ସୌମ୍ୟ ତୁମେ ସତରେ ଏମିତି ବଦଳି ଯିବ ମୁଁ ଭାବି ନଥିଲି ! ତୁମ ପ୍ରେମ ମୋ ପାଇଁ ପୂଜା ଥିଲା । ହୁଏତ ସୂର୍ଯ୍ୟ ଉଦୟ ହେବାକୁ ଭୁଲି ଯାଇପାରେ କିନ୍ତୁ ଏ ସ୍ନେହା ତୁମକୁ କେବେବି ଭୁଲି ପାରିବ ନାହିଁ । ତୁମେ ଜାଣିଛ ତୁମ ପାଇଁ ମୁଁ ମୋର ବାପାମାଆଙ୍କଠାରୁ ବି ସମ୍ପର୍କ ଛିନ୍ନ କରି ସାରିଛି, ତଥାପି ତୁମେ କହୁଛ ମୋତେ ଭୁଲିଯାଅ !! କାହିଁକି ସୌମ୍ୟ? ମୋର ଭୁଲ କ’ଣ?? ସେଦିନ ପ୍ରଥମ ଆନାଟୋମି କ୍ଲାସ୍ରେ, ମୃତ ଶରୀର ପ୍ରତି ଥିବା ଡର ଆଉ ଫର୍ମାଲିନ୍ର ସେ ଗନ୍ଧର ପ୍ରତିକ୍ରିୟାରେ ମୁଁ ମୋ ଅଜାଣତରେ ତୁମ କାନ୍ଧରେ ମୁଣ୍ଡ ଦେଇ ଦେଇ ଥିଲି । ଆଉ ତୁମେ ମୋ ମୁଣ୍ଡକୁ ଧୀରେକି ଉଠେଇ ଅଳ୍ପ ହସି କହିଥିଲ, ଏମିତି ଡରିଲେ ଆଗକୁ ପଢ଼ିବ କେମିତି? ତୁମର ସେ ମଧୁର କଥା ଆଉ ସ୍ମିତ ହସ ମୋ ମନ ଭିତରେ ପ୍ରେମର କଳିକାଟିଏ ଅଙ୍କୁରୋଦ୍ଗମ ପାଇଁ ସୃଷ୍ଟି କରି ଦେଇଥିଲା ଉପଯୁକ୍ତ ବାତାବରଣ । ତା’ପରଠାରୁ ଅନେକ ସୁଯୋଗ ମିଳିଛି କଥା ହେବାକୁ ତୁମ ସହ, କିନ୍ତୁ କେବେ ବି ପ୍ରେମର ଭାବନାକୁ ପ୍ରକାଶ କରିବାକୁ ସାହସ କରିପାରି ନଥିଲି । ତୁମର ମନେ ଅଛି ସୌମ୍ୟ? ଯେତେବେଳେ ଆମେ ମେଡିକାଲ ପ୍ରଥମ ବର୍ଷରେ ପ୍ରବେଶ କରିଥିଲେ, ତୁମେ ସମସ୍ତଙ୍କଠାରୁ ଅଲଗା ରହୁଥିଲ । ସମସ୍ତେ ଥଟ୍ଟାମଜା କଲାବେଳେ ତୁମେ କେବଳ ପଢ଼ାରେ ହିଁ ମନ ଦେଉଥିଲ । ତୁମର ସେ ଶାନ୍ତ ଚେହେରା, ନିରୀହ ଭାବ ଆଉ ପାଠ ପ୍ରତି ସମର୍ପଣ ମୋତେ ତୁମ ଆଡ଼କୁ ଆକୃଷ୍ଟ କରିଥିଲା ତୀବ୍ର ଭାବରେ । କଟକର ସେ କୁହୁକିନୀମାନେ ଅନ୍ୟ ପୁଅମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିଲାବେଳେ ତୁମେ ଏସବୁଠାରୁ ଥିଲ ଅନେକ ଦୂରରେ । ବହୁତଥର ଚାହିଁଛି ତୁମକୁ ମୋ ମନ କଥା କହିଦେବାକୁ ହେଲେ ତୁମ ପାଖକୁ ଯାଇ ମଧ୍ୟ ସାହସ ଜୁଟାଇ ପାରି ନଥିଲି । କିନ୍ତୁ ଚୁମ୍ବକ ପରି ତୁମର ଚେହେରା ମୋତେ ତୁମ ଆଡ଼କୁ ଆକର୍ଷିତ କରୁଥିଲା ବାରମ୍ବାର । ପାଓଲୋଙ୍କ ଭାଷାରେ, “ଯଦି ମନରେ ସତ ପ୍ରେମ ଥିବ ତେବେ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ସେ ପ୍ରେମକୁ ମିଶାଇବାରେ ଲାଗିଯାଏ ।” ଆଉ ମୋତେ ମିଳି