ଶୀତ
ଋତୁ ନୁହେଁ ତ
ବରଂ ଗୋଟେ
ମିଠା ଆଶ୍ଳେଷଟେ,
ଅଧାମରା ସମ୍ପର୍କକୁ
ଯେ ନିଶ୍ୱାସଟେ ଫେରେଇଦିଏ,
ଅଲୋଡ଼ା ଶବ୍ଦକୁ
ଲୋଡ଼ିବାପଣର ଲୁହରେ ଭିଜେଇଦିଏ
ଓଠରେ ନାଲି ବୋଳିବାକୁ ସାହସଦିଏ ।
ହଁ, ମୁଁ ରଙ୍ଗବୋଳେ ମୁହଁରେ
ଆଉ ଗାଢ଼ ନାଲି ଓଠରେ
ପଶୁତ୍ୱର ଦାଗକୁ ମୋ ଦେହରୁ
ଲୁଚେଇଦବା ଚେଷ୍ଟାରେ,
ଶୀତ ଲୁଚେଇଦିଏ ମୋ ଫଟା ଓଠ ପଛରେ
ହିଂସ୍ରତାର ଗୋଟେ ନଗ୍ନ ରହସ୍ୟକୁ,
ଆଉ ମୁଁ ପୁଣି ହଜିଯାଏ ରଙ୍ଗରେ, ନାଲିରେ
ଫି ଦିନ ରାତିରେ ।
ଶୀତ ମୋତେ ଛୁଏଁ
ପାଞ୍ଚ ନମ୍ବର ଜାତୀୟ ରାଜପଥ ରାସ୍ତାକଡ଼ର
ଗୋଟେ ବେନାମି ହୋଟେଲର ଶସ୍ତା ରୁମ୍ରେ
ସିଗାରେଟ୍ ଆଉ ମହୁଲିର ଗନ୍ଧ ଭିତରେ
ଶୀତର ପୁରୁଷତ୍ୱ ହକ୍ ଜାହିର୍ କରେ
ଗୋଟେ ନିହାତି ନିକମ୍ମା ଲୋକର ପଞ୍ଝାରେ
ଆଉ କିଛି ଗାନ୍ଧି ମୁଣ୍ଡ ଥିବା କାଗଜର ନୋଟରେ ।
ରାତି ପାହେ
ଶୀତ ଅପେକ୍ଷା କରେ
ବସ୍ତିର ସେ ଅନାଥ ଝିଅର
ଆଖି ପଲକରେ
ତା’ର ବିଶ୍ୱାସରେ, ଭରସାରେ
ଆଉ ତା’ ମା ଡାକରେ…
ସେ ବି ମୁହଁ ରଙ୍ଗାଏ
ଓଠରେ ନାଲିରଙ୍ଗ ବୋଳେ
କିନ୍ତୁ
ଓଠ ପଛର କାହାଣୀ ଲୁଚେଇବାକୁ ନୁହେଁ
ବରଂ ଆଉ ଗୋଟେ କାହାଣୀ ଲେଖିବାକୁ
ଆଗାମୀ ଶୀତରେ
କାହାଣୀ, ନାଲି ଓଠ ପଛର
କାହାଣୀ, ଶୀତକୁ ଗୋଟେ ମିଠା ଆଶ୍ଳେଷର
ଗୋଟେ ନୂଆ ରୂପ ଦେବାର….
– ମୃତ୍ୟୁଞ୍ଜୟ ପାତ୍ର
Comments
ମୃତ୍ୟୁଞ୍ଜୟ ପାତ୍ର ଓଡ଼ିଆ ଲେଖିକା ଯିଏକି ବିଭିନ୍ନ ସାମାଜଧର୍ମୀ ରଚନା ଆଦି କରିଥାନ୍ତି । ତାଙ୍କ ଆଲେଖ୍ୟଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।