ଶୀତ

Odia Poem Sita (ଶୀତ) by Rama Chandra Pradhan

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ
ଥିରି ଥିରି ଆସେ ଶୀତ
ଶୀତ ଆଗମନେ ମୋ ଗାଆଁ ହସଇ
ଚାଷୀ ପୁଅ ଗାଏ ଗୀତ ।

ପ୍ରକୃତି ପଲ୍ଲୀର ଶୀତ ସକାଳଟା
ଭାରି ମନୋହର ଦିଶେ
ଫୁଲଫଳ ଭରା ବାଡ଼ି ବଗିଚାଟା
ଖୁସିରେ ଯେମିତି ହସେ ।

ଶୀତ ସକାଳର କୋହଲା ପାଗରେ
କାକର ଦେଖାଏ ଛଇ
ଶିଶିରର ବିନ୍ଦୁ ବୃକ୍ଷ ଲତା ଡାଳେ
ମୁକ୍ତା ସମ ଝଟକଇ ।

ପଲ୍ଲୀ ଲଳନାର କୁହୁକ ଛୁଆଁରେ
ଅଗଣା ଜୀବନ୍ତ ଦିଶେ
ହଳଦୀ ରଙ୍ଗର ସୋରିଷ କ୍ଷେତରେ
ଶୋଭାର ଆସର ବସେ ।

ସୁନେଲି କିରଣ ଉଙ୍କି ମାରି ଆସେ
କୁହୁଡ଼ିର ଅନ୍ତରାଳେ
ଅଳସୀ ଜହ୍ନର ବିମଳ କିରଣେ
ଶୀତ ଲୁଚକାଳି ଖେଳେ ।

ବିଚରା ଚାଷୀଟି ଭାରି ଖୁସି ହୁଏ
ଦେଖି ତା’ ସୁନାର କ୍ଷେତ
ଭୁଲିଯାଏ ସିଏ ଅଭାବ କଷଣ
ଶୀତ ସଙ୍ଗେ ବସି ମିତ ।

ବୁଢ଼ାବୁଢ଼ୀ ସବୁ ବାରଣ୍ଡାରେ ବସି
ଖରା ପୋଇଁ ଥାନ୍ତି ନିତି
ଭାଳି ହେଉଥାନ୍ତି କେମିତି ଯାଆନ୍ତା
ଏ ଶୀତ ଦିନଟା ବିତି ।

ଶୀତ ମିତଟିଏ ଶୀତ ଗୀତଟିଏ
ଶୀତ ଅଟେ ଋତୁ ଶ୍ରେଷ୍ଠ
ଏ ଶୀତ ପାଇଁରେ ଦୂର ହୋଇଥାଏ
ସଂସାର ଯାକର କଷ୍ଟ ।

– ରାମ ଚନ୍ଦ୍ର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...