ଏଇ କିଛି ଦିନ ତଳର କଥା । ଯାହା ହେଲେ ବି ଛଅ କି ସାତ ବର୍ଷରୁ କମ ହେବନି । କାବ୍ୟା ସହ ମୋର ପରିଚୟ ସେତେବେଳୁ । ପରିଚିତ ବୋଇଲେ ସୋସିଆଲ ମିଡ଼ିଆରେ ଆଉ ତା’ ବି ଚାଟିଙ୍ଗ ଭିତରେ ହିଁ ସୀମିତ । ଯଦିଓ କେତେ ଥର କହିଛି ଥରେ ଅଧେ ଦେଖା କରିବାକୁ । ସେ ଦେଖିବା ସମୟ ଆସୁ କହିବି କହି ଏଡ଼ାଇ ଦିଏ । ଏମିତ କେତେ ଥର ସମୟ ଆସି ଚାଲି ଗଲାଣି ମୁଁ କିନ୍ତୁ ଯୋଉଠି ସେଇଠି ହିଁ ଅଛି । ସମୟକୁ ଅନେଇ ଅନେଇ ଏମିତ କେତେ ସମୟ ଗଡ଼ି ଗଲାଣି । ସବୁଠୁ ବଡ଼ “କିନ୍ତୁ”ର ବିଷୟ ଯେ ମୁଁ ତାଙ୍କୁ ଏ ଯାଏ ଦେଖିନି । ମୁଁ ଯାହାକୁ କାବ୍ୟା ବୋଲି ଭାବେ ସେ ଯେ ପ୍ରକୃତରେ ଯେ କାବ୍ୟା । ମୁଁ ନିଶ୍ଚିତ ନୁହଁ । ଫୋଟୋ ଦେଖିବାକୁ କହିଲେ ସେ ଯେଉଁ ଫୋଟୋ ଦିଅନ୍ତି । କୌଣସି ସେଲିବ୍ରିଟିଠାରୁ ଦେଖିବାକୁ କମ ନୁହନ୍ତି । ମୁଁ ବଡ ସନ୍ଦିଆହନର ପଡ଼ିଯାଏ ସତରେ ଇୟେ ଏମିତ….?? କୌଣସି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହେରୋଇନର ଫୋଟୋ ଲାଗୁଥାଏ । ତା’ ପୁଣି ଦେଶବିଦେଶରେ ବିଭିନ୍ନ ଦର୍ଶନୀୟ ସ୍ଥାନରେ । ଯେଉଁ ମାନଙ୍କୁ ମୁଁ ଜାଣି ନଥାଏ । ଏତିକି ମୁଁ ନିଶ୍ଚିତ ଥାଏ ସାହିତ୍ୟ ଓ ସଂଗୀତ ପ୍ରତି କାବ୍ୟାର ଅହେତୁକ ଦୁର୍ବଳତା । ସେ ବହୁତ ଗଳ୍ପ ଉପନ୍ୟାସ ପଢ଼ନ୍ତି । ଖୁବ ଶାଣିତ ତାଙ୍କର ତର୍ଜମା । କଥା କଥାକେ ଗୋଟିଏ ଗପ କହି ଦୃଷ୍ଟାନ୍ତ ଦେବାକୁ ଭୁଲେ ନାହିଁ । ବେଳେ ବେଳେ ଖୁବ ଜଟିଳ ତ’ କେବେ ପୁଣି ଖୁବ ସରଳ ।
ସବୁଠୁ ବଡ଼ ଜଟିଳ କଥାଟି ହେଲା, ଏତେ କରି କହିବା ପରେ ନିଜ ମୁହଁଟିକୁ ଲୁଚେଇବା । ବଡ଼ କୌତୁହଳ ବ୍ୟାକୁଳରେ ମନ ଛଟପଟ । ନିଜର ମାନସ ପଟରେ କେତେ କାଳ୍ପନିକ ରୂପ ଦିଏ, ପୁଣି ଲିଭେଇ ଦିଏ । ପୁଣି ଖୋଜି ଚାଲୁଥାଏ ନୂଆ ଏକ ରୂପ । କେଜାଣି … ! କେଉଁ ଦିନ ମନଛୁଆଁ ମିଛଟେ ମନ ଛୁଇଁ ଗଲା ଉତ୍ତାରୁ ମୁରୁଛି ନ ପାରି ହଜି ଯାଏ ମୁଁ ମୋ ଖୋଜିବା ଭିତରେ । ତଥାପି ମିଛ ମିଛିକା ସତଟିଏ ଲୁଚକାଳି ଖେଳେ କଳ୍ପନାର ଉହାଡ଼େ । ବିଶ୍ୱାସକୁ ଦିନେ ପାଇବି ଖୋଜି ଏ ବିଶ୍ୱାସ ମୋର ଅଛି । ତମକୁ ଆବିଷ୍କାର କଲା ପରେ ଯାଇ ନିସ୍ତାର । ପାଇବି ତ’ ଖୋଜି ଆଜି ନହେଲ.. ବି କାଲି ! ଏମିତ କେତେ ଦିନ ସତକୁ ପଛ କରି ଲୁଚକାଳି ଖେଳୁଥିବ, ଧୀରେ ଧୀରେ ସବୁ ରହସ୍ୟ ଉନ୍ମୁକ୍ତ ହେବା ହେବା ହେଉଛି । ତା’ ପରେ ଯାଇ ସବୁ ସବୁ ସଚରାଚର ।
ସତରେ ତମେ ନମିଶିବା ଅପେକ୍ଷା ଏମିତ ମିଶିବାଟା କାହିଁ ବେଶୀ ବାଧୁଛି… ! ନା, ଥାଉ ଆଉ ଚାହେଁନା ଭିତରେ ଭିତରେ କୁହୁଳି କୁହୁଳି ଉପରେ ହେବା ପାଇଁ ଖୁସି !!
