ଏମିତି ହୁଅନ୍ତାନି !
ତୋ’ ସହର ନିଘୋଡ଼ ନିଦରେ
ଶୋଇଗଲାପରେ, ତୋ’ ପ୍ରିୟ ସହରରେ
ଖୁବ୍ ବୁଲନ୍ତେ ଆଉ “ଆମେ”କୁ ଭୋଗନ୍ତେ ।
କୋଉ ବାଇକ୍ କି କାର୍ରେ ନୁହଁ ମ !
ବାସ୍ ତୋ’ ହାତରେ ହାତ ଛନ୍ଦି
ଆଉ ପାଦରେ ପାଦ ମିଶେଇ ଖୁବ୍ ଚାଲନ୍ତେ ,
ଟିକେ ଦୂରକୁ ହୁଏତ ଭୁବନେଶ୍ୱରର
ଶେଷ ସୀମା ଯାଏଁ , ତୋ ସହରଟା
ଅଳସ ଭାଙ୍ଗିବା ଯାଏ !
ଏମିତି ହୁଅନ୍ତାନି
ଢେର୍ ଦୂରଯାଏଁ ଆମେ
ଆମ ଆଖିଏ ସ୍ୱପ୍ନକୁ ବାସ୍ତବ କରିପାରନ୍ତେ,
ଆଉ ଭୋର୍ ଯାଏଁ
ଅନବରତ ଗପିଚାଲନ୍ତେ,
ହେଲେ ତମକୁ ମିଛ ସ୍ୱପ୍ନ ତ ପସନ୍ଦ ନୁହେଁ,
ଜାଣେ ବୋର୍ ହେବ ତଥାପି ମୋ ମନ
ରଖିବାକୁ ମୋ ପ୍ରତି କଥାରେ
‘ହୁଁ ‘ ବୋଲି ତ ମାରୁଥାନ୍ତ !
କିଛି ନୂଆ କଥା ପୁରୁଣା ସ୍ମୃତିକୁ ନେଇ
ରାତିର ବୟସ ବଢ଼ିବା ସହ
ସବୁକିଛି ପୁଣିଥରେ ଜୀଇଁ ଉଠନ୍ତା
ଠିକ୍ ଭୋର୍ ହେବାର ଚାରିମିନିଟ୍ ଆଗ ଯାଏଁ,
ଯୋଉଠି ଭୁବନେଶ୍ୱରର ଚା’ଷ୍ଟଲ୍
ଦୋକାନୀର ଚା’ ଚା’
ଡାକ ଶୁଣି ସକାଳର ଫେରିବା ଯାଏଁ !
– ନିର୍ଲିପ୍ତା ସେଠୀ
Comments

ନିର୍ଲିପ୍ତା ସେଠୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।