You are currently viewing ରୋହତାଙ୍ଗ ପାସ୍
Rohtangh Pass (ରୋହତାଙ୍ଗ ପାସ୍) - A Travel blog in Odia

ରୋହତାଙ୍ଗ ପାସ୍

ଗୋଟେ ସାଙ୍ଗର ବଡ଼ ଭାଈ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ । ଫେରିବା ପରେ ଆମ ଆଗରେ ବହୁତଗୁଡ଼ିଏ ରୋମାଞ୍ଚକର କାହାଣୀ ବଖାଣିଥିଲେ । ସେହି ଦିନଠାରୁ ଆମେ ୪ ଜଣ ସାଙ୍ଗ ଜଗିକି ବସିଥିଲୁ କେବେ ଆମକୁ କିଛି ଦିନ ସମୟ ମିଳିବ ଆଉ ଆମେ ରୋହତାଙ୍ଗ ପାସ୍ ବୁଲିବାକୁ ଯିବୁ । ଆଗରୁ ବାସ୍ ଏତିକି ଜାଣିଥିଲୁ କି ରୋହତାଙ୍ଗ ପାସ୍ ହିମାଚଳରେ ଅବସ୍ଥିତ ଏବଂ ହିମାଚଳ ପ୍ରଦେଶ ଭାରତର ଉତ୍ତରଭାଗରେ ଅବସ୍ଥିତ ଏକ ରାଜ୍ୟ । ସେଠିକୁ ଯିବା ପୂର୍ବରୁ ବହୁତ ଗୁଡ଼ାଏ ରିସର୍ଚ୍ଚ ବି କରିଦେଇଥିଲୁ । ଯେମିତି କି କେମିତି ଯିବୁ, କେତେ ଦିନ ରହିବୁ, କୋଉଠି ରହିବୁ, କେତେ ଖର୍ଚ୍ଚ ହବ, ସେଠାକାର ପ୍ରସିଦ୍ଧ ଖାଇବା କ’ଣ ସବୁ ଅଛି, କୋଉ ସବୁ ଜାଗା ବୁଲିବାର ଅଛି, ଇତ୍ୟାଦି । ଦିଲ୍ଲୀରୁ ହିମାଚଳ ଫ୍ଲାଇଟରେ ଯାଇ ପାରିଥାନ୍ତୁ, କିନ୍ତୁ ପ୍ରାକୃତିକ ପରିବେଶର ମନମୁଗ୍ଧକର ଦୃଶ୍ୟ ଦେଖି ଦେଖି ଯିବା ଆଶାରେ ଆମେ ସବୁ ବସରେ ଯିବାକୁ ସ୍ଥିର କଲୁ । ଦିଲ୍ଲୀରେ ପହଞ୍ଚିବା ପରେ ସନ୍ଧ୍ୟାରେ ଆଇ.ଏସ.ବି.ଟି. କାଶ୍ମିରୀ ଗେଟ୍ ବସଷ୍ଟାଣ୍ଡରୁ ହିମାଚଳ ଯିବା ପାଇଁ ବସ୍‌ରେ ବସିଗଲୁ । ପ୍ରାୟ ଦଶ ଘଣ୍ଟାର ରାସ୍ତା ଥିଲା । ମଝିରେ ଗୋଟେ ଜାଗାରେ ଖାଇବା ପାଇଁ ଗାଡ଼ି କିଛି ସମୟ ରହିଥିଲା ।

Snowfall in Rohatang Pass
Snowfall in Rohatang Pass (Photo Source: Dr. Deepak Kar)

