ସନ୍ଧ୍ୟାତାରା

sandhyatara

ଅନ୍ଧକାର ଉଜାଣିରେ
ଗୋଧୂୂଳୀ ପଣତ ତଳେ
ନୀଡ଼ଫେରା ଆଳାପରେ
ଅସ୍ତରାଗ ସୁରେ ସୁରେ
ଶର୍ବରୀ ପ୍ରଭାତ ଉପନୀତ,
କାୟାନ୍ତରେ ନିଶିଗନ୍ଧା
ମହକେ ରଜନୀ ଗନ୍ଧା
କୁମୁଦ ପଲକ ଖୋଲେ
ଶେଫାଳି ମହକ ମେଳେ
ପୂର୍ବାକାଶେ ମିଞ୍ଜି ମିଞ୍ଜି ହସ ।

ବହଳ ଅନ୍ଧାର ସାଥେ
ଉଦାସ ଶର୍ବରୀ ଆସେ
ମୁଦି ଆସେ ପୃଥିବୀ ପଲକ,
ଅଶାନ୍ତ କାକଳୀ ମଧ୍ୟେ
ଉଲ୍ଲୂକର ଶବ୍ଦ ଶୁଭେ
ତନୁ ମନ ହୁଏ ଆତଙ୍କିତ ।

ଚଷା ପୁଅ ମନେ ଭୀତି
କର୍ମ ନ ହେଉ ବା ଇତି
ନିଶିର ସନ୍ଦେଶ ଯେଣୁ ବୋହେ
ଗୋଗଷ୍ଠ ଗୋଧନ ସାଥେ
ଗୋଧୂଳି ପଖାଳା ଗାତ୍ରେ
ଚଞ୍ଚଳ ଚଞ୍ଚଳ ପାଦ ଯାଏ ।

ତୁଳସୀ ଚଉରା ମୂଳେ
ଓଢ଼ଣୀ ଆଢୁଆଳେ
ଅଳସୀ ଅଙ୍ଗ ସଞ୍ଚାରି ହୁଏ ।

ସଞ୍ଜୁଆ ତାରା ଦର୍ଶନେ
ସାହସ ଭରଇ ମନେ
କର୍ତ୍ତବ୍ୟ ବାର୍ତ୍ତା ଯେ ଯୋଗାଏ ।

ଶୁଭେ ଶଙ୍ଖ ଘଣ୍ଟା ଧ୍ୱନି
ସ୍ୱତଃ ସ୍ଫୁରେ ମନ୍ତ୍ର ପୁଣି
ସର୍ବସ୍ୱ ସଅଁପା ଭାବ ନେଇ
ଅସଂଖ୍ୟ ବାହୁ ପ୍ରସାରୀ
ଅଜସ୍ର ଅଭିପ୍ସା ନେଇ
ଯାଚନା ତା’ ବୃନ୍ଦାବତୀ ଠାଇଁ ।

ଜହ୍ନ ହସୁ କି ନ ହସୁ
ନିହାରିକା ହଜିବସୁ
ପୂର୍ବାକାଶେ ହସୁଥାଏ ଏକା,
କର୍ମକ୍ଲାନ୍ତ ଅଙ୍ଗେ ଅଙ୍ଗେ
ଉର୍ଯ୍ୟ ଭରେ ମନ ରଙ୍ଗେ
ହରି ନିଏ କାଳିମାର ଶଙ୍କା ।

ମୀନତି ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...