ସକାଳୁ ସକାଳୁ ବୋଉ ଯେତେ ଡାକିଲେ ବି ରିମା ବିଛଣା ଛାଡ଼ୁ ନଥାଏ । ବରଂ ବୋଉ ଉପରେ ବିରକ୍ତ ହୋଇ ପୁଣି ଘୋଡ଼େଇ ହେଇ ଶୋଇପଡ଼େ । ଆଜି କ’ଣ ହେଇଛି କେଜାଣି ସେ ଭାରି ଚିଡ଼ୁଛି । ଘଣ୍ଟାରେ ୯ଟା ବାଜିବା ଯାଏ ସେ ବିଛଣାରେ ପଡ଼ି ରହିଛି । ବୋଉ ବହୁତ କରି କହିଲା, “ଆଲୋ ଯା’ ଗାଧେଇ ଆସିବୁ, ନହେଲେ ଭାଇ କାମକୁ ଚାଲିଯିବ । ତୁ ଆଉ ରାକ୍ଷୀ ବାନ୍ଧିପାରିବୁନି ।” ଉଠିଲା ସିନା ହେଲେ ତା’ର ଏକା ଜିଦ୍ ଭାଇ ଆଗବର୍ଷର ରାକ୍ଷୀ ଗିଫ୍ଟ ଯାହା ବାକି ରଖିଛି, ଦେଇସାରିଲେ ମୁଁ ତା’ ହାତରେ ରାକ୍ଷୀ ବାନ୍ଧିବି । ନହେଲେ ରାକ୍ଷୀ ବାନ୍ଧିବିନି ।
ସେଦିନ କହିଥିଲା ମୋ ପାଇଁ ଗୋଟେ ଡ୍ରେସ ଆଣିଦେବ, ହେଲେ ଆଣିଲାନି । ସବୁବେଳେ ଏମିତି ଠକି ଚାଲିଛି । କଲେଜରେ ସବୁ ସାଙ୍ଗ ଦାମୀ ଦାମୀ ଜିନିଷ ବ୍ୟବହାର କରୁଛନ୍ତି । ମୋର କିଛି ନାଇଁ, ସେମାନେ ନିଜ ଜିନିଷ ଦେଖେଇଲା ବେଳେ କହନ୍ତି ମୋ ବାପା ଆଣିଥିଲେ, ଭାଇ ଆଣିଥିଲେ ମୁଁ ଚୁପ୍ ରହେ । ମତେ ଲାଜ ଲାଗେ । ବୋଉ ଆଖିରେ ଆଖିଏ ଲୁହ, ଗଡ଼ିବା ଗଡ଼ିବା ହେଇ ରହିଥାଏ । କହିଲା, “ଆଲୋ ତତେ ପଢ଼େଇବା ପାଇଁ ସେ ପାଠ ଛାଡ଼ିଲା । ମୋ ରାଜା ଭଳିଆ ପୁଅଟା ଆଜି ଶୁଖିକି କଣ୍ଟା ହେଇଗଲାଣି ।”
ରାଜା ସବୁ ଶୁଣୁଥାଏ, ଦେଖୁଥାଏ । ହେଲେ ଚୁପ ରହିଥାଏ, ରାଗିକି ଯଦି ରିମାକୁ ପଦେ କହିବ ରିମା ମନଉଣା କରିବ । ଆଉ ତା’ ଛାତିର କଲିଜା ସାନ ଭଉଣୀକୁ ବାପ ଛେଉଣ୍ଡର ଦୁଃଖ ଅନୁଭବ ହେବ । ରାଜା ଭଉଣୀକୁ କହିଲା, “ତୁ ଆଜି ରାକ୍ଷୀ ବାନ୍ଧିଦେ ଆରବର୍ଷର ବାକିଆ ଗିଫ୍ଟ ଆଉ ଆଜିର ଗିଫ୍ଟ ମୁଁ ଏବେ ଦେଇଦେବି ।” ରିମା ତରତର ହୋଇ ରାକ୍ଷୀ ବାନ୍ଧିଦେଲା, ଆଉ ଆଖି ବୁଜି ଆଗକୁ ହାତ ଦେଖାଇ ପାଉଣା ପାଇଁ ଅପେକ୍ଷା କରିଲା । ଭାଇ ଘର ଭିତରୁ ରିମାର କିଛି ପୁରୁଣା ଡ୍ରେସ ଉଠେଇ ଆଣି ତା’ ହାତରେ ଧରେଇ ଦେଲା ଆଉ କହିଲା ୟା ଭିତରେ କୋଉ ଡ୍ରେସ ତୋ’ ପାଇଁ ମୁଁ ଆଣିନି ଖୋଜିଦେଲୁ, ରିମା ଏବେ ଚୁପ୍ ରହିଲା ।