ଯାଇଥିଲା ସୁବର୍ଣ୍ଣ ସୁଯୋଗ ! ତୁମଠାରୁ ପାଠ ଛଡ଼ା ଆଉ କିଛି ଶୁଣିବାକୁ ମିଳୁ ନଥିଲା । ତୁମ ମୁହଁରୁ ପ୍ରେମ ଭରା କଥା ଶୁଣିବାକୁ ବିବ୍ରତ ହେଇଯାଉଥିବା ବେଳେ ତୁମେ କିନ୍ତୁ ପ୍ରେମର ବିପକ୍ଷରେ ଥିଲ । ସେଦିନ ସେଣ୍ଟ୍ରାଲ ଲାଇବ୍ରେରୀରେ ତୁମକୁ ବହି ଭିତରେ କାଗଜରେ ଲେଖି ମୋ ତରଫରୁ ପ୍ରେମ ନିବେଦନ କରିଥିଲି ଆଉ ତୁମେ ବହିଟି ସେଇଠି ରଖି ଚୁପଚାପ ଚାଲି ଯାଇଥିଲ । ବହୁତ ବାଧିଥିଲା ତୁମର ସେ ବ୍ୟବହାର ସେଦିନ । ଭାବିଥିଲି ତୁମ ସହ କେବେ କଥା ହେବିନି କିନ୍ତୁ କାହିଁକି କେଜାଣି ରହିପାରିଲିନି । ପୂରା କଲେଜରେ ମୁଁ ତୁମର ଏକା ହିଁ ବାନ୍ଧବୀ ଥିଲି । ସେଥିପାଇଁ ଅନେକ ଝିଅଙ୍କର ଇର୍ଷାର ପାତ୍ରୀ ହେବାକୁ ପଡ଼ିଥିଲା ।
ସେଦିନ ସନ୍ଧ୍ୟାରେ ଡାକିଥିଲି ତୁମକୁ ମହାନଦୀ କୂଳକୁ କିଛି ମୁହୂର୍ତ୍ତ ତୁମସହ ବିତାଇବା ପାଇଁ । ହେଲେ ତୁମେ ସେଦିନ କଠୋର ଭାବରେ କହିଥିଲ, “ସ୍ନେହା ! ତୁମେ ଧନୀ ଘର ଝିଅ ଆଉ ମୁଁ ସୁଦୂର ସୁନ୍ଦରଗଡ଼ରୁ ଆସିଥିବା ସାଧାରଣ ଘରର ପୁଅ । ତୁମେ ହୁଏତ ସଉକ ପାଇଁ ପଢ଼ୁଛ, କିନ୍ତୁ ମୁଁ ମୋ ପରିବାର ଦାରିଦ୍ର୍ୟତା ଦୂର କରିବାକୁ ପଢ଼ୁଛି । ମୋ ପାଖରେ ପ୍ରେମର କିଛି ମୂଲ୍ୟ ନାହିଁ । ତା’ଛଡ଼ା ତୁମର ମୋର ଯେ କିଛି ବି ମେଳ ନାହଁ ! ନା ଆର୍ଥିକ ନା ସାମାଜିକ । ମୁଁ ତୁମଠାରୁ ବହୁତ ଭିନ୍ନ । ମୋ’ଠାରୁ କେବେ ପ୍ରେମର ଆଶା ବି ରଖିବନି, ନହେଲେ ମୋତେ ତୁମ ସହ ବନ୍ଧୁତା ବି ଭାଙ୍ଗିବାକୁ ପଡ଼ିବ ।” ମୋର କିଛି କଥା ନଶୁଣି ତୁମେ ବିଜୁଳି ବେଗରେ ଚାଲି ଯାଇଥିଲ ପଛକୁ ମୁହଁ ବୁଲେଇ । ମୁଁ କିନ୍ତୁ ଥିଲି ପିଲାଦିନୁ ଏକ ଜିଦିଆ । ପାର୍ବତୀ ଶିବଙ୍କୁ ପାଇବା ପାଇଁ ବର୍ଷେ ପର୍ଯ୍ୟନ୍ତ ତପସ୍ୟା କରିଥିଲେ । ହେଲେ ତୁମକୁ ନିଜର କରିବାକୁ ମୋତେ ଦୁଇ ବର୍ଷ ଲାଗି ଯାଇଥିଲା ।
ସେଦିନ ଜାଣିଲି ତୁମ ଭିତରେ ବି ଗୋଟେ ହୃଦୟ ବି ଅଛି, ଯେଉଁଦିନ ତୁମେ ମୋ ଅସୁସ୍ଥତା ଖବର ପାଇ ଆମ ଘରେ ପହଞ୍ଚି ଯାଇଥିଲ । ତୁମ ହାତରେ ମୋ ହାତକୁ ଧରି ସେଇ ମତାଣିଆ ସ୍ମିତ ହସି ଧୀରେକି କହିଥିଲ, “ଶୀଘ୍ର ଭଲ ହେଇ କଲେଜ ଆସ ତୁମ ବିନା କଲେଜ ଭଲ ଲାଗୁନି ।” ତୁମ କଥାରେ ବା ତୁମ ସ୍ପର୍ଶର ଯାଦୁରେ ଜାଣେନା, ମୋ ଦେହ ପୁରା ସୁସ୍ଥ ହୋଇ ଯାଇଥିଲା ସେଦିନର ସେ ଅଳ୍ପ ସାକ୍ଷାତ ପରେ ।