କେଜାଣି ମୋ ଭାବନାର ତୀବ୍ରତା କେତେ ଦ୍ରୁତ ଥିଲା.. ! କାବ୍ୟ ପାଖେ ଏତେ ଶୀଘ୍ର ପହଞ୍ଚିଗଲା !! ଏ ସବୁ ଭାବନା ମୋ ଭିତରେ ହିଁ ସୀମିତ ଥିଲା ।
ହଁ.. ଏମିତି ହୁଏ ବୋଲି ମୁଁ ବି କେତେ ଥର ଶୁଣିଛି । ତାହାକୁ “ଟେଲିପାଥି” ବୋଲି କହନ୍ତି ।
ଆର ପାରିର ଅବସ୍ଥିତି ଅଦୂରସ୍ଥ ହୃଦବୋଧ ହେଲେ ମଧ୍ୟ ଯୋଜନ ଯୋଜନ ଦୂରତାରେ ଆଶଙ୍କା ।
ସେ ବାରମ୍ବାର ଗୋଟିଏ କଥା କହନ୍ତି ଯେ ତମର ମୋ ଉପରେ ବିଶ୍ୱାସ ଅଛି ତ? ଯଦି ଅଛି ତେବେ ମତେ ଦେଖିବା ଟା କ’ଣ ନିହାତି ଜରୁରୀ? ମୁଁ ନିରୁପାୟ, କେମିତି କହିବି ଯେ ବିଶ୍ୱାସକୁ କେମିତି ବିଶ୍ୱାସ କହନ୍ତି ବୋଲି । କାୟା କଳେବର ସବୁ ଅଦୃଶ୍ୟ ଅଦୃଶ୍ୟ, କାହାକୁ ବିଶ୍ୱାସ ବୋଲି କହିବି? ତଥାପି କହିବାକୁ ପଡ଼ିଲା ହଁ ପୂର୍ଣ୍ଣମାତ୍ରରେ ବିଶ୍ୱାସ ଅଛି । ହଉ ଛାଡ଼ ସେ’କଥା, ତମର ମୋବାଇଲ ନମ୍ବରଟା ଯଦି…
କ’ଣ କରିବ ନେଇ? ଏମିତି ତ’ କଥା ହେଉଛ ।
“ଆଛା, ଏବେ କ’ଣ ନୂଆ ଲେଖିଛ?” କଥା ପ୍ରସଙ୍ଗ ଏଡ଼ାଇ କାବ୍ୟା ପଚାରିଲେ ।
ହଁ, କିଛି ନିଷ୍ଠୁର କବିତା । କବିତା କେବେ ନିଷ୍ଠୁର ହୋଇ ପାରେନା । ସେ ପ୍ରତିଉତ୍ତର ରଖିଲେ ।
ମୋର ସମସ୍ତ କବିତା ମୁଁ ଜଣାଏ ସେ ଖୁବ ଚମତ୍କାର ଭାବେ ତର୍ଜମା କରି ପାରନ୍ତି । ଭୁଲ୍ ଥିଲେ ସଂଶୋଧନ କରିବାକୁ ଭୁଲନ୍ତିନି । କବିତା ଆଉ ଗଳ୍ପ ଲେଖିବାରେ କେଉଁଟି ସହଜ ମନେହୁଏ ତମକୁ? ମୁଁ ସାମାନ୍ୟ ହସି ଦେଲି, ମୋ ଦେହି ଗଳ୍ପ ଲେଖିବା ହୋଇ ପାରିବନି । କବିତା କେଉଁ ସଳଖି ଲେଖି ହୁଏ କି ଯେ.. !!
