ବିସ୍ଥାପିତ ନୁହଁ, ଏବେବି ପୃଥିବୀ ତା’ର ପ୍ରାରବ୍ଧ କକ୍ଷପଥରେ, ହେଲେ ମାତାପିତା ଓ ସନ୍ତାନଙ୍କୁ ନେଇ ସମ୍ପର୍କର ସେହି ସମବାହୁ ତ୍ରିଭୁଜଟି ଆଜି ଭୂମିହୀନ ମନେହୁଏ । ଦିନେ ସ୍ନେହ ଶ୍ରଦ୍ଧା ପ୍ରେମର କାଉଁରୀ ସ୍ପର୍ଶରେ ଅସାଧ୍ୟ ଜଞ୍ଜାଳ ନିମିଷକ ମଧ୍ୟରେ ସମାଧାନ ହୋଇଯାଉଥିବା ବେଳେ, ଅଧୁନା ଜ୍ଞାନ ବିଜ୍ଞାନରେ ଅନେକ ପ୍ରଗତିଶୀଳ ବୋଲି ଡିଙ୍ଗୁରା ପିଟୁଥିବା ନୂତନ ପିଢ଼ି ନିଜର କ୍ଷୁଦ୍ର ପରିବାରଟିରେ ହିଁ ଅଣନିଶ୍ୱାସୀ ହୋଇଉଠୁଛି ସମ୍ପର୍କରେ ତିକ୍ତତା, ଭୁଲ ବୁଝାମଣା, ଆତ୍ମଗର୍ବରେ ଭରପୁର ଅଭିମାନ ଓ ସ୍ୱାର୍ଥର ଚକ୍ରବର୍ତ୍ତୀ ସୁଧ ସହ ବନ୍ଧା ପଡ଼ିଥିବା ସମ୍ପର୍କକୁ ନେଇ । ତ୍ୟାଗ, କ୍ଷମା, ସହନଶୀଳତା, ପ୍ରେମ, ଆତ୍ମୀୟତା ଆଜି ସତେଯେପରି ପାଲଟିଛନ୍ତି ଭଗ୍ନ ମନ୍ଦିରର ପରିତ୍ୟକ୍ତ ଶିଳା ! ଅପେକ୍ଷାରେ କେଉଁ ଏକ ପୂଣ୍ୟ ମୂହୁର୍ତ୍ତରେ ଚେତନାର ଉର୍ଦ୍ଧ୍ୱ ସୋପାନରେ କାହାର କାରୁଣ୍ୟ ହସ୍ତକ୍ଷେପରେ ପୁନରୁଦ୍ଧାର ହେବାପାଇଁ । ଶାଶ୍ୱତ ସମ୍ପର୍କର ପୀୟୂଷ ଧାରା ଆଜି ସ୍ୱାର୍ଥ ଓ କାମନାର ମହାମାରୀରେ ସୁଦୂର ସଂକ୍ରମିତ । ସ୍ନେହ ଉଷ୍ମତାର ଅଭାବରେ ସମ୍ପର୍କର କମଳଟି ଆଜି ମୂର୍ଚ୍ଛିତ ପ୍ରାୟ । ଆତିଥ୍ୟ ଅଭିନୟର ମାୟାଜାଲ ଶିଥିଳ କରିଦେଇଛି ଜୀବନର ବାସ୍ତବିକତାକୁ । ଅବସାଦଗ୍ରସ୍ତ ଜୀବନଟା ଭାରୀ ଭାରୀ ଲାଗେ; ଏକ ଅଛିଣ୍ଡା ଗଣିତ ପରି ଅଡ଼ୁଆଲାଗେ । ନିଚ୍ଛକ ବସ୍ତୁବାଦର ଆକର୍ଷଣ ଓ ଭୌତିକ ସୁଖର ଅଡ଼ୁଆ ଜାଲରେ ଛନ୍ଦି ହୋଇ ସରଳ ଜୀବନରେ ସମ୍ପର୍କର ସହଜ ସମୀକରଣଟି ବିଭତ୍ସ ହୋଇ ଉଠୁଛି କ୍ରମଶଃ । ଚେତନାର ଅଧଃପତନ ସହ ମାନସିକତାରେ ପରିଲକ୍ଷିତ ହେଉଛି ଅନେକ ଅସାମାନ୍ୟ ପରିବର୍ତ୍ତନ । କିଛି ପ୍ରାପ୍ତିର ଲାଳସା, ଲାଭ କ୍ଷତିର ନିଅଁ ଉପରେ ସମ୍ପର୍କର ଅଟ୍ଟାଳିକା ତୋଳିବାକୁ ଅଦମ୍ୟ ଚେଷ୍ଟା କରୁଛି ।
ନିଜର ରକ୍ତ ମାଂସ ଶରୀରରୁ ଜୀବନଦାନ ଦେଇ, ବାତ୍ସଲ୍ୟ ପ୍ରେମର ଅଭୟ ବଳୟରେ ରଖି, ସନ୍ତାନର ଭବିଷ୍ୟତକୁ ସୁରକ୍ଷିତ କରିବାକୁଯାଇ ହାତ ପା’ନ୍ତାରେ ସୁନେଲି ବର୍ତ୍ତମାନକୁ ତିଳ ତିଳ କରି ଜାଳିବାକୁ ପଛାନ୍ତି ନାହିଁ ସେମାନେ । ସର୍ବସ୍ୱ ବିନିଯୋଗ କରି ସର୍ବଶେଷରେ ଇଚ୍ଛା ନଥାଇ ବି ଏକୁଟିଆ ଜୀଇଁବାକୁ, ନିସଙ୍ଗ ଜୀବନସହ ସନ୍ଧି କରିନେବାକୁ ବାଧ୍ୟ ହୁଅନ୍ତି ବୟସର ଅପରାହ୍ନରେ ପରିତ୍ୟକ୍ତ ପିତାମାତାମାନେ । ସମୟର ଲୁଚକାଳି ଖେଳରେ ହାରିଯାଆନ୍ତି ସେମାନେ । ସମ୍ପର୍କର ସରଳରେଖାରେ ସେମାନଙ୍କ ପିଲାମାନେ କିନ୍ତୁ ଆଗେଇ ଯାଆନ୍ତି ବହୁତ ଦୂର । ନିଚ୍ଛକ ପ୍ରେମ, ଅଭିମାନ, ତ୍ୟାଗ ବଳିଦାନର ଭିତ୍ତିଭୂମି ଉପରେ ଗଢ଼ିଉଠିଥିବା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କର ସ୍ଥିତି ବି ଆଜି ଜରାଜୀର୍ଣ୍ଣ । ଯେଉଁଠି ଦିନେ ଥିଲା ଅତୁଟ ବିଶ୍ୱାସ, ସମର୍ପଣ ଓ ଆତ୍ମୀୟତା ସେଠାରେ ଆଜି କ୍ଷୀଣ ବୁଝାମଣାର ଅଭାବରେ ଫାଟ ପଡ଼ିଯାଏ । ନାରୀ ସଶକ୍ତିକରଣ ନାରାରେ ଦୁର୍ବାର ହୋଇଉଠେ ପତି ପତ୍ନୀଙ୍କ ମଧ୍ୟରେ ସମ୍ମାନ, ଦକ୍ଷତା, କ୍ଷମତାର ଅନ୍ତର୍ଯୁଦ୍ଧ । ପରିଶେଷରେ ହାର୍ ଜିତର ପରିଣାମ ସ୍ୱରୂପ ମିଳୁଛି କେବଳ ହତାଶ, ଉଦାସ ଓ ବିଷାଦର ଏକ ବହଳ ପରସ୍ତ, ପ୍ରେମ ପ୍ରୀତିର ସେହି ସପ୍ତରଙ୍ଗୀ ସମ୍ପର୍କର ଇନ୍ଦ୍ରଧନୁ ଉପରେ । ବେଦ ଭୂମି ଭାରତର ପୁଣ୍ୟ ଧରାପୃଷ୍ଠରେ ବନ୍ଧୁତ୍ୱ ସମ୍ପର୍କର ଗୌରବାନ୍ୱିତ ଅଧ୍ୟାୟ ଆଜି ପାଲଟିଛି ସ୍ମୃତିହରା ଇତିହାସ । ତ୍ୟାଗ ବଳିଦାନର ଜାଗା ନେଇଛନ୍ତି ଏକ ସ୍ୱାର୍ଥକୈନ୍ଦ୍ରୀକ ପ୍ରତିଦ୍ୱନ୍ଦିତାର ଉଚ୍ଚାଟ ମାନସିକତା ଏବଂ ପୁଳାଏ ଓୌପଚାରିକତା ମାତ୍ର ।
ସାମାଜିକ ମୂଲ୍ୟବୋଧ ଆଜି ବ୍ୟକ୍ତିଗତ ପରିଚୟକୁ ଆଇନା ଦେଖାଇବାକୁ ହୁଏ ଅସମର୍ଥ । ସମ୍ପର୍କର ଭଗ୍ନ ସେତୁସବୁ କେବଳ ଅତୀତର ସେହି ଅମୂଲ୍ୟ ସଂଯୋଗର ସ୍ମୃତିଚାରଣ କରି ବାସ୍ତବିକତାକୁ ପାସୋରିବାକୁ ନିରନ୍ତର ଉଦ୍ୟମରତ । ହେଲେ ସମ୍ପର୍କର ଆକର୍ଷଣ କ’ଣ ସତରେ ଏତେ ଦୁର୍ବଳ? ଆଚରଣରେ ପରିପୃଷ୍ଠ ନହେଲେ ହେଁ ମନର କେଉଁ ଆଭ୍ୟନ୍ତରୀଣ ପ୍ରଦେଶରେ ନିଶ୍ଚୟ ହେଉଥିବ କିଛି ଆଲୋଡ଼ନ । ସମୟର ପଷାପାଲିରେ ଅଙ୍କ ବଦଳିବାକୁ ବା କେତେ ସମୟ ଲୋଡ଼ା !? ରାତିରେ ରାମଙ୍କର ଅଭିଷେକ ଓ ସକାଳେ ବନବାସ ପରି ସମ୍ପର୍କର ଏହି ବିଭତ୍ସ ସମୀକରଣ ବି ଦିନେ ବଦଳିଯିବ । ହଁ ନିଶ୍ଚୟ ବଦଳିବ…
– ମାନସ ରଞ୍ଜନ ନାୟକ
Comments
ମାନସ ରଞ୍ଜନ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ, ପ୍ରବନ୍ଧ ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ କିଛି ପତ୍ରପତ୍ରିକରେ ସ୍ଥାନ ପାଇଛି ।