ପ୍ରେମରେ ବନ୍ଧା ସାରା ଜଗତ

Odia Poem Premare Bandha Sara Jagata (ପ୍ରେମରେ ବନ୍ଧା ସାରା ଜଗତ) by Sudhanshu Shekhar Diwedi

(ଲକଡାଉନରେ ଘଟିଥିବା ଏକ ସତ କାହାଣୀ)

ଲକଡ଼ାଉନରେ ଗୋଟେ ସମାଜ ସହାୟକ ଗୋଷ୍ଠୀ ଗତ କେତେଦିନ ଧରି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଖାଦ୍ୟ ବିତରଣ କରୁଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ପ୍ରତିଦିନ ଗୋଟେ କୁକୁର ଆସି ଯେକୌଣସି ଲୋକ ହାତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦଉଡ଼ି ପଳାଏ । ଏଭଳି ପରିସ୍ଥିତି ଦେଖି ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ ଚିନ୍ତାରେ ପଡ଼ିଲେ । କିଛି ଉପାୟ ନପାଇ ଦିନେ ସେମାନେ ଜଣେ ପୋଲିସ କର୍ମଚାରୀଙ୍କୁ ଡିୟୁଟିରେ ଲଗାଇଲେ ।

ପ୍ରାୟଃ ଦିନ ୧୨ଟା ବାଜି ସାରିଥାଏ । ସହାୟକ ଗୋଷ୍ଠୀ ଖାଦ୍ୟ ପ୍ୟାକେଟ ଜଣେ ପରେ ଜଣେ ଲୋକଙ୍କୁ ବିତରଣ କରୁଥାନ୍ତି । ସମସ୍ତେ ଲାଇନରେ ଠିଆ ହୋଇ ପ୍ୟାକେଟ ନେଉଥାଆନ୍ତି । ହଠାତ କୁକୁରଟି କୋଉଠି ଥିଲା ଖୁବ ଜୋର ଧାଇଁଆସି ଜଣେ ଲୋକ ହତରୁ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ଦୌଡ଼ିଲା । ହାଁ ହାଁ କହୁ କହୁ ଚମ୍ପଟ । ସମସ୍ତେ ତାଜୁବ । ପୋଲିସ କର୍ମଚାରୀ ବି ଲାଠି ହସ୍ତେ ତା’ ପଛେ ପଛେ ଧାଇଁଥାଏ । କୁକୁରଟି ଦୌଡ଼ି ଦୌଡ଼ି ଯାଇ ଗୋଟେ ଝୁମ୍ପୁଡ଼ି ଘରେ ପଶିଗଲା । ପୋଲିସ କର୍ମଚାରୀ ମଧ୍ୟ ତା’ ପିଛା କରି ଝୁମ୍ପୁଡ଼ି ଘର ପାଖରେ ପହଞ୍ଚି ସାରିଥାଏ । କୁକୁର ଖାଦ୍ୟ ପ୍ୟାକେଟକୁ ଝମ୍ପୁଡ଼ି ଭିତରେ ରଖି ଏଣେ ତେଣେ ଦେଖୁଥାଏ । ପୋଲିସ କର୍ମଚାରୀ ଦେଖିଲା ଝୁମ୍ପୁଡ଼ି ଘରେ ଜଣେ ଲୋକ ଶୋଇଛି । ମୁହଁରେ ବଡ଼ ବଡ଼ ଦାଢ଼ି । ଛିଣ୍ଡା ମଇଳା ଲୁଗା ପିନ୍ଧିଥାଏ । ସେଥିରେ ପୁଣି ଗୋଟେ ଗୋଡ଼ ଛୋଟା । ସେ ଡାକମାରି ପଚାରିଲା, “ଭାଇ ଏ କୁକୁର କ’ଣ ତୁମର?”

“ମୋର କେହି କୁକୁର ନାହାନ୍ତି । କାଳିଆ ମୋ’ ପୁଅ, ତାକୁ କୁକୁର କୁହନାହିଁ ଭାଇ ।” ଦିବ୍ୟାଙ୍ଗ ଲୋକଟି କହିଲା ।
“ଆରେ ଭାଇ ଇଏ ପ୍ରତିଦିନ ଖାଦ୍ୟ ପ୍ୟାକେଟ ଝାମ୍ପିନେଇ ପଳାଇ ଆସୁଛି । କାହାକୁ କାମୁଡ଼ି ଦେବତ ଲକଡାଉନରେ ଡାକ୍ତର କୋଉଠୁ ମିଳିବେ?” ପୋଲିସ କର୍ମଚାରୀ କହିଲା ।
“ଦେଖ ଭାଇ ମୁଁ ତାକୁ ମନା କରିପାରିବିନି । ମୋ ଭାଷ ସେ ବୁଝି ପାରୁନି ସତ ହେଲେ ମୋ ଭୋକକୁ ବେଶ ବୁଝିଯାଇଛି । ଯେବେଠାରୁ ମୁଁ ଘରଦ୍ୱାର ଛାଡ଼ି ପଳାଇ ଆସିଛି ସେବେଠୁ ସେ ମୋ ସହିତ ଅଛି । ଏହାବି କହି ପାରିବିନି ମୁଁ ତାକୁ ପାଳିଛି ନା ସେ ମୋତେ ପାଳିଛି । ସେ ମୋ ପୁଅଠାରୁ ମଧ୍ୟ ଆହୁରି ଅଧିକ ।” ଦିବ୍ୟାଙ୍ଗ ଲୋକ କହିଲା ।