ମନେମନେ ଭାବିବାକୁ ଲାଗିଲା, ସତେତ ଭାଇ ସବୁ ପର୍ବପର୍ବାଣୀରେ ମତେ ଡ୍ରେସ ଗିଫ୍ଟ କରେ । ମୁଁ କହିବା ଆଗରୁ ମୋର କ’ଣ ଦରକାର ସେ ବୁଝିଯାଏ, ରାକ୍ଷୀପାଇଁ ପୁଣି ଗିଫ୍ଟ କ’ଣ ମାଗିବି ଯେ? ରିମା ଭାଇର ଏଇ ଗୋଟେ ପଦ କଥାରେ ଛୋଟରୁ ବଡ଼ ହୋଇଗଲା । ଜିଦ୍ କରିବା, ଅଳି କରିବା ସବୁ ଭୁଲିଗଲା । ଭାଇ ଯିବାବେଳେ, ରିମା କିଛି ଏମିତି ଶୁଣିଲା ତା’ ଆଖି ଜକେଇ ଆସିଲା ।
ଭାଇ କହୁଥିଲା ବୋଉ ଏଇ ୨୦୦୦ ଟଙ୍କା ରିମାକୁ ଦେଇଦେବୁ, ନିଧି ସାହୁ ଦୋକାନର ବାକିଆ ଟଙ୍କା ଦେବାକୁ ରଖିଥିଲି । ସେ ପାଞ୍ଚଥର କହିଲାଣି, ହେଇ ହେଇ ଆଉ ଦୁଇଥର କହିବ ମୁଁ ସେ ବ୍ୟବସ୍ଥା କରିବି । ସେଇ ତ ଗୋଟେ ଛୁଆ ଅଛି ଅଳି କରିବ, ମୁଁ କ’ଣ ଆଉ ଛୁଆ ହେଇକି ଅଛି? ରିମାର ଅସଲରେ ଗିଫ୍ଟ ନୁହେଁ ମୋ ସହ ଝଗଡ଼ା କରିବା ବେଶୀ ଦରକାର । ମୋ ସହ ଝଗଡ଼ା ନହେଲେ ଆମ ଦୁହିଁଙ୍କ ଦିନ ପୂରା ହୁଏନି । ତୁ ତାକୁ କେବେ ବି ଆକଟ କରିବୁନି ଅଳି କରିବାକୁ, ମୁଁ ଯୋଉ ଜୀବନ ଜୀଇଁ ପାରିନି ମୁଁ ତାକୁ ସେଥିରୁ ବଞ୍ଚିତ ହେବାକୁ ଦେବିନି । ରାକ୍ଷୀବାନ୍ଧି ସେ ତା’ ସୁରକ୍ଷା ଆଉ ଖୁସିର ଭରସା ମତେ ମାଗିଛି । ତା’ ଖୁସି ପାଇଁ ମୁଁ କିଛି ବି କରିପାରିବି ।
ବୋଉ ପଚାରିଲା, “ତୋ’ ପାଖରେ ମାସ ଶେଷକୁ ତ ପଇସା ନଥାଏ, ଏତେ ଟଙ୍କା କୋଉଠୁ ଆଣିଲୁ?” ବୋଉଲୋ ନିଧିସାହୁର ଏତେଥର ଟଙ୍କା ଦେବାକଥା ଶୁଣି ମୋ ପାଇଁ ବାପାଙ୍କ ଶେଷ ସନ୍ତକଟି ମୁଁ ବିକିଦେଲି… ରିମା ଆଖିର ସ୍ୱପ୍ନ ସବୁ ଏବେ ଝାପ୍ସା… ଆଖି କିଆରୀର ବନ୍ୟା କୂଳରୁ ଉଛୁଳି ଚାଲିଲା… ସେ ଦଉଡ଼ି ଆସି ଭାଇକୁ କୁଣ୍ଢେଇ ପକେଇଲା ଆଉ କହିଲା, “ଭାଇ ମୋର କିଛି ଦରକାର ନାହିଁ । ତମେ ମୋ ପାଇଁ ସବୁକିଛି ।”
– ପ୍ରୀତିସୀମା ସ୍ୱାଇଁ
Comments
ପ୍ରୀତିସୀମା ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।