ଉଭୟ ନିଜ ନିଜ ସ୍ଥାନରେ ସ୍ୱତନ୍ତ୍ର ।
ଏମିତ ଗପ ଚାଲେ… ସବୁଦିନ କିଛି ନା କିଛି ଅଲଣା କଥା ।
ତମେ କେବେ କଟକ ଆସିଲେ ଜଣେଇବ । ବହୁ ଅନୁରୋଧ କରିବା ପରେ ପ୍ରତିଶୃତିଟିଏ ମିଳିଲା । ହଁ, ମୁଁ ଯେବେ ବି କଟକ ଯିବି ନିଶ୍ଚିତ ଦେଖା କରିବି । ମୁଁ ମନେ ମନେ ଭାବୁଥିଲି, ପ୍ରତିଶୃତି ଆଉ ଶୃତି ପ୍ରତି ହୋଇ ରହି ଯିବନି ତ ! କିଛି ଦିନ ଉତ୍ତାରୁ ଅଜଣା ନମ୍ବରରୁ ଫୋନ୍ଟିକୁ ରିସିଭ କରିବା କ୍ଷଣି ସେପଟୁ ଏକ ସୁମଧୁର ଲଳିତ ସ୍ୱର… ମତେ ଜାଣି ପାରୁଛ..?
ନା, ଏ ସ୍ୱର ସହିତ ମୁଁ ପରିଚିତ ନୁହଁ !
ହଉ ତେବେ ରହୁଛି..
ନା.. ନା.. ପ୍ଲିଜ ରୁହ ! ସେପଟୁ ଉଚ୍ଚାଟ ହସ ଶୁଭୁଛି ଖାଲି..
ମତେ ଦେଖା କରିବାକୁ କହୁଥିଲା ପା..?
ଓଃ.. କାବ୍ୟା.. ତମେ ! ମୁଁ ବି କୋଉ ନ ହସି ରହି ପାରିଲି ।
ଆଛା, କାଲି ତମେ ସନ୍ଧ୍ୟାବେଳେ ଫ୍ରି ଅଛ? କାବ୍ୟା ପଚାରିଲେ । ହଁ, ବିଲକୁଲ ଫ୍ରି ଅଛି (ଯଦିଓ ମୁଁ ଫ୍ରି ନଥିଲି) । କାଲି ସନ୍ଧ୍ୟାବେଳେ ଝାଞ୍ଜିରମଙ୍ଗଳା, ସନ୍ଧ୍ୟା ସେଲିବ୍ରେସନରେ ଦେଖା ହେବା । କିନ୍ତୁ ସନ୍ଧ୍ୟାବେଳେ କାହିଁକି? ଦିନ ବେଳେ ହୋଇ ପାରନ୍ତା? ନା, ତମେ ଫ୍ରି ଅଛ ଯଦି ସନ୍ଧ୍ୟାବେଳେ ଆସ ।
ୟେ କୌତୁହଳ ନା ଆଶଙ୍କାର ଆଶଙ୍କା ! ମୁଁ ତ’ ତିଳେ ମାତ୍ରେ ବି ଭେଦ କରିବାକୁ ଅସମର୍ଥ ।
ତଥାପି ଏତେ ସବୁ କଥା ମତେ ସହଜ ଲାଗୁନଥାଏ । ହଉ ଦେଖା ଅଛି, ନଈ ନ ଦେଖୁଣୁ କାଇଁ …
କିଛି ବି ଅସମ୍ଭବ ନୁହଁ ଏଠି । ଏ ବିଷୟ ମୋର ବନ୍ଧୁକୁ ଜଣେଇଲି । ସେ ମୋ ସହ ଯିବାକୁ ଏକମତ ହେଲେ । କାବ୍ୟା ଅନଲାଇନରେ କିଛି କଥା ହେଲା ପରେ ସେ କହିଲେ ଗୋଟେ ଗପ କହିବି ଶୁଣିବ? ଏଇ ଗପଟି ତମେ ପଢ଼ିଥିବ ନିଶ୍ଚିତ ।
ତଥାପି କହୁଛି ।
ହଁ, ନିଶ୍ଚିତ କୁହ ।
