କାଠଖଣ୍ଡକୁ କଣ୍ଢେଇ କରି
ଦୁଃଖକୁ ଭୁଲାଇ
ହସି ପାରେ ଯିଏ,
ଶିଶୁ ସିଏ ।
କେବଳ
ନିଜ ଖୁସିରେ ଖୁସି
ନିଜ ଦୁଃଖରେ ଦୁଃଖୀ
ହୁଏ ଯିଏ
ଶିଶୁ ସିଏ ।
ନା ଅତୀତ,
ନା ଭବିଷ୍ୟତ ବୁଝେ ସିଏ
ନିଜ ବର୍ତ୍ତମାନରେ
ଖୁସି ରହିପାରେ ଯିଏ
ଶିଶୁ ସିଏ ।
ନା ପଥରକୁ ଇଶ୍ୱର
ନା ଇଶ୍ୱରକୁ ପଥର
ମାନେ ଯିଏ
ଶିଶୁ ସିଏ ।
କିଛି ନୂଆ ଶିଖିବାପାଇଁ
ବାର୍ ବାର୍ ହାରିବାକୁ
ଡରେନି ଯିଏ
ଶିଶୁ ସିଏ ।
ମନରେ ଉଙ୍କି ମାରୁଥିବା
ପ୍ରଶ୍ନର ଉତ୍ତର ପାଇଁ
ପ୍ରଶ୍ନର ମାଳ
ଗୁନ୍ଥେ ଯିଏ
ଶିଶୁ ସିଏ ।
ଯାହା ହୃଦୟ ପ୍ରଭୁଙ୍କ ଘର,
ଶିଶୁ ବୋଲି କୁହେ
ତାକୁ ସଂସାର ।
– ସୁନିତା ପଟେଲ
Comments
ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