ଶୀତଦିନ, ତେଣୁ ରାସ୍ତାଘାଟ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥିଲା । ଚଣ୍ଡିଗଡ଼ରେ କିଛି ସମୟ ପାଇଁ ଚା’ ଜଳଖିଆ ପାଇଁ ଡ୍ରାଇଭର ଗାଡ଼ି ରଖେଇଥିଲା । ସେହିଠାରୁ ବଡ଼ ବଡ଼ ଉଚ୍ଚ ପାହାଡ଼ମାଳା ଦେଖିବାକୁ ମିଳିଥିଲା । ପାହାଡ଼ିଆ ରାସ୍ତାରେ ବସ୍‌ଟି ଯିବାବେଳେ ଯେତେଟା ବୁଲାଣି ପଡ଼ୁଥାଏ ସେତେ ଅଧିକା ମୁଣ୍ଡ ବୁଲେଇ ବାନ୍ତି ଲାଗୁଥାଏ । କିଛି ସାଙ୍ଗମାନଙ୍କର ବାନ୍ତି ମଧ୍ୟ ଆରମ୍ଭ ହୋଇଯାଇଥିଲା ୟା ଭିତରେ । କିଛି ଦିନ ତଳେ ଖବକାଗଜମାନଙ୍କରେ ପଢ଼ିଥିଲି ହିମାଚଳପ୍ରଦେଶରେ ଘଟି ଯାଇଥିବା ଏକ ଅଭାବନୀୟ ଘଟଣା ବିଷୟରେ । ତେଣୁ ମନରେ ଟିକେ ଭୟ ବି ଥିଲା । ଠିକ୍ ସେଇ କୁଲୁ ଜିଲ୍ଲା ଦେଇ ବସ୍‌ଟି ଯାଉଥିଲା, ଯୋଉଠି କିଛି ଦିନ ତଳେ ଏକ ଯାତ୍ରୀବାହୀ ବସ୍‌ଟି ଖାଇକୁ ଖସିପଡ଼ି ଏକ ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଓ ବସ୍‌ ଭିତରେ ଥିବା ଅଧାରୁ ଅଧିକା ଲୋକ ଗୁରୁତର ହୋଇଥିଲେ । ପୂରା ରାସ୍ତାରେ ଏମିତି ସବୁ ଛକା ପଞ୍ଝା ଲାଗି ରହିଥିଲା ମନ ଭିତରେ ।

Rohtang Pass
ରୋହତାଙ୍ଗ ପାସ୍

ପ୍ରାୟ ସକାଳେ ଆମେ ପହଞ୍ଚି ଯାଇଥିଲୁ ହିମାଚଳରେ । ପୂର୍ବରୁ ବୁକ୍ କରିଥିବା ହୋଟେଲରେ ପହଞ୍ଚି ନିଜ ନିଜର ନିତ୍ୟକର୍ମ ସାରି, କିଛି ସମୟ ବିଶ୍ରାମ କରିଥିଲୁ । ପ୍ରାୟ ୧୦ଟା ବେଳେ ନିଦରୁ ଉଠି, ଖଚର ଉପରେ ବସି ଆମେ ବାହାରିପଡ଼ିଥିଲୁ ଆଖ ପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ । ସେତେବେଳକୁ ପ୍ରାୟ କୁହୁଡ଼ି ଅପସରି ଯାଇଥାଏ । ଅଙ୍କା ବଙ୍କା ରାସ୍ତା ଏବଂ ରାସ୍ତା ପାଖକୁ ଲାଗିଥିବା ବଡ଼ ବଡ଼ ଖାଇ, ଏସବୁ ଦେଖି ନିଦୁଆ ଆଖି ଆଉ କ୍ଲାନ୍ତ ଶରୀର ସତେଜ ହୋଇ ଉଠିଥିଲା । ସେଇ ରାସ୍ତାରେ ଖଚର ଉପରେ ବସି ଆମେ ଆଗପଛ ହୋଇ ଧାଡ଼ି ବାନ୍ଧି ଚାଲିଥିଲୁ । ରାସ୍ତାର ଗୋଟେ ପଟ କଟା ଯାଇଥିବା ପାହାଡ଼ ଆଉ ଗୋଟେ ପଟେ ଖାଇ । ସେଇ ଖାଇକୁ ଅନେଇଦେଲେ ଲାଗୁଥିଲା ସତେ ଯେମିତି ଟିକେ ଅସାବଧାନ ହେଲେ ସେଇ ଖାଇରେ ଯାଇ ପଡ଼ିଯିବୁ । ଆଖ ପାଖରେ ଥିବା ପାହାଡ଼ ସବୁରେ ସୋପାନ ପଦ୍ଧତିରେ ଚାଷ ହୋଇଥିବାର ଦୃଶ୍ୟ ଥିଲା ଅତୀବ ମନୋରମ । ବେଳେ ବେଳେ କାହା ଘର ବଗିଚାରେ ସେଓ ଫଳିଥିବାର ଦେଖି ଆମେ ସବୁ ଚିଲେଇ ଉଠୁଥିଲୁ “ହେଇ ଦେଖରେ, ସେଓ ଗଛ” । ଆମ ଜଳବାୟୁରେ ଉଠୁଥିବା ଗଛଲତା ଆଉ ସେଠାକାର ଗଛଲତା ବହୁତ ଭିନ୍ନ ଥିଲା । ଗାଁ ପରିବେଶ ଉପତ୍ୟକା ପରି ଦିଶୁଥିଲା ଏବଂ ମଠଗୁଡ଼ିକ ବେଶ୍ ସଫା ସୁତୁରା ଥିଲା । ବେଶ୍ କିଛି ବାଟ ବୁଲି ବୁଲି ଶେଷରେ ରାସ୍ତା କଡ଼ରେ କାୱା ପିଇ ହୋଟେଲ ଫେରିଥିଲୁ ।