ଜଣେ ଶିକାରୀ ସବୁଦିନ ଫାସ ବସେଇ ଶୁଆ ସାରି ଯାହା ଫାସରେ ପଡ଼େ ତାକୁ ନେଇ ବିକ୍ରି କରି ଚଳେ । ଦିନକର ଘଟଣା ସେଦିନ ସୁନ୍ଦର ଶୁଆଟିଏ ଫାସରେ ପଡ଼ିଥିଲା । ତାକୁ ଧରିବାକୁ ଯିବା କ୍ଷଣି ସେ କଥା କହିବାକୁ ଲାଗିଲା, ତମେ ମତେ ନେଇ କ’ଣ କରିବ ? ମୁହୂର୍ତ୍ତେ ଆବାକ ହୋଇଗଲା ଶିକାରୀ ! ବଜାରରେ ବିକ୍ରି କଲେ ବହୁତ ପଇସା ମିଳିବ । ପଇସା ପାଇଲେ ଖୁସି ହେବ ନିଶ୍ଚିତ? ହଁ, ଶିକାରୀଟି ଖୁବ ଆତୁରରେ କହିଲା । ଆଛା, ମୁଁ ତମକୁ ତିନୋଟି ଜ୍ଞାନ ଦାନ କରିବି । ଯାହା ଫଳରେ ତମେ କେବେ ଦୁଖୀ ହେବନାହିଁ ।
“ଆଗେ ତିନୋଟି ଜ୍ଞାନ ଦିଅ, ତା’ ପରେ ବିଚାର କରିବି”, ଶିକାରୀ କହିଲା ।
ପ୍ରଥମ ଜ୍ଞାନ, ଯାହା ଚାଲି ଯାଇଛି ତା ପାଇଁ ପସ୍ତେଇବା ନାହିଁ ।
ଦ୍ୱିତୀୟ, ଯାହା ଅବାସ୍ତବ ବୋଲି ବୁଝୁଥିବ, ସେଥିରେ ବିଶ୍ୱାସ ଯିବନି ।
ତୃତୀୟ, ଯାହା ଅକ୍ତିଆର କରିବା ସମ୍ଭବ ନୁହଁ, ତାହା ପାଇବାକୁ ଚେଷ୍ଟା କରିବନି ।
ଶିକାରୀଟି ହସିଲା ଓ ଏ ଜ୍ଞାନ ତ’ ମୋ ପାଖେ ଆଗରୁ ଥିଲା । ସେ ଭାବ ବିହ୍ଵଳ ହସ ଭିତରେ ଶୁଆଟି ହଠାତ ଖସି ପଳେଇଗଲା । ଶିକାରୀଟି ସତର୍କ ହେବା ପୂର୍ବରୁ ଶୁଆ ଯାଇ ନିକଟସ୍ଥ ଗଛ ଡାଳରେ । ତମେ ଯଦି ଏହି ଜ୍ଞାନ ଆଗରୁ ଜାଣିଥିଲ, ଟିକେ ସତର୍କ ହୋଇ ରହିଥିଲେ ମୋ ପେଟ ଭିତରେ ଯେଉଁ ହୀରା ଅଛି, ତା’ର ମାଲିକ ତମେ ହୋଇ ପାରିଥାନ୍ତ !
ଶିକାରୀଟି ପ୍ରାଣ ପ୍ରଣେ ଧରିବାକୁ ଚେଷ୍ଟା କଲା । କିନ୍ତୁ ଧରିବାକୁ ସକ୍ଷମ ହୋଇ ପାରିଲା ନାହିଁ ।
ପ୍ରଥମ ଜ୍ଞାନ ଅନୁସାରେ ଯାହା ଚାଲି ଯାଇଛି ତାକୁ ନେଇ ପସ୍ତେଇବା ଉଚିତ ନୁହଁ । ତେବେ ସେ ଜ୍ଞାନ ତମ ପାଖେ ନଥିଲା ।
ଦ୍ୱିତୀୟ ଯାହା ଅସମ୍ଭବ ଲାଗୁଛି ତାହା ବିଶ୍ୱାସ କରିବା କଥା ନୁହଁ । ହୀରା କ’ଣ କାହା ପେଟରେ ଥାଏ..?
ରୁହ.. ରୁହ.. କାବ୍ୟା ! ଏ ଗଳ୍ପ ମୁଁ ଜାଣିଛି । ହେଲେ ଏ ଗଳ୍ପଟି ମତେ କହିବାର ହେତୁ ଜାଣିପାରେ?