ପୋଲିସ କର୍ମଚାରୀ ଦିବ୍ୟାଙ୍ଗ ଲୋକଠାରୁ ଏଭଳି କଥା ଶୁଣି ପୁରାପୁରି ମୌନ ହୋଇଯାଇଥାଏ । କୁକୁର ସହିତ ମଣିଷର ଏମିତି ସମ୍ପର୍କକୁ କିଛି ବୁଝିପାରୁ ନଥାଏ । ହଠାତ ଦିବ୍ୟଙ୍ଗ ଲୋକଟି ଖାଦ୍ୟ ପ୍ୟାକେଟ ଖୋଲି ଡାକ ମାରିଲା, “କାଳିଆ.. ! ଆରେ କୁଆଡ଼େ ଗଲୁ, ଆ ବାପା ଖାଇଦେ ।” ସଙ୍ଗେ ସଙ୍ଗେ କୁକୁରଟି ଦୌଡ଼ିଆସି ଦିବ୍ୟାଙ୍ଗ ଲୋକର ମୁହଁକୁ ଚାଟି ପକାଇଲା । ତାକୁ ଦିଆ ହୋଇଥିବା ଖାଦ୍ୟକୁ ଦେଖିଲା ନାହିଁ କି ଶୁଙ୍ଘିଲା ନାହିଁ । ଲୋକଟି ଖାଦ୍ୟ ପ୍ୟାକେଟରୁ ପ୍ରଥମେ କାଳିଆ ପାଇଁ ଖାଦ୍ୟ କାଢ଼ିଦେଲା ପୁଣି ନିଜପାଇଁ ରଖିଲା ।

“ଖାଇଦେ ବାପା ! କ’ଣ ପାଇଁ ମୋ ମୁହଁକୁ ଚାହିଁଛୁ? ନେ ଖାଇଦେ… ।” ଦିବ୍ୟାଙ୍ଗ ଲୋକ କାଳିଆକୁ ଖାଇବା ପାଇଁ କହୁଥାଏ ହେଲେ ସେ ଆଖି ତରାଟି ତାକୁ ଚାହିଁଥାଏ । ସେ ଖାଇବା ଆରମ୍ଭ କରିବା ପରେ କାଳିଆ ତା’ ଅଂଶର ଖାଦ୍ୟ ଖାଇଲା ।

କୁକୁର ଓ ମଣିଷର ଅତୁଟ ସମ୍ପର୍କ ଦେଖି ପୋଲିସ କର୍ମଚାରୀ ହାତରୁ ଆପେ ଆପେ ଲାଠି ଖସି ପଡ଼ିଲା । ଦୁହିଁଙ୍କର ଖାଇବା ଶେଷ ହେବାଯାଏ ଅପଲକ ନୟନରେ ଦେଖୁଥାଏ ସେ । ଦୁହେଁ ଖାଇ ସାରିବା ପରେ ସେ କହିଲା, “ଭାଇ ତୁମେ ଗରିବ ନିଃସହାୟ ହୋଇପାର କିନ୍ତୁ ତୁମର ଏ ପୁଅ ଭଳି ଆଉ ଜଣେ ପୁଅ କାହା ପାଖରେ ନଥିବ ।” ଏହା କହୁ କହୁ ନିଜ ପକେଟରୁ କିଛି ଟଙ୍କା କାଢ଼ି ଦିବ୍ୟାଙ୍ଗ ହାତରେ ଧରେଇଦେଲା ।

ଦିବ୍ୟାଙ୍ଗ କହିଲା, “ଥାଉ ଆଜ୍ଞା ! ଆଉ କାହାପାଇଁ ଆବଶ୍ୟକ ହୋଇପାରେ, ମୋତେ ତ ମୋ ଯୋଗ୍ୟ ପୁଅ କାଳିଆ ସମ୍ଭାଳିଛି । ମୋ ପୁଅ ଥାଉ ଥାଉ ମୋ ପାଇଁ ଖାଦ୍ୟର କିଛି ଚିନ୍ତା ହେବନାହିଁ ।”

ପୋଲିସ କର୍ମଚାରୀ ଆଶ୍ଚର୍ଯ୍ୟ ହେଉଥାଏ ଆଜି ମଣିଷ ମଣିଷଠାରୁ ଛଡ଼େଇ ନେବାକୁ ଆତୁର । କିନ୍ତୁ ଗୋଟେ କୁକୁର ତା’ ମାଲିକର ପ୍ରେମରେ ଏମିତି ବାନ୍ଧିହୋଇ ଯାଇଛି ଯେ ନିଜେ ନଖାଇବାଯାଏ କୁକୁର ବି ଖାଉନାହିଁ । ବାଃ ! କି ଚମତ୍କାର ଲୀଳା ଲୀଳାମୟଙ୍କର ! ! ତା’ପରେ ସେ କାଳିଆକୁ ସ୍ନେହର ପରଶ ଦେଇ ଆଉଁସି କହିଲା, “କାଳିଆ ତୁ କାଲିଠାରୁ ଖାଦ୍ୟ ପ୍ୟାକେଟ ନେବାକୁ ଆସିବୁ । ମୁଁ ତୋତେ ଦୁଇଟି ଖାଦ୍ୟ ପ୍ୟାକେଟ ଦେବି । ଗୋଟେ ତୋ’ର ଆଉ ଗୋଟେ ତୋ’ ମାଲିକର । ହଁ ! କାହାଠାରୁ ଛଡ଼େଇ ଆଣିବୁନି, ସିଧା ମୋ’ଠାରୁ ନେବୁ ।”

– ସୁଧାଂଶୁ ଶେଖର ଦ୍ୱିବେଦୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...