Before Rohatang Pas
ରୋହତାଙ୍ଗ ପାସ୍ ପୂର୍ବରୁ

ତହିଁ ଆରଦିନ ସକାଳୁ ଟ୍ରାଭେଲ ଏଜେନ୍ସିଠାରୁ ଆମେ ଦୁଇଟି ବାଇକ୍ ବୁକ୍ କଲୁ । ପ୍ରାୟ ଦିନ ୯ଟା ସୁଦ୍ଧା ବାହାରି ପଡ଼ିଲୁ ବାଇକ୍ ଧରି । ଘାଟି ରାସ୍ତା, ପାହାଡ଼ ପରିବେଶ ସବୁ କିଛି ବହୁତ ସୁନ୍ଦର ଲାଗୁଥିଲା । ବହୁତ ଗୁଡ଼େ ଛୋଟ ବଡ଼ ନାଳ ନଦୀ ଆଉ ଘାଟି ରାସ୍ତା ପାର କରି ଆମେ ଶେଷରେ ମନାଲିରେ ପହଞ୍ଚି ଯାଇଥିଲୁ । ପହଞ୍ଚିଲା ବେଳକୁ ପ୍ରାୟ ସନ୍ଧ୍ୟା ହୋଇ ଯାଇଥିଲା ତେଣୁ ଟିକେ କ’ଣ ଖାଇକି ବିଶ୍ରାମ ନେବାକୁ ସ୍ଥିରକଲୁ । ଏମିତିରେ ବି ଦିନ ସାରା ଗାଡ଼ି ଚଲେଇ କରି ବହୁତ ଥକା ଲାଗୁଥିଲା । ଟିକେ ସମୟ ବିଶ୍ରାମ କରିବା ପରେ ଆମ ସହ ଆସିଥିବା ସବୁଠାରୁ ବୁଲାରି ସାଙ୍ଗଟି ଆସି ସମସ୍ତଙ୍କୁ ନିଦରୁ ଉଠେଇ ପୁଣି କୁଆଡ଼େ ଗାଡ଼ି ଧରି ଯିବାକୁ ଜିଦ୍ କରିବାକୁ ଲାଗିଲା । ସେତେବେଳକୁ ପ୍ରାୟ ରାତି ହୋଇ ସାରିଥାଏ । ଆମ ଭିତରୁ ଆଉ ଗୋଟେ ସାଙ୍ଗ କହିବାକୁ ଲାଗିଲା, “ଦେଖ ସାଙ୍ଗମାନେ, ମତେ ବହୁତ ଥକା ଲାଗୁଚି, ମୁଁ କୁଆଡ଼େ ଯାଇ ପାରିବିନି ତୁମେ ସବୁ ଯିବାକୁ ଚାହୁଁଛ ଯଦି ଯାଇପାର, ମୁଁ ଶୋଇବାକୁ ଚାଲିଲି ।” ଏତିକି କହି ସେ ଶୋଇବାକୁ ଚାଲିଗଲା । ବାକି ରହି ଗଲୁ ଆମେ ତିନି ଜଣ । ଯୋଉ ସାଙ୍ଗଟି ଯିବାକୁ ଜିଦି କରୁଥିଲା ସେ ପୁଣି କହିବାକୁ ଆରମ୍ଭ କଲା, “ସାଙ୍ଗମାନେ, ଆମେ ଦିନରେ ଯେତିକି ସୁନ୍ଦରତା ଦେଖିବାକୁ ପାଇଲେ ହୁଏତ ରାତିରେ ତାଠାରୁ ଅଧିକା କିଛି ଦେଖିବାକୁ ପାଇପାରିବା !” ମନେ ପଡ଼ୁଥିଲେ କବିବର ରାଧନାଥ ରାୟ । ଦିନେ ସେ ଉତ୍କଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଚିଲିକାକୁ ଦେଖି ଆତ୍ମହରା ହୋଇ ଲେଖିଥିଲେ, ” ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।” ଠିକ୍ ସେହିପରି ବରଫରେ ଆଚ୍ଛାଦିତ ବଡ଼ବଡ଼ ପର୍ବତଶୃଙ୍ଗଗୁଡ଼ିକୁ ଦେଖି ମନ ଭିତରୁ ଆପେ ଆପେ ବାହାରି ଆସୁଥିଲା, “ଆହା ! କି ମନୋରମ ଦୃଶ୍ୟ ।”

Yak in Rohatang Pass
Yak in Rohatang Pass(Photo Source: Dr. Deepak Kar)