କିଛି ମୁହୂର୍ତ୍ତର ନୀରବତା ପରେ…
କାଲିକୁ ନିଶ୍ଚୟ ଆସିବ । ମୁଁ ଅପେକ୍ଷାରେ ରହିଲି ।
ଆଜି ସେ ଦିନଟି ଉପନୀତ । ବହୁ ଆଶା ଓ ଆଶଙ୍କାର ଭିଡ଼ । ଏ ଭିଡ଼ ଠେଲି ଆଗକୁ ଗଲେ ଆଉ କୋଉ ଅଡ଼ୁଆରେ ଛନ୍ଦି ନ ହେବି, ଏମିତ କିଛି ନିଶ୍ଚିତତା ନଥାଏ ।
ସନ୍ଧ୍ୟା ସାତଟା ବାଜିବାକୁ ଆଉ କେଇ ମୁହୂର୍ତ୍ତ ବାକି । ସିଧା ଯାଇ ସନ୍ଧ୍ୟା ସେଲିବ୍ରେସନ ଆଗରେ । କାଇଁ ସେମିତି କିଛି ତା’ ଉପସ୍ଥିତି ପ୍ରତୀୟମାନ ହେଉନି ।
ମୁଁ ଫୋନ୍ କରି ସଠିକ ଠିକଣାଟା ବୁଝି ନେବା ଉଚିତ ମଣିଲି । ତମେ ଉପରକୁ ଆସ । ଉପରେ ପହଞ୍ଚିବା ପରେ ସ୍ମିତ ହାସ୍ୟରେ ଯେ ପାଛୋଟି ନେଲେ । ମୁଁ ସେ ମୁହଁଟିକୁ ଅପଲକ ନୟନରେ ଚାହିଁ ରହିଥାଏ । ଅପ୍ସରୀ ବୋଧେ ଅବିକଳ ଏମିତ ହୋଇଥିବେ । ସେ ତ’ ବିଲକୁଲ ସେ ଦେଇଥିବା ଫଟୋ ସହ ସାମଞ୍ଜସ୍ୟ ରହୁଛି । ମୁଁ ସେତେବେଳେ କାହିଁ ପରତେ ଗଲିନି… ! ଏତେ ସୁନ୍ଦରୀ ଝିଅ ସେ ହୋଇ ନଥିବେ ଭାବି ଯାହା ସବୁ ଆଡ଼େଇ ଯାଇଥିଲି ସେ ସବୁ ତେବେ ସତ ଥିଲା । କେତେଥର ତମ ନିଜ ଫଟୋଟେ ଦିଅ ବୋଲି ଅଡ଼ି ବସିଛି । ଚୋର ମା’ କାନ୍ଦେ କେମିତି? ନା.. କବାଟ କିଳି !
ସେ ଯାହା ହେଉ ମୁଁ ନିଜକୁ ନିଜେ ଭାରି ଖୁସି ହୋଇଗଲି ଯେ ଏଭଳି ଏକ ଝିଅ ସହ ଏତେ ନିବିଡ଼ ହୋଇପାରିଛି । ସେ ନେଇ ତାଙ୍କ ମାଆ, ବାପା ଓ ଭାଇଙ୍କ ସହିତ ପରିଚୟ କରାଇଲେ । ମୋ ଖୁସି ସେତେବେଳେ ସୀମା ସରହଦ ଡେଇଁ କୁଆଡ଼େ ଲଗାମ ବିହୀନ ଭାବେ ବୁଲିବାକୁ ଲାଗିଲା ।
ଯା’ହେଉ ତମେ ଆଜି ଆସିଲ ବହୁତ ଖୁସି ଲାଗିଲା । ଆଜି ମୋର ରିଙ୍ଗ ସେରିମନି । ସେଥିପାଇଁ ଏଇ ଭବ୍ୟ ଆୟୋଜନ । କାବ୍ୟା ହସ ହସ ମୁହଁରେ କହୁଥାଏ ।
ମୁଁ ବିସ୍ମୟରେ ଆଁ… କରି ମୁହୂର୍ତ୍ତେ ରହିଗଲି ।
ଏତେ ସୁସ୍ୱାଦୁ ବ୍ୟଞ୍ଜନ ଥିବା ସତ୍ୱେ କିଛି ବି ରୂଚିଲା ନାହିଁ । କେମିତ ସେ ଜାଗା ଛାଡ଼ିବି ସୁଯୋଗଟିଏ ଖୋଜୁଥାଏ । ଫେରିଲା ବେଳେ ସେ କ’ଣ କହୁଥିଲେ ।
ମୁଁ କିନ୍ତୁ କିଛି ଶୁଣିପାରୁନଥିଲି…
– ଅଶୋକ କୁମାର ସେଠୀ