ସ୍ମୃତି ତୁମେ କେବେ ଶୀତ ସକାଳର
ସୂର୍ଯ୍ୟ ଆଲୋକର ତାତି;
କେବେ ତୁମେ ପୁଣି ପୂର୍ଣ୍ଣମୀ ଜହ୍ନ ଓ
କଇଁ ଫୁଲର ସେ ପ୍ରୀତି ।
ସ୍ମୃତି ତୁମେ କେବେ କାଳବୈଶାଖୀ
ଅଦିନ ବର୍ଷାର ଝଡ଼;
କେବେ ତୁମେ ପୁଣି ଅଚାନକ ଆସି
ବଦଳାଅ ଜୀବନ ମୋଡ଼ ।
ସ୍ମୃତି ତୁମେ କେବେ ଗଭୀର ସମୁଦ୍ର
ଜୁଆର ସାଙ୍ଗକୁ ଭଟ୍ଟା;
ହୃଦୟର କେଉଁ କୋଣେ ତୁମ ଚିହ୍ନ
ଭରିଦିଏ ମନେ ବ୍ୟଥା ।
ସ୍ମୃତି ତୁମେ ଏଇ ରାତି ଅନ୍ଧକାରେ
ଆଖିର ଉଷୁମ ଲୁହ;
ଆସ ତୁମେ ପୁଣି ଧରି ମୋ ଅତୀତ
ଛାତିରେ ଛାତିଏ କୋହ ।
ଦିନ ପରେ ଦିନ କଟିଯାଏ ଏଠି
ହୋଇଯାଏ ସିଏ ସ୍ମୃତି;
ସବୁ ସୁଖ ଥାଇ ଅଚାନକ ଆସି
ଭାରି କଷ୍ଟ ଦିଏ ସାଥି ।
ସ୍ମୃତି ତୁମେ କେବେ କୃଷ୍ଣଚୂଡ଼ା ରଙ୍ଗେ
ନାଲି ନାଲି ଦିଶୁଥାଅ;
ମନେ ଶିହରଣ ଖେଳାଇ ହୃଦୟେ
ପ୍ରୀତିର ସଙ୍ଗୀତ ଗାଅ ।
ଦୁଃଖ ସୁଖ ଭରା ସ୍ମୃତି କହେ ମୋର
ଅତୀତର କେତେ କଥା;
ପ୍ରଥମ ପ୍ରେମର ଅନୁଭୁତି ସହ
ମନର ଅକୁହା ବ୍ୟଥା ।
– ସ୍ୱୟଂସିଦ୍ଧା ଦାସ
Comments
ସ୍ୱୟଂସିଦ୍ଧା ଦାସ ବର୍ତ୍ତମାନ ରାଧାନାଥ ଟ୍ରେନିଂ କଲେଜ, କଟକରେ କର୍ଯ୍ୟରତ ଅଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, କବିତା ଆଦି ରଚନା କରିଥାନ୍ତି ।