ବହୁତ ବୁଝାସୁଝା କରିବା ପରେ ସ୍ଥିର ହେଲା, କିଛି ବାଟ ବୁଲିକି ଆସିବା ପାଇଁ । ଆମେ ତିନି ଜଣ ଗାଡ଼ି ଧରି ବାହାରି ପଡ଼ିଲୁ । ରାସ୍ତାରେ ରୋହତାଙ୍ଗ ପାସ୍ ପଡ଼ିଲା । ଯିବା ପୂର୍ବରୁ ବହୁତ ଜଣଙ୍କଠାରୁ ଶୁଣିଥିଲୁ କି ରୋହତାଙ୍ଗ ପାସ୍ ଭୂତିଆ ଜାଗା ବୋଲି । କିନ୍ତୁ ସେ ସବୁ ଭୂତ ପ୍ରେତରେ ଆମେ କେହି ବିଶ୍ୱାସ କରିବା ପିଲା ନଥିଲୁ । ତେଣୁ ସେଠି ପହଞ୍ଚି ସାରି ଆମେ ପରସ୍ପରକୁ ମିଛିମିଛିକା ଡରେଇବାକୁ ଚେଷ୍ଟା କଲୁ । ଆମ ଭିତରୁ ଗୋଟେ ସାଙ୍ଗ ଟିକେ ଅଧିକା ଡରି ଯାଇଥିଲା ତେଣୁ ସେ ଚିଲେଇବାକୁ ଲାଗିଲା ଆମ ଉପରେ । ତା’ ଡର ଦେଖି ସେଠି ଆଉ ଅଧିକା ସମୟ ନରହି ସେଠୁ ଫେରିବା ପାଇଁ ସ୍ଥିରକଲୁ । ଠିକ୍ ଗାଡ଼ି ବୁଲେଇଛୁ କି ନାହିଁ ଚାରି ଆଡ଼େ କୁହୁଡ଼ି ବଢ଼ିବାକୁ ଲାଗିଲା ଓ ଆମକୁ ରାସ୍ତାଘାଟ ଜାଣିବା କଷ୍ଟକର ହୋଇ ପଡ଼ିଲା । ଧୀରେ ଧୀରେ ଆମେ ଗାଡ଼ିର ଆଲୁଅରେ ରାସ୍ତା ଦେଖି ବଢ଼ିବାକୁ ଲାଗିଲୁ କିନ୍ତୁ ସଠିକ୍ ଭାବରେ କିଛି ଦେଖା ଯାଉନଥିଲା । ଡ୍ରେସ ଉପରେ ଦୁଇ ଦୁଇଟି ଜ୍ୟାକେଟ ପିନ୍ଧିବା ସତ୍ତ୍ୱେ ବି ଆମକୁ ବହୁତ ଥଣ୍ଡା ଲାଗୁଥିଲା । ଯାହା ଜଣାପଡ଼ୁଥିଲା ସେତେବେଳେ ତାପମାତ୍ରା ୧ ଇଗ୍ରୀ ନହଲେ ୨ ଡିଗ୍ରୀ ଥିବ ପ୍ରାୟ ! ଗାଡ଼ି ଚଲେଇବାବେଳେ ରାସ୍ତାପାଖକୁ ତେରଛା ନଜରରେ ଦେଖିଲାବେଳେ ମନରେ ଭ୍ରମ ସୃଷ୍ଟି ହଉଥିଲା ଯେମିତି କି ପାଖ ଚଟାଣ ଉପରେ କିଏ ଜଣେ ବସି ଆମକୁ ଦେଖୁଚି । ପଛକୁ ବୁଲି ସେଇ ଚଟାଣକୁ ପୁଣି ଦେଖିଲା ବେଳକୁ ସେଠାରେ ବଡ଼ ବଡ଼ ବରଫ ଖଣ୍ଡ ଦେଖା ଯାଉଥିଲା । କେବେକେବେ ଲାଗୁଥିଲା ଯେମିତି କିଏ ପାଖରେ ଠିଆ ହୋଇଛି ! ଆମେ ତାକୁ କାଟି ଗାଡ଼ି ଚଳେଇବାକୁ ଚେଷ୍ଟା କରୁଥିଲୁ । ଏସବୁ ଆମେ ଆସିବା ପୂର୍ବରୁ ଆଗରୁ ଶୁଣିଥିଲୁ ତେଣୁ ମନକୁ ବୁଝେଇବା କଷ୍ଟକର ହୋଇ ପଡ଼ୁଥିଲା କି ଏସବୁ ଆମ ମନଗଢ଼ା କଳ୍ପନା ନା ସତ୍ୟ ଘଟଣା !? କାଳେ କିଏ ଡରି ଯିବ ବୋଲି ଆମେ ଏ କଥା ଗାଡ଼ି ଚଲେଇବା ବେଳେ ପରସ୍ପରକୁ କହୁନଥିଲୁ । ଆଗ ପଛ ହୋଇ ଆମେ ସବୁ ଗୋଟେ ଧାଡ଼ିରେ ଗାଡ଼ି ଚଲାଉ ଥିଲୁ ଯେମିତି ରାସ୍ତା ଦେଖିବାରେ ଆମକୁ ସହଜ ହବ । ସେ ଜାଗା ବିଲ୍‌କୁଲ୍ ଶାନ୍ତ ଆଉ ଶୂନ୍‌ଶାନ୍ ଥିଲା ଏବଂ ସେ ସମୟରେ ଗୋଟେ ବି ଗାଡ଼ି ଦେଖା ଯାଉନଥିଲା । କିଛି ସମୟ ପରେ ହଠାତ୍ ଗୋଟେ ପରିଚିତ ଚିତ୍କାର ଶୁଣିବାକୁ ମିଳିଲା । ଆଗରେ ଯିଏ ଆମ ବାଟ କାଢ଼ି ଯାଉଥିଲା ସେଇ ସାଙ୍ଗଟିର ଚିତ୍କାର ଥିଲା । ଆମେ ସବୁ ତୁରନ୍ତ ତା’ ପାଖରେ ଯାଇ ପହଞ୍ଚି ଯାଇଥିଲୁ । ସବୁଠୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେତେବେଳେ ଆମେ ତାକୁ ଖାଇ ପାଖରେ ପାଇଥିଲୁ । ଆଉ ଟିକେ ହୋଇଥିଲେ ହୁଏତ ସେ ତଳେ ପଡ଼ି ଯାଇଥାନ୍ତା ! ତାକୁ ତଳୁ ଉଠେଇ ପାଣି ପିଇବାକୁ ଦେଇ ପଚାରିଥିଲୁ, “ତୁ ପଡ଼ିଲୁ କେମିତି?” ସେ କହିଲା, “ଲାଗିଲା ଯେମିତି ଗାଡ଼ି ଆଗକୁ ଜଣେ କିଏ ହଠାତ ଆସିଗଲା ଓ ତାକୁ ବଞ୍ଚେଇବାକୁ ଗାଡ଼ି କାଟୁ କାଟୁ ମୋ ହାତକୁ କିଏ ଜଣେ ଟାଣି ଦେଲା ଆଉ ମୋ ବାଲାନ୍ସ ବିଗିଡ଼ିଗଲା… ମୁଁ ତଳେ ପଡ଼ିଗଲି ।” ଆମମାନଙ୍କ ସହ ବି ସେମିତି କିଛି ଘଟି ଚାଲୁଥିଲା କିନ୍ତୁ ସେସବୁ ସେହି ଜାଗାରେ ଆମେ କେହି ସେ ସାଙ୍ଗକୁ କହିଲୁନି । ଯୋଉ ସାଙ୍ଗଟି ଆସିବାକୁ ଅଧିକ ଜିଦ୍ କରିଥିଲା ସେ ଭୟରେ ହାତ ଯୋଡ଼ି ଉପରକୁ ଚାହିଁ ବସିଥିଲା । ବୋଧହୁଏ ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା । ତାକୁ ଦେଖି ଆଉ ଗୋଟେ ସାଙ୍ଗ ବଡ଼ ପାଟିରେ ଭଗବାନଙ୍କୁ ପ୍ରାର୍ଥନା କଲା, “ହେ ଭଗବାନ ! ଆଉ ଦିନେ କେବେ ଏତେ ରାତିରେ ଏଭଳି ରାସ୍ତାରେ ବାହାରିବିନି । ଆଜି ଆମ ସମସ୍ତଙ୍କୁ ଭଲରେ ପହଞ୍ଚାଇ ଦିଅ ।” ତା’ ଡର ଦେଖି, ଆମେ ସବୁ ଆଉ ଟିକେ ଡରିବାକୁ ଲାଗିଲୁ । ଏମିତିରେ ବି ରାସ୍ତା ଘାଟ କିଛି ଦେଖା ଯାଉନଥିଲା, କୁହୁଡ଼ି ବଢ଼ିବାକୁ ଲାଗିଥିଲା । ଆମେ ସବୁ ସ୍ଥିର କଲୁ କିଛି ସମୟ ସେଠି ଅପେକ୍ଷା କରିବା ପାଇଁଁ । ଏହି ଉଦ୍ଦେଶ୍ୟରେ କି କାଳେ କୋଉ ବଡ଼ ଗାଡ଼ି ଆସିଯିବ ଆଉ ଆମେ ତା’ ପଛରେ ଯାଇ ପାରିବୁ !