ତା’ପରଠୁ କଲେଜ ମୋତେ କୁଞ୍ଜବନ ପରି ହିଁ ଅନୁଭୂତ ହେଉଥିଲା । ତୁମେ ସବୁବେଳେ ମୋତେ କହୁଥିଲ, “ମୋତେ ଭୁଲି ଯିବନି ତ ସ୍ନେହା? ତୁମ ପ୍ରେମ ମୋ ପାଇଁ ପ୍ରେରଣା ହୋଇସାରିଛି । ବହୁତ ଡର ଲାଗୁଛି କାଳେ ଏ ଦୁନିଆ ଆମକୁ ଅଲଗା କରିଦେବ !” ଆଉ ମୁଁ ତୁମକୁ କୁହେ, “ଜହ୍ନଠାରୁ କ’ଣ ଜୋଛନାକୁ ଅଲଗା କରିହୁଏ? ତୁମର ଛାଇ ହୋଇ ମୁଁ ତୁମ ସହ ସବୁବେଳେ ଥିବି । ମୋ ପ୍ରେମ ଶାଶ୍ୱତ ଓ ଅମର । ତାକୁ କେହି ବି କଳଙ୍କିତ କରିପାରିବେନି କି ମାରି ପାରିବେନି ।”
ତୁମର ସବୁଠାରୁ ଭଲ ଗୁଣ ଥିଲା, ତୁମେ କେବେ ମୋ ଭଲ ପାଇବାର ଅଯଥା ଲାଭ ଉଠାଉ ନଥିଲ । ସବୁବେଳେ କହୁଥିଲ ଆମ ପ୍ରେମ ଶାଶ୍ୱତ । ଏଥିରେ ମୁଁ କେବେ କଳଙ୍କ ଲଗାଇବାକୁ ଦେବିନି । ମୋ ଖୁସି ପାଇଁ ତୁମେ ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ସ୍ନାତକୋତ୍ତର ପଢ଼ିବାକୁ ରାଜି ହୋଇଥିଲ । ସମାନ କଲେଜ ଆଉ ସମାନ ବିଭାଗ ଆମ ପ୍ରେମକୁ ଆହୁରି ଗଭୀର କରି ଦେଇଥିଲା । ତୁମ ପାଇଁ ମୁଁ ମୋ ଘର ଲୋକଙ୍କ ସହ ସହମତ ନହୋଇ ତୁମ ସହ ସଂସାର କରିବା ସ୍ୱପ୍ନରେ ମସଗୁଲ ହୋଇ ଯାଇଥିଲି ।
ଆଜି ତୁମେ ମୋତେ ନିଜଠାରୁ କିପରି ଦୂର କଳିଦେଉଛ ସୌମ୍ୟ ! କୋଉଠି ଅଭାବ ରହିଲା ମୋ ପ୍ରେମରେ? ଏମିତି ପ୍ରତାରଣା କାହିଁକି କରୁଛ ମୋ ସହ? କ’ଣ ଆଉ କେହି ମିଳିଗଲେ କି? ନା ମୋ’ଠାରୁ ମନ ମରିଗଲା? ମୁଁ ଟାଣିଥିବା ଲକ୍ଷ୍ମଣ ରେଖା ମୁଁ ନିଜେ ଲିଭାଇ ଦେଉଛି । ଏ ଦେହ ଓ ମନ ସବୁ ତୁମର । ମୋତେ ଏମିତି ଏକାକରି ଦୂରେଇ ଦିଅନି । ତୁମ ବିନା ଏବେ ବଞ୍ଚିବା କଷ୍ଟକର ।
“ଏମିତି କ’ଣ କହୁଛ ସ୍ନେହା ! ମୁଁ ଆମ ପ୍ରେମକୁ ସମ୍ମାନ କରେ । ଆଉ ତୁମେ କହୁଛ ମୁଁ ତୁମ ସହ….. ଛି ସ୍ନେହା ! ନା ମୁଁ ଏତେ ନୀଚ୍ଚ ନା ମୋ ପ୍ରେମ ଏତେ ଶସ୍ତା । ତୁମେ ମୋର ପ୍ରଥମ ଓ ଶେଷ ପ୍ରେମ । କିନ୍ତୁ ସବୁ ପ୍ରେମ ଯେ ପରିଣୟ ଡୋରରେ ବାନ୍ଧିହେବ, ତାହାର କିଛି ନିଶ୍ଚିନ୍ତତା ନାହିଁ । ତା’ର ଅର୍ଥ ନୁହେଁ ଯେ, ମୁଁ ଜାଣି ଜାଣି ତୁମଠାରୁ ଦୂରେଇ ଯାଉଛି । ମୋତେ ମୋ କର୍ତ୍ତବ୍ୟ ଓ ମାନବିକତା ଏମିତି କରିବାକୁ ବାଧ୍ୟ କରୁଛି ।”
