କାହିଁକି କେଜାଣି ସେହି ଭୟବିତ ମନ ଏବଂ ଅସ୍ଥିର ଚିତ୍ତ ନିଃଶବ୍ଦ ରାତି ଏହି ନିରୀହ ମନରେ ଅନେକ ଦ୍ୱନ୍ଦ ସୃଷ୍ଟି କରୁଥିଲା । ଜନ୍ମ ଦିନରେ ପ୍ରିୟ ଜନଙ୍କ ଶୁଭେଚ୍ଛା ମଧ୍ୟ ମନର କୋଳାହଳକୁ ଶାନ୍ତ କରି ପାରୁନଥାଏ । ଜୀବନର ଆଉ ଗୋଟିଏ ପାହାଚ ଯେ ମୁଁ ଚଢ଼ିଥିଲି । ହେଲେ ମୋତେ ଆଗକୁ ଯିବାକୁ ଭୟ ଲାଗୁଥାଏ । କାରଣ ଏଠି ପ୍ରତ୍ୟେକ ପାଦରେ ଛଳନା ସଦ୍ରୁଶ କଣ୍ଟା ବିଚ୍ଛୁରିତ ହୋଇ ପଡ଼ିଛି । କାହିଁକି କେଜାଣି ନ ଚାହିଁବା ସତ୍ତ୍ୱେ ବି ଲୋକମାନଙ୍କ ଛଳନା ଆଖି ସମ୍ମୁଖକୁ ଚାଲିଆସେ । ଏହା ମୋ ମନର ଦ୍ୱନ୍ଦ କି ଭୟର ସମାହାର, ତାହା ମୁଁ ବୁଝି ପାରୁ ନଥାଏ । ମନ ସତେ ଯେମିତି ଅବା କେହି ଆପଣାର ଅପେକ୍ଷାରେ ରହିଥିଲା । ସବୁ ଆପଣାରର ଭିଡ଼ ଭିତରେ ନିଜକୁ ଏକାକି ହଜେଇ ଦେବାର କାରଣ ଯେ ମୋତେ ଅଜଣା ଥଲା ।
କାରଣ ସେତେବେଳେ ମନରେ ଶୂନ୍ୟସ୍ଥାନ ସୃଷ୍ଟି କରିଥାଏ, ସେହି ଏକତରଫା ପ୍ରେମର ହସ୍ତକୃତ ପଟ୍ଟଚିତ୍ର । ମନ ଅପେକ୍ଷା କରିଥାଏ କଳ୍ପନାରେ ଚିତ୍ରିତ ସେହି ମନର ମଣିଷର ଶୁଭକାମନାକୁ । ଏ ମନ ଚାହେଁ ଫଗୁଣର ଫଗୁ ଆଉ ବସନ୍ତର ମୃଦୁ ମଳୟରେ ପୁଷ୍ପ ବିଛୁରିତ ପଥର ପଥିକ ସାଜିବାକୁ ତ ପୁଣି ଭ୍ରମର ପ୍ରାୟ ଉଡ଼ିବୁଲିବାକୁ ସେହି ମନୋରମ ପରିବେଶରେ । କିଛି ସମୟ ପାଇଁ ନିଜକୁ ଭୁଲେଇବାକୁ ଚେଷ୍ଟା କରେ ନିଜର ସେହି ଛୋଟ କାଳ୍ପନିକ ଦୁନିଆରେ । ଇଚ୍ଛାହୁଏ ପରୀରାଇଜର ସେହି କାହାଣୀ ପରି ଖୋଲା ଆକାଶତଳେ ମୁକ୍ତ ବିହଙ୍ଗ ପରି ଉଡ଼ି ବୁଲିବାକୁ, ତ ପୁଣି କେଉଁ ଅଚିହ୍ନା ରାଇଜର ସେହି ଅଚିହ୍ନା ରାଜକୁମାରକୁ ନିଜ ମନର ମଣିଷ କରିବାକୁ । ନା ଥିବ ସେଠି ଛଳନା ଆଉ ପ୍ରତାରଣାର ଅମ୍ୱର, ନା ଥିବ ବିଶ୍ୱାସ ଘାତକତାର ସେହି ଜୀର୍ଣ୍ଣ ରଜ୍ଜୁ ଯାହା ସେହି ପ୍ରେମର ସ୍ୱର୍ଣ୍ଣ ଅଳଙ୍କୃତ ଅଧ୍ୟାୟକୁ କଳଙ୍କିତ ଦୁନିଆଠାରୁ ବହୁ ଦୂରରେ ରଖି ଏକ ପବିତ୍ର ସମ୍ପର୍କର ରୂପରେଖ ସୃଷ୍ଟି କରିବ । ହୃଦୟର ଅକୁହା କଥାକୁ ନୟନର ଶୁଭ୍ର କାଗଜରେ ହସର ଲେଖନୀରେ ଲେଖିପାରୁଥିବା ରାଜକୁମାରକୁ ଖୋଜୁଛି ଏହି ମନ । କଟକଣା ଏବଂ ଲୋକଲଜ୍ଜା ଠାରୁ ବହୁ ଦୂରରେ ରହିବାକୁ ଚାହେଁ ଏ ମନ । ଛୋଟ ଦୁନିଆରେ ଅକୁହା କଥାକୁ ବୁଝିପାରୁଥିବା ମନର ମଣିଷଟିକୁ ନେଇ ସ୍ୱପ୍ନରେ ମେଘ ଖଣ୍ଡକୁ ଯୋଡ଼ି ଗଢ଼ିଥିବା ବିମାନରେ ମୁକ୍ତ ଆକାଶରେ ପରିଟିଏ ସାଜି ବୁଲିବାକୁ ଚାହୁଁଥାଏ ଏହି ଅବୁଝା ମନ ।
ହେଲେ ବାସ୍ତବତା ଯେ କେତେ କଠୋର ସ୍ୱପ୍ନର ଦୁନିଆଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସମ୍ପର୍କର ଦ୍ୱାହି ଦେଇ ଛଳନାର ଲୁଚକାଳି ଖେଳ ବୋଧହୁଏ ବର୍ତ୍ତମାନ ଦୈନନ୍ଦିନ ଜୀବନର ପୁସ୍ତକର ଗୋଟେ ଗୋଟେ ପୃଷ୍ଠା ପାଲଟିଛି । ଆଜି ମୁଁ ଏହି ସମୟ ଆଉ ଏହି ମୁହୂର୍ତ୍ତରେ ରହିଯିବାକୁ ଚାହେଁ କାରଣ ସତ୍ୟକୁ ସମ୍ନା କରିବାରେ ମୁଁ ଅସମର୍ଥ, ତେଣୁ କାଳ୍ପନିକ ଦୁନିଆର ସେହି କଳ୍ପିତ ରାଇଜରେ ରାଜକୁମାରୀ ସାଜି ରହିବାକୁ ଚାହେଁ ମୁଁ । ହାତ ଗଣତିରେ ଥିବା କିଛି ଆପଣାର ଲୋକଙ୍କ ହାତ ଧରି ଚାଲିବାକୁ ଚାହେଁ ମୁଁ । ସମୟ ଦିନେ ତା’ ଶ୍ରୋତରେ ଭସାଇ ନେବ ମୋର ଆପଣାରମାନଙ୍କୁ, ସମୟ ଯେ ମୋତେ ଆଉ କେଉଁ ମୋଡ଼ରେ ଠିଆ କରିବ ସେ ସବୁରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ । ସମୟର କଠୋର ପରୀକ୍ଷାକୁ ଏକାକି ସାମ୍ନା କରିବାରେ ମୁଁ ଅସମର୍ଥ । ତେଣୁ ସ୍ୱପ୍ନକୁ ଭୁଲି ବାସ୍ତବତାରେ ରହିବା ଯେ ମୋ ପାଇଁ ଭଲ । କାରଣ ସମ୍ପର୍କ, ସମାଜ ଏବଂ ସ୍ୱପ୍ନ ମଧ୍ୟରେ ଥିବା ଉଚ୍ଚା ପାଚେରୀ ସଦୃଶ ଥିବା ସମାଜର ନୀତିନିୟମ ଆଉ ସଂସ୍କାରକୁ ଭାଙ୍ଗି ମୁଁ ଆଗକୁ ଯାଇପାରିବି ନାହିଁ । ପୁଣି ବାସ୍ତବତା ମୋତେ ସ୍ୱପ୍ନର ନିର୍ମଳ, ସ୍ୱଛ ଆକାଶ ସଦୃଶ ଦୁନିଆରୁ ଆଣି ଭୂମିରେ ଫୋପାଡ଼ି ଦେଇଥିଲା । ଶେଷରେ ଧୂଳି ଧୂସରିତ ଶରୀରକୁ ଝାଡ଼ିଦେଇ ଏକ ଛୋଟ ସ୍ମିତ ହସରେ ବାସ୍ତବତାକୁ ଛାତିରେ ଲଗାଇ ଶୋଇପଡ଼ିଥିଲି ମୁଁ ।
ବେଳେ ବେଳେ ନିଜର ସନ୍ତୋଷ ଜାହିର କରିବା ପାଇଁ ମୋର କିଛି ଖୁସିର ମୁହୁର୍ତ୍ତକୁ ନିଃଶବ୍ଦ ରାତିରେ ଶାନ୍ତ ପରିବେଶରେ ସମସ୍ତେ ନିଦ୍ରାର ଗଭୀରତମ ପ୍ରଦେଶରେ ବୁଡ଼ିରହିଥିବା ମସୟରେ ବାସ୍ତବତାକୁ ଭୁଲି କିଛି କ୍ଷଣ ପାଇଁ ସ୍ୱପ୍ନର ଦୁନିଆରେ ସ୍ୱଇଚ୍ଛାରେ ଏକାକି ସମୟ ଅତିବାହିତ କରିବାକୁ ଭଲ ଲାଗେ ମୋତେ ।
– ବାତ୍ୟା ବିଜୟିନୀ
Comments
ବାତ୍ୟା ବିଜୟୀନି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।