After Rohatang Pass
ରୋହତାଙ୍ଗ ପାସ୍ ପରେ

ବହୁତ ସମୟର ପତୀକ୍ଷା ପରେ ସୌଭାଗ୍ୟକୁ ଗୋଟେ ଟ୍ରକ ଆସିଲା । ଆମେ ତାକୁ ରୋକିବାକୁ ଚେଷ୍ଟା କଲୁ ଓ ଗାଡ଼ିଟି ରହିଗଲା । ମାତ୍ର ସେ ଗାଡ଼ିରୁ ଜଣେ ସୁସ୍ଥ ସବଳ ଲୋକ ବାହାରି ଆମକୁ ହିନ୍ଦୀରେ କହିବାକୁ ଲାଗିଲା, “କ୍ୟା ହୁଆ? ଆପ୍ ଲୋଗୋ କୋ ପତା ନେହି ହେ କ୍ୟା? ୟାହା ଇତନି ରାତ ମେ ରାଇଡିଂ କରନା ସହି ନେହିଁ ହେ !” ଆମ ଭିତରୁ ଗୋଟେ ସାଙ୍ଗ ତୁରନ୍ତ କହିବାକୁ ଲାଗିଲା, “ହମେ ପତା ନେହିଁ ଥା, ୟେ ଜାଗା ଇତନି ଡରାବନୀ ହୋଗୀ । ପ୍ଲିଜ୍ ହମେ ଆଗେ ତକ ଛୋଡ଼ ଦିଯିଏ ।” ଟ୍ରକ ଚାଳକ ହିନ୍ଦୀରେ କହିବାକୁ ଲାଗିଲେ ଠିକ୍ ଅଛି ମୁଁ ଗାଡ଼ିର ଇଣ୍ଡିକେଟର ଅନ କରି ଦଉଚି, ତୁମେମାନେ ମୋ ପଛରେ ଆସ । ସେହି ସମୟରେ ସେ ଆମ ପାଇଁ ଭଗବାନ ପରି ଥିଲେ । କାରଣ ତାଙ୍କ ଗାଡ଼ିର ଇଣ୍ଡିକେଟର ଦେଖି ଦେଖି ଆମେ ଗୁଲାୱାଯାଏଁ ପହଞ୍ଚି ଯାଇଥିଲୁ । ସେଠି କୁହୁଡ଼ି ଟିକେ କମ୍ ଥିଲା ଏବଂ ଜନଗହଳି ଦେଖି ପାରୁଥିଲୁ । ଗାଡ଼ି ରଖି ଆମେ ସବୁ କୁଣ୍ଢାକୁଣ୍ଢି ହୋଇ କାନ୍ଦିବାକୁ ଲାଗିଲୁ । ଟ୍ରକ ଡ୍ରାଇଭର ଆସି ଆମକୁ କହିଲେ, “ଆଜ୍ ତୋ ମେ ଆରାହା ଥା, ଲେକିନ୍ କାଲ୍ କୌନ୍ ହୋଗା ତୁମ ସବ୍ କୋ ବଚାନେ କେ ଲିୟେ ! ଏସେ ରାତ ମେ ମତ ନିକଲା କରୋ ।” ଟ୍ରକ୍ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣେଇ, ଆମେ ସବୁ ତୁରନ୍ତ ସେଠୁ ବାହାରି ନିଜ ହୋଟେଲରେ ପହଞ୍ଚି ନିଜ ନିଜ ଅନୁଭୂତି ବଖାଣି ବସିଲୁ ହୋଟେଲ ବୟ ଏବଂ ଆମ ଶୋଇଥିବା ସାଙ୍ଗକୁ ନିଦରୁ ଉଠେଇ । ସମସ୍ତଙ୍କ ଅନୁଭୂତିରୁ ଜଣା ପଡ଼ିଲା କି ଆମ ସମସ୍ତଙ୍କ ସହ ସମାନ ଘଟଣା ଘଟିଥିଲା । ହୋଟେଲ ବୟ ସେଠାକାର ସ୍ଥାନୀୟ ବାସିନ୍ଦା ଥିଲା । ସେ ହିନ୍ଦୀରେ କହିଲା କି, “ଆପଣମାନଙ୍କୁ ବୋଧହୁଏ ମିଛ ଲାଗିପାରେ କିନ୍ତୁ ଏହା ସତ କି ରୋହତାଙ୍ଗ ପାସ୍ ଏକ ଭୂତିୟା ଜାଗା । ଏଠିକାର ସ୍ଥାନୀୟ ଲୋକ ରୋହତାଙ୍ଗ ମାନେ ସମୂହ କଙ୍କାଳ ଗଦା ବୋଲି ବୁଝନ୍ତି । ଭୂତିୟା ଜାଗା ଏଥିପାଇଁ କୁହନ୍ତି କାରଣ ବହୁତ ବର୍ଷ ପୂର୍ବରୁ ସେଇ ରାସ୍ତା ଦେଇ ଯିଏ ବି ଯାଉଥିଲେ, କୁହୁଡ଼ି ଓ ଥଣ୍ଡା ବରଫ ଯୋଗୁଁ ନିଜ ଜୀବନ ହାରୁଥିଲେ । ଲୋକମାନେ ଏବେ ବି ମାନନ୍ତି କି, ଯୋଉଁମାନେ ମରି ଯାଇଥିଲେ ସେମାନଙ୍କ ଆତ୍ମା ଏବେ ବି ସେଠି ଘୂରି ବୁଲୁଛି । ଏଠିକାର ସ୍ଥାନୀୟ ଲୋକ ସେ ରାସ୍ତା ଦେଇ ରାତିରେ କେବେ ଯାଆନ୍ତି ନାହିଁ । ତୁମେମାନେ ବହୁତ ଭାଗ୍ୟବାନ କି ସେ ଭଳି ଜାଗାରୁ ବଞ୍ଚିକି ଆସିଛ ।” ଏସବୁ ଶୁଣିକି ଆମେ ଭାବୁଥିଲୁ କି, ଯାହା ଆଜି ଯାଏ ରୋହତାଙ୍ଗ ପାସ୍ ବିଷୟରେ ଶୁଣିଥିଲୁ ସେ ସବୁ ସତ୍ୟ ଘଟଣା ।

