ପୂର୍ଣ୍ଣିମାର ସଫେଦ୍ ଜହ୍ନ ଆଲୁଅରେ ତା’ ଦେହ ଆଜି କାହିଁକି ଏତେ ଜଳୁଛି??? ପାର୍କରେ ଲୋକ ଭିଡ଼, ସେ କିନ୍ତୁ ଏକଦମ୍ ଏକେଲା । ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତ ଧରା ଧରି ହୋଇ । ନିଶିକାନ୍ତଙ୍କ ସହ… ଗତ ଦଶ ବର୍ଷ ହେବ !!
ହାତରେ ତା’ର… ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଚେକ୍ । ସେଇଟା ବି ହାତରେ ଅଗ୍ନି ପିଣ୍ଡୁଳା ପରି ଦହୁଛି ଓ ମନରେ ଜ୍ୱଳନ ଭରି ଦେଇଛି । ନିଶ୍ଚିତ ସେ… ଶେଷରେ ଧୋକା ଦେଇ ଦେଲେ ନିଶିକାନ୍ତ ।
ଦଶବର୍ଷ ତଳେ ଯେବେ ନିଶିକାନ୍ତଙ୍କ କମ୍ପାନିରେ ଲୋକ ସମ୍ପର୍କ ଅଧିକାରୀ ଭାବରେ ସେ ମୋଟା ଅଙ୍କରେ ନିଯୁକ୍ତି ପାଇଥିଲେ, କେତେ ଲୋକ କେତେ କଥା କହିଥିଲେ । ସେଥିରେ ସେ ବିବ୍ରତ ହୋଇନଥିଲେ । ହେଲେ ତାଙ୍କୁ ଯେବେ ସୁବ୍ରତ ପ୍ରଶ୍ନ କଲେ ସେ ରାଗିଯାଇ କହିଥିଲେ, “ତୁମେ ଇର୍ଷା କରୁଛ ସୁବ୍ରତ ମୋର ଉନ୍ନତିରେ? ଜ୍ଜଳନ ହେଉଛ ମୋର ମୋଟା ଦରମାରେ? ଗତ କିଛି ବର୍ଷର ସମ୍ପର୍କର ଫାଇଦା ନେବାକୁ ଏତେ ତରବର କିଆଁ?”
ସେ ଯାକେ ବେକାର ଥିବା ସୁବ୍ରତ ପ୍ରଶାସନିକ ପରୀକ୍ଷା ପାଇଁ ଲାଗିଥିଲେ । ଚୁପଚାପ ମୁହଁ ମୋଡ଼ି ଚାଲି ଯାଇଥିଲେ ଯେ ସେ ଦିନଠୁଁ ଆଉ ସଂପର୍କ ରଖି ନଥିଲେ । ଶୁଭ୍ରା କାହିଁକି ତାଙ୍କୁ ଆଜି ମନେ କରୁଛି ଏତେ !!! ମନେ ପଡ଼ୁଛି ତାଙ୍କର ଶେଷ କିଛି ଧାଡ଼ି; “ନିଶିକାନ୍ତ ପକ୍କା ବ୍ୟବସାୟୀଟେ ଶୁଭ୍ରା, ବିନା ମତଲବରେ ସେ ପଇସାଟିଏ କହାକୁ ଦିଅନ୍ତିନି । ଆଉ ତୁମପରି ଜଣେ ନବାଗତାକୁ ଏତେ ମୋଟା ଦରମାର ଲୋଭ !! ତୁମେ ଦିନେ ପସ୍ତାଇବ ନିଶ୍ଚେ !!!”
ହଁ… ଆଜି ସେ ପସ୍ତାଉଛନ୍ତି… ଦଶ ବର୍ଷ ପରେ… ତାଙ୍କ ଦେହକୁ ଝିନ୍ଭିନ୍ କରି ବୁନ୍ଦା ବୁନ୍ଦା ନିଚୁଡ଼ି ନେଇ ଯେବେ ଆଜି ଚାକିରିରୁ ବରଖାସ୍ତ କରି ଶେଷ ପ୍ରାପ୍ୟର ଏ ଚେକ୍ ଧରାଇ ଚାଲିଗଲେ ନିଶିକାନ୍ତ ।
“ମ୍ୟାଡମ୍… ଆପଣଙ୍କର ଏଇ କାଗଜ ଖଣ୍ଡିକ ଉଡିଯାଉଥିଲା । ଗୋଟାଇ ଆଣିଛି… ଏଇ ନିଅନ୍ତୁ ।” ପାର୍କରେ ପ୍ଳାଷ୍ଠିକ ଗୋଟାଉଥିବା ପିଲାଟା କହୁଥିଲା ।
“ଦରକାର ନାହିଁରେ… ସେଇଟା ଛୁଁଉନା… ଜହର ସେ… ଚିରିକରି ଫିଙ୍ଗିଦେ… ପବନରେ ଉଡ଼େଇ ଦେ !!” ଶୁଭ୍ରା ଉଠିଲେ ପାର୍କର ସିମେଣ୍ଟ ବେଞ୍ଚରୁ…!!
ହସୁଥିଲା ଆକାଶରେ ପୂର୍ଣ୍ଣିମାର ସଫେଦ୍ ଜହ୍ନ… ଦଶ ବର୍ଷ ହେଲା ଜଠରେ ଭରି ରଖିଥିଲା କେଉଁଠି ସତେ ଏତେ ଧଳା ଜହର…!!! ସେ ଜାଣି ପାରୁନଥିଲା ସତରେ !!!
– ଆଶୁତୋଷ ମେହେର
Comments
ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।