“କି କର୍ତ୍ତବ୍ୟ କି ମାନସିକତା ସୌମ୍ୟ? ମୋତେ ଦୂରେଇଦେବା କ’ଣ ତୁମ ମାନବିକତା? ମୋ ହୃଦୟକୁ ଆଘାତ ଦେବା କ’ଣ ତୁମ କର୍ତ୍ତବ୍ୟ? କାହିଁକି ସୌମ୍ୟ? କାହିଁକି ମୋ ପ୍ରତି ଏତେ ଅନ୍ୟାୟ? କ’ଣ ମୁଁ ତୁମକୁ ଜୀବନ ଦେଇ ଭଲ ପାଉଛି ବୋଲି? ତୁମକୁ ନିଜର କରିବାକୁ ଚାହୁଁଛି ବୋଲି? କୁହ ସୌମ୍ୟ, କୁହ ।”
“ତୁମର ମନେ ଅଛି ସ୍ନେହା ସେଦିନ ବିଳମ୍ବିତ ରାତ୍ରିରେ ଗୋଟେ କେସ୍ ସାରି ତୁମକୁ ଘରେ ଛାଡ଼ିଲି । ସେଇଠୁ ଫେରିବା ବାଟରେ ଗୋଟେ ଝିଅ ମୋ ଗାଡ଼ିକୁ ହାତ ଦେଖାଇଲା, କିନ୍ତୁ ମୁଁ ଗାଡ଼ି ନ ରଖି ସେଠାରୁ ଚାଲି ଯାଇଥିଲି । ତା’ ପରଦିନ ଦେଖିଲି ଗୋଟେ ଝିଅ ହସ୍ପିଟାଲରେ ଆଡମିଟ୍ ହୋଇଛି । ଗଣ ବଳାତ୍କାରର ଶିକାର ସେ । ପାଖରେ ବୁଢୀ ମା । କାନ୍ଦି କାନ୍ଦି କହୁଥିଲା- ମୋ ଝିଅକୁ ରକ୍ଷା କର ଡାକ୍ତର ବାବୁ । ମୋର ଆଉ କେହି ନାହାନ୍ତି । ସେ ଝିଅକୁ କେଉଁଠି ଦେଖିବା ପରି ଲାଗୁଥିଲା । ଆଜି ସେ ଝିଅ ଟିକେ ଭଲ ହେବାପରେ ତାକୁ ପଚାରିବାରୁ କହିଲା, ସେ ରାତିରେ କୌଣସି ଜଣେ ମୋଟର ସାଇକେଲ ଆରୋହୀଙ୍କୁ ସାହାଯ୍ୟ ଭିକ୍ଷା କରିଥିଲା କିନ୍ତୁ ସେ ସାହାଯ୍ୟ କରି ନଥିଲା । ତା’ପରେ ଚାରି ଜଣ ଲୋକ ତା’ସହ ଗଣବଳାତ୍କାର କରିଥିଲେ । ଯଦି ସେ ବ୍ୟକ୍ତି ଜଣକ ତାକୁ ସାହାଯ୍ୟ କରିଥାନ୍ତା, ହୁଏତ ସେ ଝିଅର ସମ୍ମାନ ବଞ୍ଚି ଯାଇପାରିଥାନ୍ତା । ଏବେବି ସେ ଝିଅକୁ ପାଟି ଖୋଲିଲେ ଜୀବନରୁ ମାରିଦିଆ ଯିବାର ଧମକ ମିଳୁଛି । ଏସବୁ ପାଇଁ ମୁଁ ଦାୟୀ । ମୋତେ ହିଁ ତା’ର ହାତ ଧରିବାକୁ ହେବ । ତୁମେ ଉଚ୍ଚ ଶିକ୍ଷିତା ଆଉ ସ୍ୱାବଲମ୍ବୀ; କିନ୍ତୁ ସେ ଦରିଦ୍ର । ବିଧବା ମାଆର ସାହା ଭରସା । ଏ ସବୁ ଜାଣିବା ପରେ ହୁଏତ ତାକୁ ତା’ ମାଲିକ ଚାକିରି ନ ଦେଇପାରେ । ଏ ସବୁ ଭାବି ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା ବି କରୁଥିଲା ସ୍ନେହା । ମୁଁ ପ୍ରତିଶ୍ରୁତି ଦେଇଛି ତାକୁ ନିଜର କରିବି ।”
“ପ୍ରତିଦିନ ଅନେକ ଝିଅ ଦୁଷ୍କର୍ମର ଶିକାର ହେଉଛନ୍ତି, ତୁମେ କ’ଣ ସମସ୍ତଙ୍କୁ ନିଜର କରିବ ସୌମ୍ୟ?”
