ସନ୍ତୋଷ ବାବୁ ଛିଡ଼ା ହୋଇଥାନ୍ତି ବାସ ଷ୍ଟାଣ୍ଡ ପାଖରେ । ସେପଟେ ପାଖରେ ଛିଡ଼ା ହୋଇଥାନ୍ତି ଜଣେ ବୃଦ୍ଧ ବୟସ୍କ ବ୍ୟକ୍ତି ରିକ୍ସା ଧରି । ସେ ବୃଦ୍ଧ ବ୍ୟକ୍ତି ଏବଂ ସନ୍ତୋଷ ବାବୁଙ୍କ ସବୁଦିନ ଭେଟ ସେହି ବାସ ଷ୍ଟାଣ୍ଡ ପାଖରେ ହୋଇଥାଏ କିନ୍ତୁ କେହିହେଲେ ବି ଆଜିଯାଏଁ କଥା ହୋଇ ନାହାନ୍ତି ।
ଦିନକର ଘଟଣା ସନ୍ତୋଷ ବାବୁ ଘରୁ ତରତର ହୋଇ ପଳେଇ ଆସିଥିବାରୁ ଟଙ୍କା ଆଣିବାକୁ ଭୁଲି ଯାଇଛନ୍ତି । ବସ୍ରେ ଯିବା ପାଇଁ ପାଖରେ ଟଙ୍କାଟେ ନାହିଁ । ଏପଟେ ତାଙ୍କର ଅଫିସ୍ ଲେଟ୍ ହେଇଗଲାଣି । ସେ ତା’ପରେ ସେପଟେ ରିକ୍ସା ଉପରେ ବସିଥିବା ବୃଦ୍ଧ ଲୋକ ପାଖକୁ ଗଲେ । ସେ ବୃଦ୍ଧ ବ୍ୟକ୍ତି ରିକ୍ସା ଥୋଇ ତା’ ଭିତରେ ସେ ଶୋଇଯାଇଛନ୍ତି । ଟିକେ ଆଖି ଲାଗିଯାଇଛି ।
ସନ୍ତୋଷ: ମଉସା ମଉସା ମ ଉଠ । ମୋତେ ଟିକେ ଅଫିସ୍ଯାଏଁ ନେଇଯିବ? କିନ୍ତୁ ମୁଁ ଆଜି ଟଙ୍କା ଦେଇପାରିବିନି । ଘରୁ ଆଜି ତରତର ହୋଇ ପଳାଇଆସିଛି ତ ଟଙ୍କା ଆଣିନି ।
ମଉସା: ଆରେ ବାବା ତୋତେ ମୁଁ କ’ଣ ଟଙ୍କା ମାଗିଲିଣି । ଟଙ୍କା କ’ଣ କାଲି ଆସିଲେ ଦେବୁନି । ତୋ’ର ମୋର ତ ସବୁବେଳେ ଦେଖା ହେଉଛି । ଆସିଲୁ ବସିଲୁ ଆ ନହେଲେ ତୋ’ର ଅଫିସ୍ ସେପଟେ ଡେରି ହୋଇଯିବ ।
ତା’ପରେ ସନ୍ତୋଷ ତା’ ରିକ୍ସାରେ ବସିଲା । ସନ୍ତୋଷ ରିକ୍ସାରେ ବସିକି ପଚାରୁଛି ମଉସା ତମର କେହି କ’ଣ ନିଜର ନାହାନ୍ତି । ତମେ କ’ଣ ଏ ବୟସରେ ରିକ୍ସା ଚଳାଉଛ?
ମଉସା: ମୋର ସମସ୍ତେ ଅଛନ୍ତି; ଶୁଣିବୁ ମୋ ବିଷୟରେ ।
ମଉସା ତା’ର ସବୁ କାହାଣୀ କହିଲା । ଯତେବେଳେ ମଉସାର ସବୁ କାହାଣୀ ଶୁଣିସାରିଲା ସନ୍ତୋଷ ମଉସାକୁ ପଚାରିଲା, “ମଉସା ତୁମେ ସେଇ ଜଗମୋହନ ଗାଆଁର ବିଦିଆ ମଉସା ନା ଯିଏ ମୋତେ କୋଳେଇ କାଖେଇ ଏତେ ବଡ଼ କଲା ଆଉ ମୁଁ ତାକୁ ଆଜି ଚିହ୍ନି ପାରୁନି ! ମୋତେ ସ୍କୁଲକୁ ଏଇ ରିକ୍ସାରେ ଭିଡ଼ିଭିଡ଼ି ନେଇ ଏତେ ବଡ଼ କରିଛି । ତାଙ୍କା ଲାଗି ମୁଁ ଆଜି ଏହି ଜାଗାରେ ପହଞ୍ଚି ପାରିଛି । ଅଥଚ ମୁଁ ତାଙ୍କୁ ଚିହ୍ନି ପାରୁନି… ମଉସା ମୋତେ ଚିହ୍ନି ପାରିଲ ନା?”
ମଉସା: ନାରେ ବାବା ତୁମେ କିଏ ମୁଁ ଚିହ୍ନି ପାରୁନି ।
ସନ୍ତୋଷ: ମଉସା ମୁଁ ସେଇ ଗାଆଁର ସଦାନନ୍ଦ ସାହୁଙ୍କ ପୁଅ । ଏବେ ଜାଣିପାରିଲ?
ମଉସା: ଆରେ ତୁ ସେହି ସଦା ଭାଇ ପୁଅ… ତୁ ଏତେ ବଡ଼ ହେଇଗଲୁଣି । ତୁ ଏଇଠି ଚାକିରୀ କରିଛୁ ହେଲେ ମୋତେ ଚି଼ହ୍ନା ଦେଉନୁ? କେଡ଼ିକିଟିଏ ଥିଲୁ କେଡ଼େ ବଡ଼ ହେଇଗଲୁଣି । ଆଉ ଘରେ ସବୁ କେମିତି ଅଛନ୍ତି?
ସନ୍ତୋଷ: ହଁ ଘରେ ସବୁ ଭଲ ଅଛନ୍ତି । ଏବେ ତୁମ ଖବର କୁହ । ତୁମେ କ’ଣ ପାଇଁ ଏବେ ବି ରିକ୍ସା ଟାଣୁଛ?
ମଉସା: ଆରେ ବାବା ମୋ ପୁଅଟା ଦିଲ୍ଲୀରେ ଚାକିରୀ କରିଛି । ସେ କହିଲା ବାପା ତୁମେ ଆଉ ରିକ୍ସା ଚଲାଅନି । ତୁମେ ରିକ୍ସା ଚଲେଇଲେ ମୋତେ ଦେଖା କରିବାକୁ ଆସୁଥିବା ମୋ ସାଙ୍ଗମାନଙ୍କ ଆଗରେ ମୋତେ ଖରାପ ଲାଗୁଛି । କିନ୍ତୁ ମୁଁ ରିକ୍ସା ଚଲେଇବା ଛାଡ଼ି ପାରିବିନି । ମୋ ରିକ୍ସା ଚଲା ଯେଉଁ ପୁଅକୁ ଖରାପ ଲାଗୁଛି, କାଲି ଯଦି ମୁଁ ରିକ୍ସା ଟାଣିବା ଛାଡ଼ିଦିଏ ଆଉ ସେ ମୋତେ ରିକ୍ସାବାଲା କି ମଳିମୁଣ୍ଡିଆ କହି ନ ପଚାରିବ । ସେଥିପାଇଁ ମୁଁ ରିକ୍ସା ଚଲାଉଛି, ଯେତେଦିନ ପାରିବି ନିଜ ରୋଜଗାରରେ ଚଳିବି । ତୋ’ ମାଉସୀର ମୋର ଆମ ଘର ଛାଡ଼ି ଆସି ଏଇ ସହରରେ ରହୁଛୁ ।
ସନ୍ତୋଷ ମଉସାର ଏ କଥା ଶୁଣି ଦୁଃଖିତ ହେଇଗଲା ଏବଂ ସେ ମନେ ମନେ ଭାବିଲା ମୁଁ ଆଜି ଟଙ୍କା ନଦେଇ ଏମିତି ଚାଲିଯିବି ଏଇଟା ଭଲ ହେବନି । ମଉସା ବୋଧେ ସନ୍ତୋଷର ମୁଁହ ଦେଖି ଠିକ ଜାଣିପାରିଲେ, ତେଣୁ କହିଲେ, “ତୁ ଜମା ବ୍ୟସ୍ତ ହଅନା ମ । କାଲି ଆସିଲେ ଟଙ୍କା ଦେଇ ଦବୁନି ।”
– ଶୁଭମ ବେହେରା
Comments
ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।