Rohtangh Pass - Himachal
ରୋହତାଙ୍ଗ ପାସ୍ ହିମାଚଳ

ଫେରିବା ପରେ ଆମ ଚିହ୍ନା ପରିଚିତରେ କେହି ବି ଯଦି ହିମାଚଳ ଯିବା ବିଷୟରେ କୁହନ୍ତି, ତେବେ ସେମାନଙ୍କୁ ରାତିରେ ରୋହତାଙ୍ଗ ପାସ୍ ଦେଇ ଯିବା ଆସିବା କରିବାକୁ ମନାକରୁ । ସେଦିନର ସେ ଅନୁଭୂତି ମନେ ପଡ଼ିଲେ ଆଜି ବି ମନ ରୋମାଞ୍ଚିତ ହୋଇଯାଏ । ମନ ଭିତରେ କିଛି ଭୟ ଆଉ ସୁନ୍ଦର ସ୍ମୃତିର ବହିଟିଏ ସାଇତା ହୋଇ ରହିଛି ଯାହାର ପୃଷ୍ଠା ବେଳ ଅବେଳରେ ଖୋଲିଗଲେ ଦେହ ଶୀତେଇ ଉଠେ ଓ ଲୋମମୂଳ ଟାଙ୍କୁରିଯାଏ ।

– ପଲ୍ଲବୀ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଲ୍ଲବୀ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।