“ନା ! ସମସ୍ତଙ୍କ ପାଇଁ ମୁଁ ନିଜକୁ ଦୋଷୀ ଭାବୁନି । କିନ୍ତୁ ସେ ଝିଅର ଅନିଷ୍ଟ ପାଇଁ ମୁଁ ଦୋଷୀ ।”
“ତୁମେ ଭୁଲ କରୁଛ ସୌମ୍ୟ ।”
“ଭୁଲ କି ଠିକ ମୁଁ ଜାଣେନା, କିନ୍ତୁ ଭାବିନିଅ ମୁଁ ମୋର ପାପର ପ୍ରାୟଶ୍ଚିତ କରୁଛି ।”
“ସୌମ୍ୟ !!!!!”
“ନା ସ୍ନେହା, ମୋତେ ଆଉ ଅଟକାଅନି । ଏ ପର୍ଯ୍ୟନ୍ତ ମୋର ପ୍ରେରଣା ହେଇଆସିଛ, ଏଇ କାମରେ ବି ମୋର ପ୍ରେରଣା ହୁଅ । ଆଜି ମାନବିକତାପାଇଁ ମୋର ପ୍ରେମ ତୁମକୁ ପ୍ରତାରଣା ଲାଗୁଥିବ, କିନ୍ତୁ ମୋର ଏଇ ପଦକ୍ଷେପ ଆଗକୁ ଅନେକ ଝିଅଙ୍କର ଜୀବନ ନଷ୍ଟ ହେବାରୁ ବଞ୍ଚାଇ ପାରିବ ! ତୁମ ପ୍ରେମ ମୋପାଇଁ ପ୍ରସାଦ ସ୍ନେହା, ମୋତେ କ୍ଷମା କର । ମୁଁ ସବୁବେଳେ ତୁମ ପ୍ରେମର ଶିଡ଼ିରେ ଆଗକୁ ବଢ଼ିବି । ମୋର ଅନୁରୋଧ ତୁମେ ମୋ ପ୍ରେମକୁ କଳଙ୍କ ହେବାକୁ ଦେବନି । ସ୍ନେହା-ସୌମ୍ୟ ପ୍ରେମ କାହାଣୀ ଅମର ରହିବ । ମୋ କର୍ତ୍ତବ୍ୟର ପ୍ରେମକୁ ପ୍ରତାରଣା ବୋଲି କେବେ ବି ଭାବିବନି । ମୁଁ ଆସୁଛି…”
ସୌମ୍ୟ ଚାଲିଯିବା ପରେ ଫେରନ୍ତା ବାଟକୁ ଚାହିଁ ରହିଥିଲା ସ୍ନେହା । ମନ ଭିତରେ ଅନେକ ପ୍ରଶ୍ନର ପ୍ରହେଳିକା ଛଟପଟ ହେଉଥାନ୍ତି। ନିଜ ଅଜାଣତରେ ଆଖିରୁ ଦୁଇ ଧାର ଲୁହ ବୋହି ଯାଇଥିଲା ଅମାନିଆ ହୋଇ । ସେ ଲୁହ ସୁଖର ନା ଦୁଃଖର?? ଭାବିବାକୁ ଚେଷ୍ଟା କରୁଥିଲା ସ୍ନେହା….
Comments
ସୁନୀତା ଶରଣ୍ୟା ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।