ମଣିଷର ମନ ଏମିତି ପ୍ରକାର
ଜାଣିଲେ ଲାଗଇ ଚିଡ଼ି ଚିଡ଼ା
ପାଇବାର ଆଶା ଥିବାଯାଏ ସିଏ
ଅତି ନିକଟରେ ହୋଇଥାଏ ଛିଡ଼ା ॥
ସତରେ ମଣିଷ କେତେ ସେ ଅଡ଼ୁଆ
ମନେ ଥାଏ ତା’ର କେତେ କଥା
କହିବ କହିବ କହି ତ ପାରେନା
ମନେ ରଖିଥାଏ ଅନେକ ବ୍ୟଥା ॥
ସମ୍ପଦ ଲୋଭରେ ମନ ବାଡ଼ୁଥାଏ
ସମ୍ପଦେ ଲାଗି ରହିଥାଏ ଲୋଭ
ସମୟ ସୁବିଧା ଦେଖି ସେ ମଣିଷ
କରନ୍ତି ବ୍ୟବହାର ସତେ ଦୁର୍ଲଭ ॥
ନିଜ କାମ ଛାଡ଼ି କରନ୍ତି ସେ କାର୍ଯ୍ୟ
ସତେ କି ଆପଣାର ଭାବ ରଖି
ପ୍ରତିଦିନ ତାଙ୍କ ଉପସ୍ଥିତ ଜାରି
ଧନ ସମ୍ପଦେ ରଖିଥାନ୍ତି ତାଙ୍କ ଆଖି ॥
ସମ୍ପଦର ଲୋଭ ଭାରି ସେ ଅଡ଼ୁଆ
ପାଇବାର ଆଶା ଗଲେ ଥରେ ପୂରି
ପାଖେ ନ ମିଳନ୍ତି ଦରକାର ବେଳେ
ଦେବାବାଲା ଭାବୁଥାଏ ଝୁରି ଝୁରି ॥
ମଣିଷ ପଣିଆ ହୃଦୟେ ନଥିଲେ
ଧନ ଲୋଭେ ମନଥାଏ ଲୋକଦେଖା
ସମ୍ପଦ କାଳେ ହୁଅନ୍ତି ସର୍ବେ ସଖା
ବିପଦେ ନ ଦିଅନ୍ତି କେବେ ଦେଖା ॥
– ସମର ବଲ୍ଲଭ ଭୋଇ
Comments
ସମର ବଲ୍ଲଭ ଭୋଇ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।