ଏବଂ କ୍ଷତିକାରକ ରସାୟନିକ ଦ୍ରବ୍ୟର ବ୍ୟବହାର ହୋଇନାହିଁ ।

ଆଶା କରୁଛି ଏବେ ଏହି ଆଚାର ଆପଣ ଘରେ ବହୁତ ସହଜରେ ପ୍ରସ୍ତୁତ କରିପାରିବେ । ଆଉ ହଁ ପ୍ରସ୍ତୁତ କରିସାରିବା ପରେ ମୋତେ ମୋର ଇନ୍‌ଷ୍ଟାଗ୍ରାମ ହେଣ୍ଡେଲ୍ @seetayabhoi1 ରେ ଟ୍ୟାଗ୍ କରିବାକୁ ଭୁଲିବେ ନାହିଁ ।

ସୀତୟା ଭୋଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୀତୟା ଭୋଇ ଜଣେ ଓଡ଼ିଆ ଏବଂ ସମ୍ବଲପୁରୀ ଖାଦ୍ୟ ପ୍ରିୟା ବ୍ଲଗର୍, ଯିଏକି ଘରୋଇ ରୋଷେଇ ଏବଂ ଫଟୋଗ୍ରାଫିରେ ଅଧିକ ରୁଚି ରଖନ୍ତି ।