ଖେଳୁଛି ମୁଁ ଶବ୍ଦଖେଳ
କେତେ ଏକାନ୍ତରେ,
ଜିତିବି ନା ହାରିବି
ତାହା ଅଛି ରୂପକାର
ସମୟ ହାତରେ ।
ଅନୁଭବର ଉତ୍ତରଣରେ
ତୋଳୁଛି ମୁଁ ଶବ୍ଦର ନଅର
ତୁମେ ତା’କୁ କହିପାର
ସୁନ୍ଦରୀ କବିତା
ଚିନ୍ତା ଚେତନା ସବିତା,
କିନ୍ତୁ ମୁଁ କହିବି ସେହି
ମୋର ପ୍ରାଣପ୍ରିୟା
ଯିଏ ସଦା ବାନ୍ଧିରଖେ
ତା’ ପ୍ରେମ ଫାଶରେ
ନିବିଡ଼ ଆଶ୍ଲେଷରେ
ଦେଖାଇଣ ତା’ କାବ୍ୟିକମାୟା ।
ତା’ସାଥେ ବଞ୍ଚିଛି ମୁହିଁ
ତା’ ସାଥେ ମରିବି
ପୁନର୍ଜନ୍ମ ନେଲେ ପୁଣି
ତା’ ସାଥେ ଫେରିବି ।
ତା’ ମିଠା ମହକ
କେତେ ଭରିଛି ପୁଲକ
ଭୁଲି କି ପାରିବି ମୁହିଁ
ପ୍ରାଣ ଥିବା ଯାକ ।
କାଉଁରିକନ୍ୟା ସେ ଜାଣେ
ବିଦ୍ୟା ସମ୍ମୋହନ
କିଣିପାରେ ମନ
କିଣିପାରେ ପ୍ରାଣ
ତା’ଅଙ୍ଗରେ ସବୁବେଳେ
ଢେଉ ଖେଳେ
ଉତ୍ତରଳ ଯଉବନ ।
ଯେତେ ମୋ’ର ଭାବ ସୁକୁମାର
ତା’ ଭାବରେ ହୁଏଇ ବିଭୋର
ମୋ’ସାଥିରେ ଲୁଚକାଳି
ବୋହୂଚୋରି ଖେଳ
ଚାଲେ ନିରନ୍ତର,
ଯାହାପାଇଁ ମନ ମୋ’ର
ମୂର୍ତ୍ତ ଆଉ ଅମୂର୍ତ୍ତ ମଧ୍ୟରେ
ତୋଳି ଅଛି ଏକ ବସାଘର ।
– ବସନ୍ତ କୁମାର ପ୍ରଧାନ
Comments

ବସନ୍ତ କୁମାର ପ୍ରଧାନ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ହରିହରପୁରର ବାସିନ୍ଦା । ସେ ପେଶାରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟରତ, ମାତ୍ର ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।