ସେ କ’ଣ ବୁଝେ ଯେ
ସେ ଚାଲିଗଲା ବୋଲି
ତା’ଶିକୁଳିରେ ବନ୍ଧା ମୋ ଇଚ୍ଛାପତ୍ର ମାନେ
ସେଇଠି ହିଁ ବନ୍ଧା, ଯେଉଁଠି ସେ କହିଥିଲା
ଟିକେରୁହ ମୁଁ ଏଇ ଆସୁଛି ।
ସେ କ’ଣ ବୁଝେ ଯେ
ସେ ଚାଲିଗଲା ବୋଲି
ମୋ ଭିତରେ ଆଜି ଫୁତ୍କାରିତ ଗୋଟେ ବିରହବନ୍ୟା ।
ମୋ ଆଖି ହଳକ
ଆଉ କି ଦେଖିପାରୁଛନ୍ତି ଘନ ଅନ୍ଧାରରେ
ପୂର୍ଣ୍ଣିମାର ଜହ୍ନକୁ,
ନା କାନ ଯୋଡ଼ା
ଶୁଣିପାରୁଛନ୍ତି ବସନ୍ତର ଝାଞ୍ଜି ପବନରେ
କୋଇଲିର କୁହୁ କୁହୁ ସ୍ୱରକୁ,
ନା ନାକ ଆଉ ବାରି ପାରୁଛି
ସେଇ ବଣମଲ୍ଲୀର ବାସ୍ନାକୁ ।
ଏଇମିତି ଯୁଝିଚାଲିଛି ଏକାକିତ୍ୱ
ଏଇମିତି ସହିଚାଲିଛି ନୀରବତା ।
ଦିଗନ୍ତବିସ୍ତାରି ଏ ଦୂର ଦିଗବଳୟ ଲାଗେ ଢାଙ୍କି ରଖିଛି
କୋହେଲିକାପୁର୍ଣ୍ଣ ବାତାବରଣ ।
ଏ ଶୁଣ….
ମୋ’ଠାରେ ସଜେଇଥିବା ପ୍ରେମକୁ ମାରିଦେଲାପରେ
ତୋ’ପରି ଲୁଚିଲୁଚି ହସିବାର
ମୋ ପାଖେ ଛାତିଏ ଦମ୍ଭ କାଇଁ ।
ଅନେକ ଚେଷ୍ଟାକରେ ମୋ ନିଃଶ୍ୱାସରୁ ମେଣ୍ଟାଇବାକୁ
ତୋର ସେ ସତ ବୋଲି ଦେଇଥିବା ମିଛେଇ ଚିହ୍ନକୁ
ହେଲେ କ’ଣ
ପ୍ରେମଠୁ ପ୍ରତାରଣାର ରଙ୍ଗ ଗାଢ଼ନୁହେଁ?
ତଥାପି;
ସେ କ’ଣ ବୁଝେ ଯେ
ନିଦ୍ରାବିନା ହିଁ ମୋ ରାତ୍ରିରୁ ଜନ୍ମ ନେଉଛନ୍ତି
ସକାଳ ପରେ ସକାଳ ।
– ଶିବସୁନ୍ଦର ରାଉତ
Comments
ଶିବସୁନ୍ଦର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।